ଘଣ୍ଟାଏ ବର୍ଷାରେ ଉବୁଟୁବୁ : ଏତେ ଅଯୋଗ୍ୟ…ଅପାରଗ

ଜନ୍ମାଷ୍ଟମୀରେ ଇସ୍କନ ସାମ୍ନାରେ ଅଭାବନୀୟ ସ୍ଥିତି, ପାଣିରେ ବୁଡ଼ି ରହିଲେ ଶ୍ରଦ୍ଧାଳୁ, ସୁଅରେ ଭାସିଗଲା ଚପଲ, ବିଏମ୍‌ସି ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି

ଭୁବନେଶ୍ବର : ରାଜଧାନୀକୁ ସ୍ମାର୍ଟ କରିବାକୁ ଚିତ୍କାର କରୁଛନ୍ତି ବିଏମ୍‌ସିର ଅଧିକାରୀମାନେ। କିନ୍ତୁ ଏମ‌ାନେ ଏତେ ଅପରାଗ, ଏତେ ଅଯୋଗ୍ୟ ଯେ ଏମାନଙ୍କ ଉପରୁ ସହରବାସୀଙ୍କ ଆସ୍ଥା ତୁଟିଗଲାଣି। ମାତ୍ର ଘଣ୍ଟାଏ ବର୍ଷାରେ ଲୋକମାନେ ଏମିତି କଲବଲ ହେଲେ ଯେ ଏଠାରେ ପ୍ରଶାସନ ଥିଲା ପରି କେହି ଅନୁଭବ କ‌ରିପାରିଲେ ନାହିଁ। ଲୋକଙ୍କ ସମସ୍ୟା ପ୍ରତି ଅଧିକାରୀମାନେ ଆଖି ବୁଜି ଦେଇ ନିଜ ମର୍ଜିରେ କାମ କରିଚାଲିଛନ୍ତି। ଜଣଙ୍କ ପରେ ଜଣେ ଯୁବ ଅଫିସର୍‌ ଏଠାରେ କମିସନର୍‌ ହେଉଥିଲେ ବି ସହରର ମୌଳିକ ସମସ୍ୟାର ସମାଧାନ ପରିବର୍ତ୍ତେ କେବଳ ସ୍ବପ୍ନ ବିକିବାରେ ବ୍ୟସ୍ତ ରହୁଛନ୍ତି। ଫଳରେ ରାଜଧାନୀବାସୀ ଭାଗ୍ୟ ଉପରେ ଭରସା କରି ରହିବାକୁ ବାଧ୍ୟ ହେଉଛନ୍ତି।

ଆଜି ସକାଳ ୧୦ଟା ବେଳେ ମାତ୍ର ୪୫ ମିନିଟ୍‌ରୁ ଏକ ଘଣ୍ଟା ବର୍ଷା ହେଲା। ପୂରା ସହର କଲବଲ ହୋଇଗଲା। ଅଧିକାଂଶ ସ୍ଥାନ ଦୀର୍ଘ ସମୟ ଜଳବନ୍ଦୀ ହେଲା। ଫଳରେ ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗିଲେ। ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସିର ଅପାରଗତା ଯୋଗୁ ଜନ୍ମାଷ୍ଟମୀର ଆଧ୍ୟାତ୍ମିକ ପରିବେଶ ପୂରା ବିଗିଡ଼ିଗଲା।

ସବୁଠାରୁ ଦୟନୀୟ ଓ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଇସ୍କନ ସାମ୍ନାରେ। ଆଜି ଜନ୍ମାଷ୍ଟମୀ ଥିବାରୁ ସକାଳୁ ସକାଳୁ ଏଠାରେ ଲୋକଙ୍କ ଭିଡ଼ ଜମିଥିଲା। ବର୍ଷା ହେଲା ବେଳେ ଛାତ ତଳେ ଠିଆ ହେବାକୁ ଜାଗା ନ ଥିବାରୁ ସେମାନେ ଛତା ଧରି ଓଦା ହୋଇ ଧାଡ଼ିରେ ରହିଲେ। କାର୍ ଆଣି ଆସିଥିବା ଲୋକମାନେ ବର୍ଷାରୁ ରକ୍ଷା ପାଇବା ପାଇଁ କାର୍ ଭିତରକୁ ପଶିଗଲେ। କିନ୍ତୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ସେଠାରେ ସାଂଘାତିକ ସ୍ଥିତି ସୃଷ୍ଟି ହେଲା। ଶ୍ରଦ୍ଧାଳୁମାନେ ଅଣ୍ଟା‌ଏ ପାଣିରେ ବୁଡ଼ିକି ଠିଆ ହେଲେ। ମନ୍ଦିର ସାମ୍ନାରେ ରଖାଯାଇଥିବା ସବୁ ଚପଲ ସୁଅରେ ଭାସିଗଲା। ବହୁ ଉଚ୍ଚାର ପାଣି ଥିବାରୁ କାର୍‌, ମୋଟର୍‌ ସାଇକେଲ୍‌ ସବୁ ପାଣିରେ ବୁଡ଼ିଗଲା। କାର୍‌ ଭିତରେ ବର୍ଷାରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିବା ଲୋକମାନେ ନାକେଦମ୍ ହୋଇଗଲେ।

ବର୍ଷା ଛାଡ଼ିଗଲା ପ‌େର ଲୋକମାନେ ଆହୁରି କଲବଲ ହେଲେ। ପୂରା‌ ଓଦା ହୋଇଯାଇଥିବାରୁ ଘରକୁ ଯିବାକୁ ଚାହୁଁଥିଲେ ବି ଯାଇପାରିଲେ ନାହିଁ। କାରଣ ବର୍ଷା ଛାଡ଼ିଥିଲେ ମଧ୍ୟ ଜଳ ନିଷ୍କାସନ ହୋଇପାରି ନ ଥିଲା। ମୋଟର୍‌ ସାଇକେଲ୍‌ଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। କାର୍ ବି ଅଧାରୁ ଅଧିକ ବୁଡ଼ିଯାଇଥିଲା। ତେଣୁ ଲୋକମାନେ ସେଠାରୁ ବାହାରିପାରିଲେ ନାହିଁ। ଏ‌େଣତେଣେ ଦୌଡ଼ି ଚପଲ ଖୋଜିବାକୁ ଆରମ୍ଭ କଲେ। ଅଧିକାଂଶ ଲୋକ ଚପଲ ପାଇ ନ ଥିଲେ। ଯେଉଁ ଚପଲଗୁଡ଼ିକ ସେଠାରେ ଭାସୁଥି‌ଲା ଯିଏ ଯାହା ପାରିଲା ପିନ୍ଧିଦେଲା।

ଇସ୍କନ ସାମ୍ନାରେ ଜଳ ସମସ୍ୟା ଦୀର୍ଘ ବର୍ଷ ଧରି ହୋଇ ଆସୁଥିଲେ ବି ବିଏମ୍‌ସି ତାହାର ସମାଧାନର ବାଟ ବାହାର କରି ନ ପାରିବା‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମସ୍ୟା ସହରର ବାସ୍ତବ ଚିତ୍ରକୁ ଦୁନିଆକୁ ଦେଖାଇ ଦେଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ କିଛି କରିପାରିବେନି ବୋଲି ହାତ ଟେକିଦେଲା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ କରିବେ ବୋଲି ବାହାଦୁରି ମାରିଲେ। ଇସ୍କନ ସାମ୍ନାରେ ଉଚ୍ଛେଦ ମଧ୍ୟ ହେଲା। କିନ୍ତୁ ସ୍ଥିତି କିଛି ବଦଳିଲାନି। ୧୦ ବର୍ଷ ତଳେ ଇସ୍କନ ସାମ୍ନାରେ ଲୋକମାନେ ଯେମିତି ସମସ୍ୟାର ସାମ୍ନା କରୁଥିଲେ ଆଜି ଠିକ୍ ତାହା ହିଁ ହେଉଛି। ସହରକୁ ସ୍ମାର୍ଟ କରିବାକୁ ଛାତି ଫୁଲାଇ ଚିତ୍କାର କରୁଥିବା ଅଧିକାରୀମାନେ ଏହି ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବାଟ ନ ପାଇବା ଏମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଉଛି।

କେବଳ ଇସ୍କନ ସାମ୍ନାରେ ନୁହେଁ, ସହରର ବହୁ ସ୍ଥାନ ଜଳବନ୍ଦୀ ହୋଇଯାଇଥିଲା। ନୂ୍ଆପଲ୍ଲୀ ବେହେରା ସାହିର ରାସ୍ତାରେ ବି ପାଣି ଲହଡ଼ି ଭାଙ୍ଗୁଥିଲା। ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସୌଭାଗ୍ୟ ନଗର, ଜଗନ୍ନାଥ ନଗର ଆଦି ଅଞ୍ଚଳରେ ଲୋକମାନେ ଘରୁ ବାହାରି ପାରି ନ ଥିଲେ। ଆଜି ସ୍କୁଲ୍‌, କଲେଜ, ଅଫିସ୍‌ ଛୁଟି ଥିବାରୁ ଲୋକମାନେ ବୁଲାବୁଲି କରିବାକୁ ଯୋଜନା କରିଥିଲେ। କିନ୍ତୁ ବର୍ଷା ଆଉ ବିଏମ୍‌ସିର ଅପାରଗତା ଯୋଗୁ ସହରବାସୀଙ୍କ ଛୁଟି ବରବାଦ ହୋଇଗଲା।

ସଫେଇ ଦେଲା ବିଏମ୍‌ସି

ଘଣ୍ଟାଏ ବର୍ଷାରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସଫେଇ ଦିଆଯାଇଛି। କୁହାଯାଇଛି ଯେ ୩୭ଟି ଜଳବନ୍ଦୀ ସ୍ଥାନରେ ପୂର୍ବ ପ୍ରସ୍ତୁତି କରାଯାଇଥିବାରୁ ଜଳବନ୍ଦୀକୁ ଟାଳି ଦିଆଯାଇଛି। ୧୩ଟି ସବଜୋନ୍‌ ଦାୟିତ୍ୱରେ ଥିବା ପଦାଧିକାରୀ ଓ ସହଯୋଗୀ ନିଜ ଅଞ୍ଚଳ ବୁଲି ସମସ୍ୟାର ସମାଧାନ କରିଥିଲେ। ବମିଖାଲର ଦେବରାଜ ବିଦ୍ୟାପୀଠ ପଛରେ ଥିବା ୧୦ ନମ୍ବର ମୁଖ୍ୟ ଡ୍ରେନର କଲଭର୍ଟ ପାଖରେ ବର୍ଷ ଜଳ ଜନିତ ଜଳବନ୍ଦୀ ସମସ୍ୟ ସୃଷ୍ଟି ହୋଇଥିଲା। ପାଣି ଯିବା ବାଟରେ ଏକ କାଠଗଣ୍ଡି ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବିଏମ୍‌ସି ପକ୍ଷରୁ ଜେସିବି ଲଗାଯାଇ ଏହାକୁ ଅପସାରଣ କରାଯାଇଥିଲା। ଶାନ୍ତିପଲ୍ଲୀ ଓ ନବୀନ ବସ୍ତିରେ କୌଣସି ସମସ୍ୟା ଦେଖଯାଇ ନାହିଁ।

ମେ’ ଫେୟାର ଛକ ନିକଟସ୍ଥ ଜ୍ୟୋତ୍ସ୍ନା ଏନ୍‌କ୍ଲେଭ୍‌, ଜୟଦେବ ବିହାର ଅଞ୍ଚଳ, ଭୀମଟାଙ୍ଗୀ ଲେନ୍-୭, ଶାଶ୍ୱତ ବିହାର, ପାଇକ ନଗର ଲେନ୍-୨(ୱାର୍ଡ-୫୦), ୱାର୍ଡ-୪ର ହଂସପାଳ ଭୋଇସାହି, ରୁଦ୍ରପୁର ଓ ମହାଦେବ ନଗରରେ କୌଣସି ପ୍ରକାର ଜଳବନ୍ଦୀ ହୋଇ ନଥିବା କୁହାଯାଇଛି। ମହାଦେବ ନଗର ଓ ଜଗନ୍ନାଥ ନଗରରେ ଫାୟାର ପମ୍ପ ଜଳବନ୍ଦୀକୁ ରୋକିବାରେ ସମର୍ଥ ହୋଇଛି। ଇସ୍କନ ନିକଟବର୍ତୀ ଜାତୀୟ ରାଜପଥରେ ୧୦ଟା ୫୦ରୁ ୧୧ଟା ୫୦ ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସ ସହାୟତାରେ ଗମନାଗମନ ବନ୍ଦ କରି ଦିଆଯାଇଥିଲା। ରାଜଭବନ ଚତୁଃପାର୍ଶ୍ବ ବର୍ଷା ଜଳ ସାଧାରଣତଃ ଓୟୁଏଟିର ଫାର୍ମ ଗେଟ୍ ବସ୍ତି ଆଡକୁ ବହିଥାଏ। ତେବେ ଫାୟାର ପମ୍ପ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଅଞ୍ଚଳର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଫାର୍ମ ଗେଟ୍ ଅଞ୍ଚଳ(ଏରୋଡ୍ରମ ପାଚେରି ପାର୍ଶ୍ବ)ରେ ୫୦୦ ମିଟରର ଡ୍ରେନ୍ କାର୍ଯ୍ୟ ଚାଲୁ ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର