ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଜମି ପଟ୍ଟା ଦିଅ

‘ଯୁବା’ର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,: ସହରରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ବିଭିନ୍ନ ସହରରେ ଯେଉଁ ଆଧାରରେ ମନ୍ତ୍ରୀ, ବିଧାୟକ, ଅଧିକାରୀ, ବ୍ୟବସାୟିକ ଅନୁଷ୍ଠାନ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମି ପ୍ରଦାନ କରାଯାଇଛି, ସେହି ଆଇନ ଆଧାରରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବାକୁ ଦାବି ହୋଇଛି। ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନ-୨୦୧୭ରେ ସଂଶୋଧନ ଆଣି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବାକୁ ଦାବି ଉଠିଥିଲା। ମୁମ୍ବାଇସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ଯୁବା’ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ‘ବସ୍ତିବାସିନ୍ଦାଙ୍କ ଜମି ଅଧିକାର’ ଶୀର୍ଷକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏପରି ସ୍ୱର ଉଠିଛି। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହାକୁ ଉଦ୍‌ଘାଟନ କରି କହିଲେ, ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ବଦ୍ଧ ପରିକର। ମୁଖ୍ୟମନ୍ତ୍ରୀ ‘ଜାଗା’ ଯୋଜନାର ଶୁଭାରମ୍ଭ କରି ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ସମତାକ୍ରାନ୍ତିର ବ୍ରଜକିଶୋର ତ୍ରିପାଠୀ, ସିପିଆଇଏମ୍‌ର ସଦସ୍ୟ ସୁରେଶ ପାଣିଗ୍ରାହୀ ଓ ରାଧାକାନ୍ତ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବାର ସଂଯୋଜକ ସଚ୍ଚିକାନ୍ତ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସମ୍ମିଳନୀରେ ‘ଆକ୍ସନଏଡ୍‌’ର ଘାସିରାମ ପଣ୍ଡା, ‘ଟାଟା ଟ୍ରଷ୍ଟ’ର ଶିଶିର ଦାସ, ମାନବାଧିକାର କର୍ମୀ ଧୀରେନ୍ଦ୍ର ପଣ୍ଡା, ଆଇନଜୀବୀ କ୍ଷୀରୋଦ ରାଉତ ଓ ‘ଓଡ଼ିଶା ବସ୍ତି ସଂଘର୍ଷ ସମିତି’ର ସଭାପତି ପ୍ରତାପ କୁମାର ସାହୁ ଓ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଉପସ୍ଥିତ ଥିଲେ। ବସ୍ତିନେତ୍ରୀ ରୁଲତା ମହାପାତ୍ର, ଶେଖ୍‌ ଅବଦୁଲ୍ଲା, ରଣଧୀର ଲେଙ୍କା, ବନିତା ନାୟକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ୫ଟି ମହାନଗର ନିଗମର ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି କରିବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର