ଝାରପଡ଼ା ଜେଲରେ ଚଢ଼ଉ: ଜବତ ହେଲା ସିମକାର୍ଡ, ଟଙ୍କା, ଗଞ୍ଜେଇ, ସିଗାରେଟ, ବିଡି, ଗୁଟଖା, ଖଇନି ଆଦି ଜବତ

ଭୁବନେଶ୍ବର: ଆଜି କମିସନରେଟ ପୁଲିସ ପକ୍ଷରୁ ଝାରପଡ଼ା ସ୍ବତନ୍ତ୍ର ଜେଲ ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଜେଲ୍ ଭିତରକୁ ବେଆଇନ ଭାବେ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ଜିନିଷପତ୍ର ଚାଲାଣ ହେଉଥିବା ଜଣାପଡ଼ିଛି। ଜେଲର ବିଭିନ୍ନ ୱାର୍ଡରୁ ୨ ହଜାର ପାଖାପାଖି ଟଙ୍କା, ଗୋଟିଏ ଭୋଡ଼‌ାଫ‌ୋନ ସିମକାର୍ଡ, ଗଞ୍ଜେଇ, ସିଗାରେଟ, ବିଡି, ଗୁଟଖା, ଖଇନି, ଷ୍ଟାପଲର, ଲାଇଟର, ଚିଲମ, ହାପିଡେଣ୍ଟ ଚୁଇଁଗମ୍‌, ଅଶ୍ଳୀଳ ପୁସ୍ତକ ଆଦି ଜବତ କରାଯାଇଛି। ଜେଲ୍‌ ଭିତରୁ ଏସବୁ ଜିନିଷ ଜବତ ହେବା ସମ୍ପର୍କରେ କମିସନରେଟ ପୁଲିସ ପକ୍ଷରୁ ଜେଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଅବଗତ କରାଯିବ। ଏହା ପରେ ଜେଲ ବିଭାଗ ପକ୍ଷରୁ ଝାରପଡ଼ା ଜେଲ୍ କତୃର୍ପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନ ଆୟୋଗଙ୍କ ନିର୍ଦେଶ ମୁତାବକ ଏହି ଚଢ଼ଉ କରାଯାଇଥିଲା। ଜେଲ ଭିତରେ ଥିବା କେତେକ ଦୁର୍ଦାନ୍ତ ଅପରାଧୀ ଜେଲ ବାହାରେ ଥିବା ସେମାନଙ୍କ ନେଟୱର୍କ(ବାହାରେ ଥିବା ଅପରାଧୀଙ୍କୁ) ପ୍ରଭାବିତ କରି ନିର୍ବାଚନ ବେ‌ଳେ ବିଶୃଙ୍ଖଳା ଘଟାଇବାର ଆଶଙ୍କା ରହିଛି। ତେଣୁ ଜେଲଗୁଡିକରେ ଏଭଳି ଚଢ଼ଉ କରାଯାଇଥିଲା। କିଛି ଦିନ ତଳେ ଚୌଦ୍ବାର ସ୍ବତନ୍ତ୍ର ଜେଲରେ ଚଢ଼ଉ କରାଯାଇଥିଲା। ଝାରପଡ଼ା ଜେଲରେ ଚଢ଼ଉ ପାଇଁ ଦୁଇ ଦିନ ତଳୁ ଯୋଜନା ହୋଇଥିଲା ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଦୁଇ ଘଣ୍ଟା କାଳ ହୋଇଥିବା ଏହି ଚଢ଼ଉରେ କମିସନରେଟ ପୁଲିସର ଏକାଧିକ ଇନ୍ସପେକ୍ଟର ଓ ଏସିପିମାନେ ଯୋଗ ଦେଇଥିଲେ।

ଜାମର୍‌ ଆଜି ବି କାମ କରୁ ନ ଥିଲା
ଝାରପଡ଼ା ଜେଲରେ ମୋବାଇଲ ଜାମର୍‌ ଲାଗିଛି। ଏହାର ଆଖପାଖରେ କୌଣସି ମୋବାଇଲ ଫୋନ ନେଟୱର୍କ କାମ କରିବ ନାହିଁ। କିନ୍ତୁ ତାହା କେବଳ ଡାହା ମିଛ ବୋଲି ଆଜି ପ୍ରମାଣିତ ହୋଇଛି। ଆଜି ଜେଲ ଭିତରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ ଚାଲିଥିଲା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଫାଟକ ବାହାରେ ଆପେକ୍ଷା କରିଥିଲେ। ଏତିକିବେଳେ କେତେକ ଗଣମାଧ୍ୟମ ପ୍ରତିନିଧି ଇନ୍ସପେକ୍ଟରମାନଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ବୁଝିବା ବେଳେ ସେମାନେ ଜେଲ ଭିତରେ ଥାଇ ମଧ୍ୟ ଫୋନ୍ ଉଠାଇ ବେଶ ଆରାମରେ କଥା ହେଉଥିଲେ। ଏହାଛଡ଼ା ଆଜି ଜେଲ ଭିତରୁ ମଧ୍ୟ ଏକ ସିମ କାର୍ଡ ଜବତ ହୋଇଛି। ଯାହା ଜେଲ ବିଭାଗର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଚଢ଼ଉକୁ ଗୋପନୀୟ ରଖିଲେ ଡିସିପି

ଦୁଇ ଦିନ ତଳେ ପୁଲିସ କମିସନର ଶ୍ରୀ ମହାନ୍ତି ଝାରପଡ଼ା ଜେଲ ଉପରେ ଅଚାନନ ଚଢ଼ଉ କରିବାକୁ ଡିସିପି ଅନୁପ ସାହୁଙ୍କୁ ନିର୍ଦେଶ ଦେଇଥିଲେ। ଡିସିପି ଶ୍ରୀ ସାହୁ ଏହି ଅପରେସନ୍‌କୁ ଗୁପ୍ତ ରଖିବାକୁ ଚାହିଁଥିଲେ। ଏପରିକି ଭୁବନେଶ୍ବରର ଇନ୍ସପେକ୍ଟରମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇ ନ ଥିଲା। ଆଜି ସକାଳ ୮ଟାରେ ଯେତେବେ‌ଳେ ଗ୍ରୁପ କଲ ହେଲା, ଡିସିପି ତାଙ୍କ ପସନ୍ଦର କେତେକ ଥାନା ଇନ୍ସପେକ୍ଟର ଓ ଏସିପିଙ୍କୁ ଏଜି ଛକରେ ଥିବା ଟ୍ରାଫିକ ଛକକୁ ଡକାଇଥିଲେ। ସକାଳ ୯ଟା ସୁଦ୍ଧା ସମସ୍ତ ଇନ୍ସପେକ୍ଟର ଓ ଏସିପି ଏଜି ଛକରେ ପହଞ୍ଚି ଗଲେ। କିନ୍ତୁ ସେଠାରେ ଡିସିପିଙ୍କ ଦେଖା ନ ଥିଲା। ଏହା ପରେ ଡିସିପି ଥାନା ଇନ୍ସପେକ୍ଟର ଓ ଏସିପିମାନଙ୍କୁ କହିଥିଲେ ତୁରନ୍ତ ଝାରପଡ଼ା ଜେଲ ନିକଟରେ ପହଞ୍ଚ। ସମସ୍ତେ ସେଠାରେ ପହଞ୍ଚିଲା ବେଳକୁ ଡିସିପି ଶ୍ରୀ ସାହୁ, ଡିସିପି କମିସନରେଟ ପୁଲିସ ମୁଖ୍ୟାଳୟ ପଦ୍ମିନୀ ସାହୁ, ଏଡିଏମ ପ୍ରମୁଖ ଜେଲରେ ପହଞ୍ଚି ଚଢ଼ଉ ସମ୍ପର୍କ‌‌‌‌‌ରେ ଜେଲ୍‌ କତୃର୍ପକ୍ଷଙ୍କ ସହ ଆଲୋଚନା କରି ସାରିଥିଲେ। ଏହାରି ମଧ୍ୟରେ ପୁଲିସ ସଦଳବଳ ହୋଇ ଜେଲ ଫାଟକ ନିକଟରେ ପହଞ୍ଚି ସାରିଥିଲେ। ଏଭଳି ଚଢ଼ଉ ସମ୍ପର୍କରେ କେହି କିଛି ସୁରାକ୍ ପାଇ ପାରିନଥିଲେ।

କଲ ଡିଟେଲ୍ସ ଯାଞ୍ଚ କଲା ପୁଲିସ
ଜେଲ ବିଭାଗ ପକ୍ଷରୁ ବିଚାରଧୀନ କଏଦୀ ଓ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଫୋନ୍ କରିବା(ଲ୍ୟାଣ୍ଡ ଲାଇନ ମାଧ୍ୟମରେ)କୁ ଅନୁମତି ପ୍ରଦାନ କରାଯାଇଛି। ଏହାର ଫାଇଦା ଉଠାଇ ଜେଲରେ ଥିବା କଏଦୀମାନେ ଜେଲ ବାହାରେ ଥିବା ଅପରାଧୀମାନଙ୍କ ସହ ଯୋଗାଯୋଗରେ ମଧ୍ୟ ରହୁଛନ୍ତି। ଏପରିକି ଏହି ଫୋନ୍ ମାଧ୍ୟମରେ ମଧ୍ୟ ବିଭିନ୍ନ ସ୍ଥାନକୁ ଦାଦାବଟି, ହତ୍ୟା ଧମକ ଭଳି କଲ୍ ଯିବାର ଆଶଙ୍କା ରହିଛି। ତେଣୁ ଏହି ବିଚାରଧୀନ ଓ ଦଣ୍ଡ ଭୋଗୁଥିବା କଏଦୀମାନେ କାହା କାହା ସହ ଯୋଗାଯୋଗାରେ ଅଛନ୍ତି, ତାହା ଜାଣିବା ଲାଗି କମିସନରେଟ ପୁଲିସ ଜେଲ ବିଭାଗର ରେଜିଷ୍ଟର ଜବତ କରିଛି। ବିଶେଷକରି ଦୁର୍ଦାନ୍ତ ଅପରାଧୀ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଥିବା ଅପରାଧୀମାନଙ୍କ ଫୋନ କଲ ଉପରେ ପୁଲିସ ନଜର ପକାଇଛି। ଗୋଲଡେନ୍‌ ବାବାକୁ ଦେଖିବାକୁ ନେଇ ଚର୍ଚା ଠକେଇ ମାମଲାରେ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରିଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଂଜନ ବେଉରାକୁ ଆଜି ଦେଖିବାକୁ ଜେଲ ଭିତରେ ପୁଲିସ ଉତ୍ସୁକତା ବଢ଼ି ଯାଇଥିଲା। କାରଣ ଗୋଲଡେନ୍‌ ବାବାଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚା। ରାଜଧାନୀରେ ନୂଆ କରି ଯୋଗ ଦେଇଥିବା ଇନ୍ସପେକ୍ଟରମାନେ ଆଜି ଚଢ଼ଉରେ ଗଲା ବେଳେ ଗୋଲଡେନ୍‌ ବାବାଙ୍କୁ ଦେଖିବାକୁ ଚାହିଁଥିଲେ। ଚଢ଼ଉ ବେଳେ ଗୋଲଡେନ୍‌ ବାବା ବରା ଓ ଆଳୁଦମ୍‌ ଖାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର