ପୁରୀ-ଭୁବନେଶ୍ୱର ଘରୋଇ ବସ୍‌ ସେବା ଠପ୍‌

ଯାତ୍ରୀ ଉଠାଣ ବିବାଦ ଛିଡ଼ୁନି

ଭୁବନେଶ୍ୱର: ପୁରୀ ଓ ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପାଇଁ ୪ ଦିନ ହେଲା ଏହି ରୁଟ୍‌ରେ ବସ୍‌ ଚଳାଚଳ ଠପ୍‌ ହୋଇଯାଇଛି। ଯାତ୍ରୀ ଉଠାଣକୁ ନେଇ ଦୁଇ ସଂଘ ମଧ୍ୟରେ ଉପୁଜିଥିବା ବିବାଦର ସ୍ଥାୟୀ ସମାଧାନ ହେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାଲିକ ସଂଘ ଦ୍ୱୟ ଓ ପରିବହନ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଆଲୋଚନା ଜାରି ରହିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ତେଣୁ ଏହି ରୁଟ୍‌ରେ ବସ୍‌ ଚଳାଚଳ ସ୍ୱାଭାବିକ ହେବାକୁ ଆଉ କେତେ ଦିନ ଲାଗିବ, ତାହା ଅନିଶ୍ଚିତ ହୋଇ ରହିଛି।

ଭୁବନେଶ୍ୱର ବସ୍‌ ମାଲିକମାନଙ୍କ ଅଭିଯୋଗ ଯେ ପୂର୍ବରୁ ବସ୍‌ ଚଳାଚଳ ନେଇ ରୁଟ୍‌ ପରମିଟ୍‌ ଅନୁସାରେ ଯେଉଁ ସମୟ ନିର୍ଘଣ୍ଟ ଥିଲା, ତାହାକୁ ହଠାତ୍‌ ପୁରୀ ବସ୍‌ ମାଲିକ ସଂଘ ମାନୁ ନାହିଁ। ଆର୍‌ଟିଓଙ୍କ ପକ୍ଷରୁ ମିଳିଥିବା ରୁଟ୍‌ ପରମିଟ୍‌ର ସମୟକୁ ନ ମାନି ପୁରୀ ବସ୍‌ଗୁଡ଼ିକ ଭୁବନେଶ୍ୱର ବସ୍‌ ପାଇଁ ଉଦ୍ଦିଷ୍ଟ ସମୟରେ ହିଁ ଯାତ୍ରୀ ଉଠାଉଛନ୍ତି। ଫଳରେ ଏମିତି ସମାନ୍ତରାଳ ସମୟରେ ଯାତ୍ରୀ ଉଠାଣ ଯୋଗୁଁ ଭୁବନେଶ୍ୱର ବସ୍‌ ମାଲିକମାନେ କ୍ଷତି ସହୁଛନ୍ତି। ଏମିତିକି ଭୁବନେଶ୍ୱର ଓ କଟକ ବସ୍‌ଗୁଡ଼ିକୁ ମଧ୍ୟ ଅନେକ ସମୟରେ ସମାନ୍ତରାଳ ସମୟରେ ଯାତ୍ରୀ ଉଠାଇ ପୁରୀ ଛାଡ଼ିବାକୁ ବାଧ୍ୟ କରାଯାଉଛି। ଏ ନେଇ ଭୁବନେଶ୍ୱର ବସ୍‌ ମାଲିକମାନେ ପୁରୀ ମାଲିକ ସଂଘକୁ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳି ନଥିଲା। ତେଣୁ ଗତ ଶନିବାରଠାରୁ ଉଭୟ ପଟୁ ବସ୍‌ ସେବା ବନ୍ଦ ହୋଇ ଯାଇଥିଲା। ଏହା ଭିତରେ ଭୁବନେଶ୍ୱର ଓ ପୁରୀ ଆର୍‌ଟିଓଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ପୂର୍ବ ସମୟ ନିର୍ଘଣ୍ଟ ଅନୁସାରେ ଦୁଇ ପଟୁ ବସ୍‌ ଚଳାଚଳ କରିବ ବୋଲି ଉଭୟ ପକ୍ଷ ରାଜି ହୋଇଥିଲେ। କିନ୍ତୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ସମ୍ପାଦକ ବରଦା ଆଚାର୍ଯ୍ୟଙ୍କ କହିବା କଥା ଏବେ ପୁଣି ପୁରୀ ବସ୍‌ ମାଲିକ ସଂଘ ଉକ୍ତ ନିଷ୍ପତ୍ତିକୁ ମାନିବାକୁ ନାରାଜ। ତେଣୁ ବାଧ୍ୟ ହୋଇ ଭୁବନେଶ୍ୱର ମାଲିକ ସଂଘ ବସ୍‌ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ପୁରୀ ମାଲିକ ସଂଘର ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର