ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବାବେଳେ ଦିନତମାମ୍ ଝିପିଝିପି ବର୍ଷା ଲାଗି ରହିଛି। କାଲୁଆ ପବନ ସାଙ୍ଗକୁ ବର୍ଷା ମାଡ଼ ରାଜଧାନୀବାସୀଙ୍କୁ ପୂରା ଅସ୍ତବ୍ୟସ୍ତ କରିଦେଇଛି। ଗତ କିଛିଦିନ ହେଲା ରାଜଧାନୀରେ ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ଲଘୁଚାପ ବର୍ଷା ଶୀତର ପ୍ରକୋପ ବଢ଼ାଇ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ରାଜଧାନୀରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୨୦.୬ଡିଗ୍ରି ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୯.୨ଡିଗ୍ରି ରହିଛି। ଯଦିଓ ସର୍ବନିମ୍ନ ତାପମାତ୍ରା ଗୁରୁବାର ତୁଳନାରେ ୬.୨ ଡିଗ୍ରି ବଢ଼ିଥିଲା କିନ୍ତୁ କାଲୁଆ ପବନ ଜନିତ ଶୀତ ରାଜଧାନୀବାସୀଙ୍କୁ ପୂରା କିଲିବିଲି କରିପକାଇଥିଲା। ଆଜି ଦିନତମାମ୍ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ରାତି ୧୧ଟା ସୁଦ୍ଧା ପ୍ରାୟ ୧୫ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦିନତମାମ୍ ବର୍ଷା ଲାଗି ରହିଥିବାରୁ ରାଜଧାନୀବାସୀଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିଲା। ଅଦିନିଆ ବର୍ଷାରେ ଲୋକଙ୍କର ଭିଜିବାକୁ ଇଚ୍ଛା ଥିଲେ ହେଁ ଥଣ୍ଡା ପବନ ଓ ଶୀତ ଏଥିରେ ବାଧକ ସାଜିଥିଲା। ଏପରିକି କେତେକ ଝିପିଝିପି ବର୍ଷାରେ ଭିଜିଭିଜି ନିଜ କର୍ମକ୍ଷେତ୍ରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଦିନତମାମ୍ ଝିପିଝିପି ବର୍ଷା ଲାଗି ରହିଥିବାରୁ ରାଜଧାନୀର କୌଣସି ସ୍ଥାନରେ ବି ପାଣି ଜମିଥିବା ଅଭିଯୋଗ ହୋଇନି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆହୁରି ଦୁଇ ଦିନ ବର୍ଷା ଲାଗି ରହିବ। ବର୍ଷା ସହ ୪୦ରୁ ୫୦କିମି ବେଗରେ ପବନ ବହିବାର ଥିବାରୁ ସର୍ବନିମ୍ନ ତାପମାତ୍ରା ଗତ କିଛି ଦିନ ତୁଳନାରେ ଅଧିକ ରହିଲେ ବି ଥଣ୍ଡା ଅନୁଭୂତ ହେବ। ଅପରପକ୍ଷେ ବର୍ଷା ଯୋଗୁଁ ରାଜଧାନୀ ଉପକଣ୍ଠରେ ଚାଷୀମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। କ୍ଷେତରୁ ଧାନ କଟା ହୋଇ ନଥିବାରୁ ଧାନ ନଷ୍ଟ ହେବା ସହ ଗଜା ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେତେକ ଶୀତ ଦିନିଆ ଫସଲରେ ପୋକ ଲାଗିବାର ଆଶଙ୍କାକୁ ଏଡ଼ାଇ ହେବନି ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି।