ଝାରପଡ଼ାରେ ନକଲି ସାନିଟାଇଜର କାରଖାନାରେ ଚଢ଼ଉ, ୧୦ ପେଟି ହ୍ୟାଣ୍ଡୱାସ୍ ଜବତ

ଭୁବନେଶ୍ବର : ଝାରପଡ଼ାରେ ବେଆଇନ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ପ୍ରସ୍ତୁତ କରୁଥିବା କାରଖାନା ଉପରେ ଆଜି ଡ୍ରଗ୍‌ସ କ‌ଣ୍ଟ୍ରୋଲର ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି। ସେଠାରୁ ୧୦ ପେଟି ହ୍ୟାଣ୍ଡୱାସ୍‌ ଜବତ କରାଯାଇଥିବା ବେଳେ ସାନିଟାଇଜର ପୂର୍ବରୁ ବିକ୍ରି ହୋଇସାରିଥିବା ସୂଚନା ମିଳିଛି। ଭୁବନେଶ୍ବର ରେଞ୍ଜର ୩ ଡ୍ରଗ୍ସ ଇନ୍‌ସ୍ପେକ୍ଟର (ଡିଆଇ) ଓ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ ହୋଇଥିଲା। ସାନିଟାଇଜର ପ୍ରସ୍ତୁତି ପାଇଁ ଡ୍ରଗ୍‌ସ ଓ କସମେଟିକ୍ସ ଆଇନ ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ନିକଟରେ ଲାଇସେନ୍ସ ନ ଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା। ପୂର୍ବରୁ ସଂପୃକ୍ତ ବ୍ୟବସାୟୀ ସାନିଟାଇଜରକୁ ବିକ୍ରି କରି ସାରିଥିବା ଏହାର କେବଳ ଲେବ୍‌ଲ ଗୁଡ଼ିକ ସେଠାରେ ପଡ଼ି ରହିଥିଲା। ଆଜି ଦିନଭରି ସେଠାରେ ଚଢ଼ଉ ହୋଇଥିଲା। ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, କିଛିଦିନ ହେବ ସେଠାରେ ଏଭଳି ବେଆଇନ ଭାବେ ସାନିଟାଇଜର ଓ ହ୍ୟାଣ୍ଡୱାସ୍‌ ନିର୍ମାଣ ଚାଲିଥିଲା। ହ୍ୟାଣ୍ଡୱାସ୍‌ର ସମସ୍ତ ସାମଗ୍ରୀ ଯାଞ୍ଚ ସମୟରେ ଧରା ପଡ଼ିଥିଲା। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଡ୍ରଗ୍‌ସ ଓ କସମେଣ୍ଟିକ୍ ଆଇନ ଅନୁଯାୟୀ ସଂପୃକ୍ତ ବ୍ୟବସାୟୀ ଅନୁମତି ନ ନେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଡିଆଇ ସୁଦର୍ଶନ ବିଶ୍ବାଳ, ଚନ୍ଦନ ଗିରି ଓ ପ୍ରବେଶ କୁମାର ଲେଙ୍କା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର