ଇଚ୍ଛାଧୀନ କୋଟା କେଳେଙ୍କାରୀ : ମାଡ଼ି ବସିଛନ୍ତି ଟାସ୍କଫୋର୍ସ ରିପୋର୍ଟ

ମାର୍ଚ୍ଚ ୩୧ ସୁଦ୍ଧା ତଦନ୍ତ ସାରିବାକୁ ନିର୍ଦ୍ଦେଶ
୪ବର୍ଷ ପରେ ବି ଆବଣ୍ଟନ ବାତିଲ୍‌ ହେଉନି
ଶୁଣାଣି ହୋଇଥିବା ସବୁ ଆବଣ୍ଟନ ବାତିଲ୍‌ କରିବାକୁ କମିଟିର ସୁପାରିସ୍‌

ଭୁବନେଶ୍ୱର (ବିଶ୍ୱଜିତ ଦାଶ): ୧୯୯୫ ମସିହା ପରଠାରୁ ଇଚ୍ଛାଧୀନ କୋଟାରେ ବିଡିଏ, ସିଡିଏ ଓ ହାଉସିଂବୋର୍ଡ ବାଣ୍ଟିଥିବା ସମସ୍ତ ଘର/ଜମି/ଫ୍ଲାଟକୁ ବାତିଲ୍‌ କରିବାକୁ ତାରା ଦତ୍ତ କମିଟି (ଟାସ୍କ ଫୋର୍ସ) ଚାରିି ବର୍ଷ ହେଲା ରିପୋର୍ଟ ଦେଲାଣି। ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ଏହି ତିନି ସଂସ୍ଥାର ଅଧିକାରୀ ଡରୁଛନ୍ତି। ଏପରିକି ଆଜି ପର୍ଯ୍ୟନ୍ତ ଆବଣ୍ଟନ ବାତିଲ୍‌ କରିବା ତ ଦୂରର କଥା ଇଚ୍ଛଧୀନ କୋଟାରେ ଏବଂ ଏକାଧିକ ପ୍ଲଟ୍‌ ହାତେଇଥିବା ହିତାଧିକାରୀଙ୍କ ପକ୍ଷ ଶୁଣିବା ପାଇଁ ହୋଇଥିବା କମିଟି ତିନି ବର୍ଷ ମଧ୍ୟରେ ତା’ର ଚୂଡ଼ାନ୍ତ ରିପୋର୍ଟ ଦେଇପାରିଲାନି। ତିନିଟି ଯାକ ସଂସ୍ଥାର ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ବାହନା ଦେଖାଇ ଟାସ୍କଫୋର୍ସ ରିପୋର୍ଟକୁ ମାଡ଼ି ବସିଛନ୍ତି। ରାଜ୍ୟର ବହୁ ଆଇଏଏସ୍‌, ଆଇପିଏସ୍‌, ନେତା, ବିଚାରପତି, ଆଇନଜୀବୀଙ୍କ ସମେତ ଉଚ୍ଚ ପଦପଦବିରେ ଥିବା ଅଧିକାରୀମାନେ ଇଚ୍ଛାଧୀନ କୋଟା ହାତେଇଥିବାରୁ କାହାର ବି ଘର/ଜମି/ଫ୍ଲାଟ୍‌ ବାତିଲ୍‌ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି କର୍ତ୍ତୃପକ୍ଷ।

ବିଡିଏ, ସିଡିଏ ଓ ହାଉସିଂବୋର୍ଡ କର୍ତ୍ତୃପକ୍ଷ ତଦନ୍ତରେ ଢିଲା କରୁଥିବାରୁ ଏବଂ ୪ବର୍ଷ ମଧ୍ୟରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନଥିବାରୁ ଏବେ ନଗର ଉନ୍ନୟନ ବିଭାଗ ଅସନ୍ତୋଷ ପ୍ରକାଶ କରିଛି। ଟାସ୍କଫୋର୍ସ ରିପୋର୍ଟ ଦେବାର ୪ବର୍ଷ ମଧ୍ୟରେ ତିନିଟି ସଂସ୍ଥା ମାତ୍ର ୨୦ରୁ କମ୍‌ ପ୍ଲଟ୍‌ ବାତିଲ୍‌ କରିଥିବାରୁ ଏବଂ ଅନ୍ୟ ଘର/ଜମି/ଫ୍ଲାଟ୍‌ ଉପରେ କୌଣସି ଠୋସ୍‌ ପଦକ୍ଷେପ ନେଇନଥିବାରୁ ଏହାର ତଦନ୍ତ ତୁରନ୍ତ ସାରିବାକୁ କୁହାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଏକାଧିକ ଆବଣ୍ଟନ ଏବଂ ଇଚ୍ଛାଧୀନ କୋଟା ମାମଲାର ତଦନ୍ତ ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। କେଉଁ ଘର/ଜମି/ଫ୍ଲାଟ୍‌ ବାତିଲ୍‌ ହେବା ଦରକାର, କେଉଁଟି ବାତିଲ୍‌ ହେବନି, ହିତାଧିକାରୀଙ୍କ ମତ କ’ଣ ତା’ର ଚୂଡ଼ାନ୍ତ ରିପୋର୍ଟ ଦେବାକୁ ବିଡିଏ, ସିଡିଏ ଓ ହାଉସିଂବୋର୍ଡ ସଚିବଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଛି।

