ପୂ‌ର୍ଣ୍ଣେନ୍ଦୁ ମିଶ୍ର ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ଗତ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ମହାପ୍ରବନ୍ଧକ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର ଅତିରିକ୍ତ ଦାୟିତ୍ବରେ ରହିବେ। ଦକ୍ଷିଣ ପୂର୍ବ ରେଳପଥ, କୋଲକାତାରେ ମହାପ୍ରବନ୍ଧକ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଶ୍ରୀ ମିଶ୍ର ମୁମ୍ବାଇସ୍ଥିତ ପଶ୍ଚିମ ରେଳବାଇରେ ପ୍ରମୁଖ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଭୁବନେଶ୍ବର ବାସିନ୍ଦା ଶ୍ରୀ ମିଶ୍ର ୧୯୮୨ରେ ଭାରତୀୟ ରେଳବାଇ ଟ୍ରାଫିକ୍‌ ସେବାରେ ଯୋଗ ଦେଇଥିଲେ। ତାଙ୍କର ଯାତାୟାତ ପରିଚାଳନାରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ରହିଛି। ସେ ରେଲ୍‌ୱେ ବୋର୍ଡର ଉପଦେଷ୍ଟା(ନିରାପତ୍ତା), କାର୍ଯ୍ୟନିର୍ବାହୀ ନିର୍ଦେଶକ(କର୍ପୋରେଟ୍‌ କମ୍ୟୁନିକେସନ), ଦକ୍ଷିଣ ପୂର୍ବ ‌ମଧ୍ୟ ରେଳପଥର ରାୟପୁରଠାରେ ମଣ୍ଡଳ ରେଳ ପ୍ରବନ୍ଧକ ଓ ପଶ୍ଚିମ ରେଳପଥର ପ୍ରମୁଖ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏବେ ପୂର୍ବତଟ ରେଳପଥ ଅଧୀନରେ ଏକାଧିକ ପ୍ରକଳ୍ପ ନିର୍ମାଣ ଚାଲିଥିବା ବେଳେ କେ‌ତେକ ସରିବା‌ ଅବସ୍ଥାରେ ରହିଛି। ଏହି ରେଳପଥରେ ଭିତ୍ତିଭୂମିର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ପୂର୍ବତଟ ରେଳପଥ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭିନ୍ନ ସହଭାଗୀ ଉପଭୋକ୍ତା ଓ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ପ୍ରକଳ୍ପଗୁଡ଼ିକୁ ଆଗେଇ ନେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର