ଆଉଟ୍‌ରିଚ୍‌ର ରେଡିଓ ମେଳା ଆରମ୍ଭ : ରେଡିଓର ଚାହିଦା ଥିଲା, ଅଛି ଓ ରହିବ

ଭୁବନେଶ୍ୱର : ଯେତେବେଳେ ଟିଭି କି ମୋବାଇଲ ନ ନଥିଲା, ସେତେବେଳ ରେଡିଓ ହିଁ ସମସ୍ତ ଆବଶ୍ୟକତା ପୂରଣ କରୁଥିଲା। ରେଡିଓରେ ଏପରି କିଛି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଥିଲା ଯାହାକୁ ଶୁଣିବା ଲାଗି ଲୋକମାନେ ସବୁ କାମଧନ୍ଦା ଛାଡ଼ି ରେଡିଓ ଚାରିପାଖରେ ବସି ରହୁଥିଲେ। ମାତ୍ର ଏବେ ସେପରି ଅବସ୍ଥା ନଥିଲେ ହେଁ ରେଡିଓର ଚାହିଦା କମିନି। ଭିନ୍ନ ରୂପରେ ରେଡିଓ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରି ଶ୍ରୋତାମାନଙ୍କୁ ବାନ୍ଧି ରଖୁଛି। ତେଣୁ କୁହାଯାଇ ପାରେ ରେଡିଓର ଚାହିଦା ଥିଲା, ଆଜି ମଧ୍ୟ ଅଛି ଓ ଆଗକୁ ଜାରି ରହିବ ବୋଲି ମନ୍ତ୍ରୀ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ‘ଆଉଟ୍‌ରିଚ୍‌’ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ରେଡିଓ ମେଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପାତ୍ର ଏହା କହିଛନ୍ତି।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ରେଡିଓ ଯେମିତି ମଣିଷକୁ ଯୋଡ଼େ, ସେହିଭଳି ଆଉ କୌଣସି ବ୍ୟବସ୍ଥା ଯୋଡ଼ିବା ପାଇଁ ସଫଳ ହୋଇପାରି ନାହିଁ। ମିଠା ମିଠା କଥା ଓ ବିଭିନ୍ନ ପ୍ରକାରର ସୂଚନା ଦେଇ ରେଡିଓ ଲୋକଙ୍କର ଆଦରର ପାତ୍ର ହୋଇପାରିଛି। ଏବେ ରେଡିଓର ପୁନର୍ଜନ୍ମ ହୋଇଛି ଓ ଧୀରେ ଧୀରେ ସଫଳତା ଆଡ଼କୁ ଗତି କରିଛି। ରେଡିଓ ସମସ୍ତଙ୍କ ପାଇଁ। ଏଥିରେ ଜାତି ଓ ଧର୍ମ କଥା ନାହିଁ । ଯଦି ସରକାରଙ୍କ ଅନୁମତି ମିଳେ, ତେବେ ଏଫଏମ୍‌ ରେଡିଓ ମାଧ୍ୟମରେ ଖବର ବି ପ୍ରସାରଣ କରିପାରିବୁ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମୁମ୍ବାଇ ବିବିଧ ଭାରତୀରେ ଅବସରପ୍ରାପ୍ତ କର୍ମଚାରୀ କମଲ ଶର୍ମା କହିଥିଲେ, ରେଡିଓ ଏକ ସୁନ୍ଦର ଦୁନିଆ, ଏହା ସମସ୍ତଙ୍କୁ ଏକାଠି ନେଇ ଚଳିବାକୁ ଚେଷ୍ଟା କରେ। ଏହା ହୃଦୟକୁ ହୃଦୟ ସହିତ ଯୋଡ଼ିଥାଏ। ଏହା ସହିତ ରେଡିଓ କଥା କହିବାର ଶୈଳୀ ଶିଖାଇଥାଏ। ରେଡିଓ ମାଧ୍ୟମରେ କିଛି ଲୋକଙ୍କ ଜୀବନ କିପରି ସଜାଡ଼ି ହୋଇପାରିଛି, ସେହି ବିଷୟରେ ଶ୍ରୀ ଶର୍ମା ଆଲେଚନା କରିଥିଲେ। ବାଂଲାଦେଶର ଜାତୀୟ ପ୍ରସାରଣ ସଂସ୍ଥାର ନିର୍ଦ୍ଦେଶକ ଡ. ମୀର ଶାହା ଆଲମ୍‌ ରେଡିଓ ମାଧ୍ୟମରେ ଅନେକ ଅନୁଷ୍ଠନ ପରସ୍ପର ସହିତ କିପରି ସାମିଲ ଅଛନ୍ତି, ସେହି ବିଷୟରେ ଆଲୋଚନା କରିଥିଲେ।

ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଏହାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବେତାର ବାଣୀ ପତ୍ରିକାର ଉନ୍ମୋଚିତ ହୋଇଥିଲା। ମେଳାରେ ଆମେରିକା ଜାତୀୟ ପ୍ରସାରଣ ନିଗମ ଭଏସ ଅଫ୍‌ ଆମେରିକା, ଜାପାନର ଏନ୍‌ଏଚ୍‌ କେ ଓ୍ଵାର୍ଲ୍ଡ, ଚାଇନାର ରେଡିଓ ଇଣ୍ଟରନ୍ୟାସନାଲ ଓ ବାଂଲାଦେଶ ବେତାର ପରି ବିଭନ୍ନ ଷ୍ଟଲ୍‌ମାନ ପଡ଼ିଛି। ଏହା ଦୁଇ ଦିନ ଧରି ଚାଲିବ।

ସମ୍ବନ୍ଧିତ ଖବର