ଅପରପକ୍ଷେ ତାରା ଦତ୍ତ କମିଟି (ଟାସ୍କଫୋର୍ସ) ଯାହା ରିପୋର୍ଟ ଦେଇଥିଲା ତାହାକୁ ଯଦି କାର୍ଯ୍ୟକାରୀ କରିବାର ଥିଲା ତେବେ କାହିଁକି ପୁଣି ବିଡିଏ, ସିଡିଏ ଓ ହାଉସିଂବୋର୍ଡ କର୍ତ୍ତୃପକ୍ଷ ଚାରି ଜଣିଆ କମିଟି ବସାଇଲେ ବୋଲି ପଚାରିବାରୁ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସମସ୍ତ ଆବଣ୍ଟନ ବାତିଲ୍‌ କରିବାକୁ ଆମକୁ ସରକାରଙ୍କ ନିର୍ଦ୍ଦେଶ ଅଛି। ଏହି କମିଟି କେବଳ ହିତାଧିକାରୀଙ୍କ ପକ୍ଷ ଶୁଣିବ। ଆଉ ହିତାଧିକାରୀ ଦେଉଥିବା ଡକୁମେଣ୍ଟ ରଖିବ।

ସେହିପରି ଇଚ୍ଛାଧୀନ କୋଟା ସମ୍ପତ୍ତି ବାତିଲ୍‌ ହେବା ପରେ ଏହାକୁ ବିଡିଏ,ସିଡିଏ ଓ ହାଉସିଂବୋର୍ଡ ନିଜ ନିୟନ୍ତ୍ରଣକୁ ଆଣିବେ। ଏହାର ଇ-ନିଲାମି କରାଯିବ ବୋଲି ବିଡିଏ ସୂତ୍ରରୁ ସୂଚନା ମିଳିଛି।
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ୧୯୯୫ ପରେ ୮୦୩ଟି ଘର/ଜମି/ଫ୍ଲାଟ୍‌ ଇଚ୍ଛାଧୀନ କୋଟାରେ ଆବଣ୍ଟନ ହୋଇଛି। ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏହାପରେ ସେମାନେ ମତ ରଖୁଛନ୍ତି। ଏହାବାଦ୍‌ ଓଡିଏ କୋର୍ଟରେ ସମସ୍ତଙ୍କ ନାମରେ ମାମଲା ହୋଇଛି। ହେଲେ ହିତାଧିକାରୀଙ୍କ ମତ ଶୁଣିବା ପାଇଁ ହୋଇଥିବା କମିଟି ଚୂଡ଼ାନ୍ତ ରିପୋର୍ଟ ଦେଇନି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦୦ଜଣ କମିଟି ସମ୍ମୁଖରେ ହାଜର ହୋଇ ମତ ରଖିଥିଲେ ହେଁ କମିଟି ତା’ର ରିପୋର୍ଟରେ ସମସ୍ତ ଆବଣ୍ଟନ ବାତିଲ୍‌ କରିବାକୁ ବିଡିଏ ଉପାଧ୍ୟକ୍ଷଙ୍କୁ ରିପୋର୍ଟ ଦେଇଛି। କିନ୍ତୁ ବିଡିଏ ଉପାଧ୍ୟକ୍ଷ ଏହି ଆବଣ୍ଟନଗୁଡ଼ିକୁ ବାତିଲ୍‌ ନକରି ମାଡ଼ି ବସିଛନ୍ତି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଡିଏ ଯେଉଁ ପ୍ଲଟ୍‌ ଆବଣ୍ଟନ କରିଛି ତାହା ତତ୍କାଳୀନ ମନ୍ତ୍ରୀ କରିଥିଲେ। ତେଣୁ ବର୍ତ୍ତମାନର ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ହିଁ ଏହାକୁ ବାତିଲ୍‌ କରିପାରିବେ। ନିୟମ ଅନୁଯାୟୀ ଉପାଧ୍ୟକ୍ଷଙ୍କ ନିକଟକୁ ଯେଉଁ ଫାଇଲ୍‌ ଆସିବ ତାହାକୁ ସେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିକଟକୁ ପଠାଇବେ। ଆଉ ମନ୍ତ୍ରୀ ହିଁ ଘର/ଜମି/ଫ୍ଲାଟ୍‌ ଆବଣ୍ଟନ ବାତିଲ୍‌ ଉପରେ ଚୂଡ଼ାନ୍ତ ମୋହର ମାରିବେ। କିନ୍ତୁ ବରିଷ୍ଠ ଅଧିକାରୀ ଓ ନିଜ ସମସାମୟିକ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେବାକୁ ବିଡିଏ ଉପାଧ୍ୟକ୍ଷ ସାହସ ଜୁଟାଇ ପାରୁନାହାନ୍ତି। ଯେତେବେଳେ କି ବିଡିଏ ଉପାଧ୍ୟକ୍ଷ ନଭେମ୍ବର,୨୦୧୬ରେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୨୦୦ଜଣ ହିତାଧିକାରୀଙ୍କର ଶୁଣାଣି ଶେଷ ହୋଇଛି ସେଗୁଡ଼ିକୁ ବାତିଲ୍‌ କରିବା ପାଇଁ ଅଧ୍ୟକ୍ଷଙ୍କ ପାଖକୁ ପଠାଇବୁ। ଏହାପରେ ଜାନୁଆରି ମାସରୁ ବାତିଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏବେ ସୁଦ୍ଧା ଗୋଟିଏ ବି ଆବଣ୍ଟନ ବାତିଲ୍‌ ହୋଇନି।

ବିଡିଏର ଏହି କାରଣ ଦର୍ଶାଅ ନୋଟିସ୍‌ ତାଲିକାରେ ଅବସରପ୍ରାପ୍ତ ଓ ଏବେ କାର୍ଯ୍ୟରତ ବହୁ ଆଇଏଏସ୍‌, ଆଇପିଏସ୍‌ ଥିବା ଚର୍ଚ୍ଚା ହେଉଥିବାବେଳେ କେତେକ ବରିଷ୍ଠ ଆଇଏଏସ୍‌ଙ୍କ ନାମ ପଦାକୁ ଆସିଛି। ଏଥିରେ ସୁରେଶ ମହାପାତ୍ର, ବିଶାଲ ଦେବ, ପ୍ରଦୀପ ଜେନା, ପ୍ରଶାନ୍ତ ନାୟକ, ରାଜକୁମାର ଶର୍ମାଙ୍କ ସମେତ ବହୁ ଆଇଏଏସ୍‌ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ ଅଛି।

ଏନେଇ ବିଡିଏ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କର୍ତ୍ତୃପକ୍ଷ କହିଛନ୍ତି ଯେ, ରାଜ୍ୟର ବହୁ ଆଇଏଏସ୍‌ ଓ ଆଇପିଏସ୍‌ ଇଚ୍ଛାଧୀନ କୋଟାରେ ଘର/ଜମି/ଫ୍ଲାଟ୍‌ ନେଇଛନ୍ତି। ହେଲେ ଆମେ ଯେଉଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରୁଛୁ ସେଥିରେ କିଏ ଆଇଏଏସ୍‌ କି ଆଇପିଏସ୍‌ ଲେଖା ନାହିଁ। ତେଣୁ ଯେଉଁମାନଙ୍କ ନାମରେ ନୋଟିସ୍‌ ଜାରି ହୋଇଛି ସେମାନେ କେଉଁ ପଦପଦବିରେ ଅଛନ୍ତି ତାହା କହି ହେବ ନାହିଁ।

ବିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଚ୍ଛାଧୀନ କୋଟା କେଳେଙ୍କାରୀ ତଦନ୍ତ କରି ତାରା ଦତ୍ତ କମିଟି ୨୦୧୪ମସିହାରେ ରିପୋର୍ଟ ଦେଇଥିଲା ଯେ, ୧୯୯୫ ମସିହା ପରେ ଇଚ୍ଛାଧୀନ କୋଟାରେ ଆବଣ୍ଟନ ହୋଇଥିବା ସମସ୍ତ ଘର/ଜମି/ଫ୍ଲାଟ୍‌ ବାତିଲ୍‌ କରାଯାଉ। ଏନେଇ ବିଡିଏରେ ବହୁ ହିତାଧିକାରୀ ଅଭିଯୋଗ କରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ କ୍ରମେ ଇଚ୍ଛାଧୀନ କୋଟାର ଶୁଣାଣି ପାଇଁ ଏକ କମିଟି ଗଠନ ହୋଇଛି। ଏଥିରେ ବିଡିଏର ଦୁଇ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ଦୁଇ ଜଣ ନିୟମିତ ଅଧିକାରୀଙ୍କୁ ନେଇ କମିଟି ଗଠନ ହୋଇଛି। ଏହି କମିଟି ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ନଗର ଉନ୍ନୟନ ବିଭାଗକୁ ପଠାଯିବ। ଏହାପରେ ସରକାର ଯାହା ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର