ଫାଇରିଂ ରେଞ୍ଜରୁ ଗୁଳିବାଜି ରେଳ ଇଂଜିନିୟର ଗୁରୁତର

ଚନ୍ଦ୍ରଶେଖରପୁର/ବାରଙ୍ଗ: ନରାଜ ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ଫାଇରିଂ ରେଞ୍ଜ୍େର ଅଭ୍ୟାସ ବେଳେ ଜଣେ ରେଲ୍‌ୱେ ଇଂଜିନିୟର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଇଂଜିନିୟର୍‌ ଜଣଙ୍କ ଆଜି ସକାଳେ ରେଳ ଧାରଣାରେ କାମ କରୁଥିବା ବେଳେ ଏହି ଘଟଣା ଘଟିଛି। ରେଞ୍ଜ୍‌ରୁ ଏକ ଗୁଳି ଲକ୍ଷହୀନ ଭାବେ ଆସି ଇଂଜିନିୟରଙ୍କ ହାତରେ ବାଜିଥିଲା। ସେ ହେଲେ ସୂର୍ଯ୍ୟପ୍ରତାପ ପାଲ୍‌(୩୮)। ଗୁଳିଟି ଶ୍ରୀ ପ୍ରତାପଙ୍କ କାନମୁଣ୍ଡା ନିକଟରେ ଖସି ଡାହାଣ ହାତରେ ବାଜିଥିଲା। ନିକଟର ଥିବା ଅନ୍ୟ ସହଯୋଗୀମାନେ ଏ ସଂପର୍କରେ ଜିଆର୍‌ପିକୁ ସୂଚନା ଦେଇଥିଲେ। ପରେ ତାଙ୍କୁ ରେଲ୍‌ୱେ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ତେବେ ପୁଲିସ୍ ଏ ସଂପର୍କରେ ଜାଣିବାପରେ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରିକି ପୁଲିସ ମଞ୍ଚେଶ୍ବର ରେଲ୍‌ୱେ ହସ୍ପିଟାଲ୍ ଭିତରକୁ କାହାକୁ ଛାଡ଼ି ନଥିଲା ବୋଲି କିଛି ରେଳ କର୍ମଚାରୀ କହିଛନ୍ତି। ଏ ନେଇ ହସ୍ପିଟାଲ୍ ମୁଖ୍ୟ ଫାଟକ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ନରାଜ ଫାଣ୍ଡି କିମ୍ବା ବାରଙ୍ଗ ଥାନାରେ ଏନେଇ କୌଣସି ପ୍ରକାର ମାମଲା ରୁଜୁ କରାଇ ନଦେବା ପାଇଁ ଜାଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ତାଗିଦ୍ ଥିବା ରେଳ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଫାଇରିଂ ରେଞ୍ଜ ଅଞ୍ଚଳରେ ଏପରି ଘଟଣା ନୂଆ ନୁହେଁ। ପ୍ରଶିକ୍ଷଣ ବେଳେ ଗୁଳି ଲକ୍ଷହୀନ ହୋଇ ମୁଣ୍ଡଳି ପାହାଡ଼ ଉପର ରେଳଧାରଣାକୁ ଚାଲି ଆସିବାର ଉଦାହରଣ ରହିଛି। ତେବେ ଏହି ଘଟଣା ପରେ ରେଳ ଲାଇନ୍‌ରେ ମରାମତି କରିବା ବିପଜ୍ଜନକ ବୋଲି ରେଳ କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର