ବର୍ଷା ନା ଆଉ କିଛି

ସ୍ୱାୟତ୍ତ ଶାସନ ଦିବସ କାହିଁକି ନିରାଡ଼ମ୍ବର ହେବ?

ଭୁବନେଶ୍ୱର: ନିର୍ବାଚନୀ ବର୍ଷରେ ବିଏମ୍‌ସି ସ୍ୱାୟତ୍ତ ଶାସନ ଦିବସ ନିରାଡ଼ମ୍ବର ସହକାରେ ପାଳନ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଚକିତ କରିଛି। ଅନ୍ୟ ବର୍ଷଗୁଡ଼ିକରେ ସ୍ୱାୟତ୍ତ ଶାସନ ଦିବସରେ ମାଳମାଳ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରୁଥିବା ବିଏମ୍‌ସି ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷରେ କାହିଁକି ପଛଘୁଞ୍ଚା ଦେଲା ସେନେଇ ଅନେକ ପ୍ରଶ୍ନ ଉଠିଲାଣି। ରାଜଧାନୀ ଭୋଟର୍‌ଙ୍କୁ ଆକୃଷ୍ଟ କରିବାର ସବୁଠୁ ଭଲ ଏବଂ ସହଜ ଉପାୟକୁ ଛାଡ଼ି ଦେବାର କାରଣ କ’ଣ ହୋଇପାରେ ବୋଲି ଏବେ ସବୁଠି ଚର୍ଚ୍ଚା। ଚଳିତବର୍ଷ ଅଗଷ୍ଟ ୩୧ ତାରିଖରେ ବିଏମ୍‌ସି ସ୍ୱାୟତ୍ତ ଶାସନ ଦିବସ ନିରାଡ଼ମ୍ବର ସହକାରେ ପାଳନ କରିବା ନେଇ କାରଣ ଦର୍ଶାଇଛି ଯେ, ଜୁଲାଇ ମାସରେ ହୋଇଥିବା ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ ହେଲା। ଲୋକଙ୍କ ଘରେ ପାଣି ପଶିଲା। ଏବେବି ସ୍ଥିତି ନିୟନ୍ତ୍ରଣ ହୋଇନି। ଲୋକମାନେ ଅସୁବିଧାରେ ଥିବାବେଳେ ବିଏମ୍‌ସି ଆଡ଼ମ୍ବର ସହକାରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରିବା ଠିକ୍‌ ହେବନି। ସ୍ୱାୟତ୍ତ ଶାସନ ଦିବସ ନେଇ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷମାନଙ୍କୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ସମସ୍ତେ ସ୍ୱାୟତ୍ତ ଶାସନ ଦିବସ ନିରାଡ଼ମ୍ବର ସହକାରେ ପାଳନ କରିବାକୁ ମତ ଦେବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମେୟର କହିଛନ୍ତି। ବିଏମ୍‌ସି ଏହି ଯୁକ୍ତି ବାଢ଼ୁଥିବାବେଳେ ଏହା ପଛରେ ଅନେକ କାରଣ ଥିବା ଜଣାପଡ଼ିଛି।

ପ୍ରଥମ କାରଣ: ନିର୍ବାଚନୀ ବର୍ଷରେ ରାଜଧାନୀବାସୀଙ୍କୁ ଭେଟି ଦେବା ଭଳି କୌଣସି ବଡ଼ ପ୍ରକଳ୍ପ ବିଏମ୍‌ସି ନିକଟରେ ନାହିଁ। କୌଣସି ଏମିତି ପ୍ରକଳ୍ପ ନିର୍ମାଣ ହୋଇନି ଯାହାକୁ ଉଦ୍‌ଘାଟନ କଲେ ରାଜଧାନୀବାସୀ କହିବେ ଯାହା ହେଉ ବିଏମ୍‌ସି କିଛି କରିଛି। ଏବେ ସ୍ମାର୍ଟ ସିଟି ଯୋଜନାରେ ସମସ୍ତେ ମାତିଥିବାରୁ ରାଜଧାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଏବଂ ଆଖିଦୃଶିଆ ପ୍ରକଳ୍ପ ଏହି ଯୋଜନାରେ ହେଉଛି। ତେଣୁ ନିର୍ବାଚନୀ ବର୍ଷରେ ବିଏମ୍‌ସି ଉଦ୍‌ଘାଟନ କମ୍‌ ଶିଳାନ୍ୟାସ ଅଧିକ କଲେ କର୍ପୋରେଟର୍‌ମାନେ ସମାଲୋଚନାର ଶିକାର ହେବେ। କୌଣସି କର୍ପୋରେଟର ନିର୍ବାଚନୀ ବର୍ଷରେ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚାହିଁଲେନି। ସମସ୍ତେ ବିଏମ୍‌ସିରେ ଦାବି କଲେ ଏମିତି କିଛି ପ୍ରକଳ୍ପ କର ଯାହା ତୁରନ୍ତ ଉଦ୍‌ଘାଟନ ହୋଇପାରିବ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ହୋଇପାରିବନି ବୋଲି କହିଲେ।

ଦ୍ୱିତୀୟ କାରଣ: ବିଏମ୍‌ସିର ବଜେଟ୍‌ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅର୍ଥ ନଥିବାରୁ ଯଦି କୌଣସି ପ୍ରକଳ୍ପ ଶିଳାନ୍ୟାସ ହୁଏ ତାହାକୁ ତୁରନ୍ତ ଆରମ୍ଭ କରିହେବନି। ଚଳିତବର୍ଷ ଓ୍ଵାର୍ଡ ବଜେଟ୍‌ ୫୦ଲକ୍ଷ ଟଙ୍କାକୁ କମାଇ ଦିଆଯାଇଥିବାବେଳେ ଏ ପର୍ଯ୍ୟନ୍ତ ଏହାର ଖର୍ଚ୍ଚ ତାଲିକା ପ୍ରସ୍ତୁତ ହୋଇନି। ନଗର ଉନ୍ନୟନ ବିଭାଗ କହିଛି ଯେ, କେଉଁ ଓ୍ଵାର୍ଡରେ କେତେ ଅର୍ଥ କ’ଣ ପାଇଁ ଖର୍ଚ୍ଚ ହେବ ତାହାର ସବିଶେଷ ତାଲିକା ଦିଅ। ତା’ପରେ ଯାଇ ବଜେଟ୍‌ ଅନୁମୋଦନ ହେବ। ବିଏମ୍‌ସି କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ତାଲିକା ଦେଇପାରି ନଥିବାରୁ କେଉଁଠି କ’ଣ ପ୍ରକଳ୍ପ ହେବ ତାହା ସ୍ଥିର ହୋଇପାରିନି। କର୍ପୋରେଟର୍‌ମାନେ ବି ମାତ୍ର ୫୦ଲକ୍ଷ ଟଙ୍କାକୁ ବିଏମ୍‌ସି ଅଧିକାରୀଙ୍କ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିବାକୁ ଚାହୁଁ ନଥିବାରୁ ସ୍ୱାୟତ୍ତ ଶାସନ ଦିବସରେ କିଛି ନକରିବାକୁ ଠିକ୍‌ ଭାବିଛନ୍ତି।

ତୃତୀୟ କାରଣ: ଚଳିତବର୍ଷ ପ୍ରାୟ ୨୦ଟି ପାର୍କ ଉଦ୍‌ଘାଟନ ହେବାକୁ ଥିବାବେଳେ ଗୋଟିଏ ମଶାଣି, ୪ରୁ ୫ଟି ରାସ୍ତାରେ ଷ୍ଟ୍ରିଟ ଲାଇଟ୍‌ ପ୍ରକଳ୍ପ ଶେଷ ହୋଇଛି। ଗାଡ଼କଣରେ ନିର୍ମାଣ ହୋଇଥିବା ସ୍ଲଟର୍‌ ହାଉସ୍‌ ଗତବର୍ଷ ଉଦ୍‌ଘାଟନ ହୋଇଥିବାବେଳେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନି। ତେଣୁ ୟୁନିଟ-୪ ଏବଂ ଘାଟିକିଆରେ ନିର୍ମାଣ ହୋଇଥିବା ସ୍ଲଟର୍‌ ହାଉସ୍‌କୁ ଉଦ୍‌ଘାଟନ କରି ଲୋକ ହସା ହେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଚାହିଁଲେନି। ପାର୍କଗୁଡ଼ିକୁ ମଝିରେ ମଝିରେ ମେୟରଙ୍କ ଦ୍ୱାରା ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ଏହିସବୁ କାରଣ ସହ ସହମତ ନୁହେଁ ବୋଲି କହିଛନ୍ତି। ତାଙ୍କ କହିବାନୁଯାୟୀ, ଜୁଲାଇ ୨୧ରେ ହୋଇଥିବା ବଡ଼ ବର୍ଷା ପରେ ବିଏମ୍‌ସିର ମେୟର, କମିସନର୍‌ଙ୍କଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ, ଇଞ୍ଜିନିୟର ଜଳ ନିଷ୍କାସନ ବ୍ୟବସ୍ଥା ସଜାଡ଼ିବା, ମୁଖ୍ୟ ଡ୍ରେନ୍‌ ଉପରୁ ଜବରଦଖଲ ହଟାଇବାରେ ଲାଗିଛନ୍ତି। ସମସ୍ତ ଡ୍ରେନ୍‌ ସର୍ଭେ, ମରାମତି ଏବଂ ଜରୁରୀକାଳୀନ କାର୍ଯ୍ୟ ଚାଲିଛି। ଏଥିରେ ସମସ୍ତେ ବ୍ୟସ୍ତ ଥିବାରୁ ସ୍ୱାୟତ୍ତ ଶାସନ ଦିବସରେ କ’ଣ ଶିଳାନ୍ୟାସ ହେବ, ଉଦ୍‌ଘାଟନ ହେବାକୁ ଥିବା ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ନେଇ କୌଣସି ଯୋଜନା ହୋଇନାହିଁ। ତେଣୁ ବିନା ପ୍ରସ୍ତୁତିରେ ସ୍ୱାୟତ୍ତ ଶାସନ ଦିବରେ ଉଦ୍‌ଘାଟନୀ ଓ ଶିଳାନ୍ୟାସ ପର୍ବ କରିବାକୁ ଆମେ ଚାହିଁଲୁନି।

ସମ୍ବନ୍ଧିତ ଖବର