ଧାନ ‘ଗଜା’ ଭୟ ଘାରୁଛି

ବାଲିଅନ୍ତା: ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଅଦିନିଆ ବର୍ଷା ଅବପାତ ରୂପ ନେବା ପରେ ଏବେ ବାଲିଅନ୍ତା ବ୍ଲକ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଛନକା ପଶିଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମୌଜାରେ ପ୍ରାୟ ୩୦ ପ୍ରତିଶତ ଧାନ ଫସଲ କଟା ସରିଛି। ହେଲେ ବିଲରୁ କଟା ସରିଥିବା ଧାନ ବି ସୁରକ୍ଷିତ ଅବସ୍ଥାରେ ନାହିଁ । ଅନେକ ଜମିରେ ଚାଷୀ ମେସିନ୍‌ ସାହାଯ୍ୟରେ ଧାନ କାଟି ଅମଳ କରିଥିବା ବେଳେ ଆଉ କିଛି ଚାଷୀ ହାତରେ ଧାନକାଟି ବିଲରେ କଚଡ଼ା ପକାଇଛନ୍ତି। ୨୪ ଘଣ୍ଟା ଧରି ଝିପି ଝିପି ବର୍ଷା ଲାଗି ରହିବା ଫଳରେ ବିଲରେ ପଡ଼ିଥିବା କଚଡ଼ା ପାଣିରେ ଭିଜୁଛି। ଆଉ ଦୁଇ ତିନିଦିନ ଯଦି ବର୍ଷା ଲାଗି ରହେ ତାହେଲେ ପଡ଼ିଥିବା ଧାନ ଗଛରେ ଗଜା ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ବର୍ଷା ହେବାର ପୂର୍ବ ସୂଚନା ପାଇ ତରବରିଆ ଭାବେ ଚାଷୀ ଜମିର ହିଡ଼ ଓ ଢିପ ଜାଗାରେ ଗଦା କରିଥିବା ଧାନ ମଧ୍ୟ ନଷ୍ଟ ହୋଇଯାଇପାରେ ବୋଲି ଚାଷୀମାନେ କହିଛନ୍ତି। ଏପଟେ ବ୍ଲକ କୃଷି ବିଭାଗ ଓ ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ସେତେବେଳେ ଜିଲ୍ଲା ପ୍ରଶାସନକୁ ପ୍ରାୟ ୨୪ ଶହ ହେକ୍ଟର ଧାନ ଫସଲ କ୍ଷୟକ୍ଷତି ଘଟିଥିବା ନେଇ ଆକଳନ ରିପୋର୍ଟ ପ୍ରଦାନ କରାଯାଇଥିଲେ ହେଁ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏଯାଏ କ୍ଷତିପୂରଣ ମିଳି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ଆରମ୍ଭ ହୋଇଥିବା ବର୍ଷା ଚାଷୀଙ୍କର ଦୁଃଖକୁ ବଢ଼ାଇ ଦେଇଛି। ସେହିପରି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ହୋଇଥିବା ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଏ ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀଙ୍କ ମହଲରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର