ଶ୍ରୀଦେବୀଙ୍କ ବିୟୋଗ ଅପ୍ରତ୍ୟାଶିତ:ରବିନା

ଚୁଲ୍‌ବୁଲି ନାୟିକା ରବିନା ଟଣ୍ଡନ। ୯୦ ଦଶକରେ ବଲିଉଡ୍‌ରେ ପାଦ ଦେଇଥିବା ରବିନା ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ସ୍ଥାନ। ୧୯୯୧ରେ ସଲମନ୍‌ ଖାଁଙ୍କ ସହ ‘ପଥର କି ଫୁଲ୍‌’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ରବିନା ‘ଦିଲ୍‌ଓ୍ଵାଲେ’, ‘ମୋହରା’, ‘ଖିଲାଡିଓ କା ଖିଲାଡି’, ‘ଜିଦ୍‌’ ପରି ହିଟ୍‌ ସିନେମା ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ୨୦୦୪ ପର୍ଯ୍ୟନ୍ତ ସକ୍ରିୟ ରହିବା ପରେ କିଛି ବର୍ଷ ଲାଗି ବଲିଉଡ୍‌ରୁ ଦୂରେଇ ଯାଇଥିଲେ। ପରେ ପୁଣିଥରେ ବଲିଉଡ୍‌ରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବା ସହ ନିଜର ଜଲ୍‌ଓ୍ଵା ଦେଖାଉଛନ୍ତି। ‘ରୁଚି ଫିଲ୍ମ ଫେୟାର ଆଓ୍ଵାର୍ଡ’ ଉତ୍ସବରେ ଯୋଗଦେବା ଲାଗି ଆଜି ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।

ଶ୍ରୀଦେବୀଙ୍କ ବିୟୋଗ ନେଇ କ’ଣ କହିବେ?
-ବିଶ୍ୱାସ ହେଉନି। ଏତେ ଶୀଘ୍ର ଏମିତି ସବୁ ଘଟିଯିବ ବୋଲି କେହି ବି ଭାବିପାରି ନ ଥିଲେ। ଅପ୍ରତ୍ୟାଶିତ ଭାବେ ତାଙ୍କ ମୃତ୍ୟୁ ହୋଇଛି। ଯଦି କୌଣସି ବ୍ୟକ୍ତି ବହୁତ ଦିନରୁ ରୋଗ୍ରଗସ୍ତ ହୋଇ ପଡ଼ି ମୃତ୍ୟୁବରଣ କରୁଛନ୍ତି ତେବେ ସେତେଟା ଆଶ୍ଚର୍ଯ୍ୟକର ହୋଇ ନ ଥାଏ। କିନ୍ତୁ ଶ୍ରୀ ଦେବୀଙ୍କ ମୃତ୍ୟୁ ବଲିଉଡ୍‌କୁ ସ୍ତବ୍ଧ କରିଦେଇଛି।

କିଛି ବର୍ଷ ଧରି ରବିନା ବଲିଉଡ୍‌ରୁ ଦୂରେଇ ରହିଥିଲେ କାହିଁକି?
-ବଲିଉଡରୁ ଦୂରେଇ ରହିବା ପଛରେ ବିଭିନ୍ନ କାରଣ ରହିଥିଲା। ୨୦୦୪ରେ ବିବାହ କରିବା ପରେ ଗର୍ଭବତୀ ରହିଥିଲି। ଏହି ସମୟରେ ସିନେମା କରିବା ସମ୍ଭବପର ନ ଥିଲା। ଏହାପରେ ଶିଶୁ ହୋଇଥିଲା। ତାହାର ଯତ୍ନ ନେବାର ବି ଆବଶ୍ୟକତା ରହିଥିଲା। ତେଣୁ ସିନେମାରୁ କିଛି ବର୍ଷ ନିଜକୁ ଦୂରେଇ ରଖିଥିଲି।

ବଲିଉଡ୍‌ ଏବେ ରାଜନୀତି ମୁହାଁ। ଆପଣଙ୍କର ସେଭଳି କିଛି ଯୋଜନା ରହିଛି କି?
-କୌଣସି ରାଜନୈତିିକ ଦଳରେ ସାମିଲ ହୋଇ ନ ଥିବାରୁ ମନ ଖୋଲି କହିପାରୁଛି। ବିଭିନ୍ନ ବିଷୟରେ ସ୍ୱର ଉଠାଇପାରୁଛି। ଯଦି ରାଜନୀତିରେ ଯୋଗଦେବି ତେବେ ଆଉ ସ୍ୱର ଉଠାଇପାରିବି ନାହିଁ। ତେଣୁ ରାଜନୀତିକୁ ଯିବାକୁ ଏବେ ଚିନ୍ତା କରିନି।

ଭୁବନେଶ୍ୱରରେ ପହଞ୍ଚିବା ପରେ ଲିଙ୍ଗରାଜ ମନ୍ଦିର ଯାଇଥିଲେ। କିଭଳି ଲାଗିଲା?
-ପ୍ରଥମ ଥର ଲାଗି ଲିଙ୍ଗରାଜ ମନ୍ଦିର ଯାଇଥିଲି। ଏଭଳି ଐତିହାସିକ ମନ୍ଦିର ଭୁବନେଶ୍ୱରରେ ରହିଥିବା ନେଇ ଜାଣି ନ ଥିଲି। ପ୍ରକୃତରେ ଭୁବନେଶ୍ୱର ହିଁ ଐତିହ୍ୟ ସହର। ଏହାର ପ୍ରଚାର ପ୍ରସାର କରିବା ଦିଗରେ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ। ଓଡ଼ିଆ ଖାଦ୍ୟ ବଢ଼ି ଚୁରା, ଡାଲମା ଖାଇଛି। ବହୁତ ଭଲ ଲାଗୁଥିଲା।

‘ରୁଚି ଫିଲ୍ମ ଫେୟାର ଆୱାର୍ଡସ୍‌’ ସମ୍ପର୍କରେ କ’ଣ କହିବେ?
-ପ୍ରତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଭଳି ଆଓ୍ଵାର୍ଡ ଦିଆଯିବାର ଆବଶ୍ୟକତା ରହିଛି। ଆଓ୍ଵାର୍ଡସ ଦ୍ୱାରା ଅଭିନେତା, ଅଭିନେତ୍ରୀ ଉତ୍ସାହିତ ହେବା ସହ ଅଧିକରୁ ଅଧିକ ସେନେମା କରିବାକୁ ଆଗ୍ରହ ପ୍ରକାଶ କରିବେ। ନୂଆ କଳାକାରଙ୍କ ଲାଗି ଏବେ ବଲିଉଡ୍‌ରେ ସୁଯୋଗ ରହିଛି। ତଳସ୍ତରରୁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି।
ସାକ୍ଷାତକାର-କେଶବ ପାଣି

ସମ୍ବନ୍ଧିତ ଖବର