ଭୁଶୁଡ଼ିଲା ୫୦ଫୁଟ୍‌ର ରେଲେଓ୍ଵ ପାଚେରି

କାର୍‌ ଭାଙ୍ଗି ଚୂର୍‌ମାର୍‌, ବଡ଼ ଧରଣର ଅଘଟଣ ଟଳିଲା

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ରଂଗମାଟିଆ ଗ୍ରାମ ପାଖ ପାଚେରି ସଂଧ୍ୟାରେ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ନିକଟରେ ଥିବା ଏକ କାର୍‌ (ଓଡି ୦୨-ଏଫ୍‌-୮୦୫୧) ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଛି। ତେବେ ଏହି ଘଟଣା ବେଳେ ପାଚେରି ନିକଟରେ କେହି ନଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି। ଘଟଣା ଅନୁଯାୟୀ ଉକ୍ତ ସ୍ଥାନଟି ଖାଲୁଆ ହୋଇଥିବାରୁ ପୂର୍ବରୁ ମଧ୍ୟ ଦୁଇଥର ଏଠାରେ ପାଚେରୀ ଭୁଶୁଡ଼ିଥିଲା। ତେବେ ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ପାଚେରି କାନ୍ଥ ରାସ୍ତା ପଟକୁ ଅଣେଇ ହୋଇ ପଡ଼ିଥିଲା। ଆଜି ଝିପିଝିପି ବର୍ଷା ହେଉଥିବା ବେଳେ ହଠାତ୍‌ ୫୦ଫୁଟ୍‌ ଲମ୍ବର ପାଚେରି ଭାଙ୍ଗିପଡ଼ିଥିଲା। ଯାହାକୁ ନେଇ ଗ୍ରାମବାସୀ ରେଳସୁରକ୍ଷା ବଳ ଓ ପୁଲିସଙ୍କୁ ସୂଚନା ଦେବାରୁ ପୁଲିସ୍‌ ରାତିରେ ଆସି ଘଟଣାସ୍ଥଳରେ ପହରା ଦେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେହି ବାଟ ଦେଇ ମଞ୍ଚେଶ୍ୱର ରେଲେଓ୍ଵ କାରଖାନାର ନିଷ୍କାସିତ ଜଳ ରଂଗମାଟିଆ ଗ୍ରାମ ବାଟ ଦେଇ ଯାଉଥିବା ବେଳେ ପାଚେରି ନିକଟରେ ଜଳ ନିଷ୍କାସନ ନିମନ୍ତେ କୌଣସି ଡ୍ରେନ୍‌ ନିର୍ମାଣ କରାଯାଉନାହିଁ। ଫଳରେ କାନ୍ଥ ସନ୍ତେଇ ପାଣି ରାସ୍ତା ଉପରକୁ ବାହାରି ଥାଏ। ଯେଉଁ କାରଣରୁ ପାଚେରି ଭାଙ୍ଗିବା ଘଟଣା ନୂଆ ନୁହେଁ। ମାତ୍ର ଏହା ବିପଦପୂର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର