ସନ୍ଧ୍ୟାରୁ ବର୍ଷା ଆରମ୍ଭ : ବିଲରେ ବିତୁଛି ଦିନ ରାତି

ବାଲିପାଟଣା : ଆସୁଥିବା ଲଘୁଚାପ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଇଛି। ବର୍ଷକର କଷ୍ଟ ଅର୍ଜିତ ଧନର ସୁରକ୍ଷା ପାଇଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପାଚିଲା ଧାନକୁ ସୁରକ୍ଷିତ ରଖିବା ଲାଗି ଚାଷୀଭାଇମାନେ ଦିନରାତି ଏକ କରି ଦେଇଛନ୍ତି। ଖାଇବା ପିଇବା ଭୁଲି ବିଲରେ ଖଟି ଚାଲିଛନ୍ତି। ଆଜି ଦିନର କୋହଲା ପାଗ, ସନ୍ଧ୍ୟାରେ ଆରମ୍ଭ ହୋଇଥିବା ବର୍ଷା ଚାଷୀଙ୍କ ଛାତି ଥରେଇ ଦେଇଛି। ବଜାର, ଗାଁଗଣ୍ଡା, ବିଲ ସବୁଠି ବର୍ଷାକୁ ନେଇ ଚର୍ଚ୍ଚା। କେତେ ବର୍ଷା ହବ କିଭଳି ବର୍ଷା ହବ ସବୁଠି ସେହି ଆଲୋଚନା।

ଗତମାସ ୧୫ ଓ ୧୬ରେ ବାଲିପାଟଣା ବ୍ଲକରେ ୬୦ମିମିରୁ ଅଧିକ ଲଘୁଚାପ ବର୍ଷା ହୋଇଥିଲା।ବର୍ଷା ଫଳରେ ବ୍ୟାପକ ଫସଲ ନଷ୍ଟ ବି ହୋଇଥିଲା। ସରକାରୀ ରିପୋର୍ଟରେ ବ୍ଲକର ୮୫୦ହେକ୍ଟର ଚାଷ ଜମି ସହ ପ୍ରାୟ ୩ହଜାର ପାଖାପାଖି ଚାଷୀ ପ୍ରଭାବିତ ହୋଇଥିଲେ। ବିଲରୁ ଏବେ ବି ବର୍ଷା ପାଣି ଶୁଖି ନଥିବାରୁ ପାଚିଲା ଧାନ କଟାରେ ବିଳମ୍ବ ଘଟିଥିଲା। ଆସୁଥିବା ଲଘୁଚାପ ବର୍ଷା ଚାଷୀଙ୍କୁ ଘୋର ଚିନ୍ତାରେ ପକାଇଦେଇଛି। ବ୍ଲକର ପ୍ରାୟ ୭୫ପ୍ରତିଶତ ପାଚିଲା ଧାନ କଟାଯାଇ ନାହିଁ। ଆଉ କେଉଁଠି କିଏ ଧାନ କାଟି ବିଲରେ ପକାଇଛି ତ ଆଉ କିଏ ବିଲରେ ଗଦା କରିଛି। ସରକାର ମାଇକ୍‌ ଓ ଗଣମାଧ୍ୟମରେ ଯେତେ ପ୍ରଚାର କଲେ ବି ଚାଷୀଙ୍କ ମନ ବୁଝୁନି।

ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ଚାଷୀଙ୍କୁ ଚିନ୍ତାରେ ପକାଇଛି ଶ୍ରମିକଙ୍କ ଚିନ୍ତା। ଯଥେଷ୍ଟ ପରିମାଣର ଶ୍ରମିକ ମିଳୁ ନଥିବାରୁ ବିଲରୁ ପାଚିଲା ଧାନ ଖଳାକୁ ଆସିପାରୁ ନାହିଁ। ତେଣୁ ବିଲ ଏବେ ଖଳା ପାଲଟିଛି। ଚାଷୀ ବାଧ୍ୟ ହୋଇ ବିଲ ହିଡ଼ ଓ ଗହୀରର ଢିପ ଜାଗାରେ ହଳାକୁ ଗଦେଇଛନ୍ତି। ଗାରେଡ଼ିପାଞ୍ଚଣର ଭାଗଚାଷୀ ପ୍ରଭାକର ଭୋଇ (୭୦) କହିଛନ୍ତି ଆମ ଆଶା ଭରସା ସବୁ ତୁଟିଯାଇଛି। ସେରେ ବି ଧାନ ଘରକୁ ନେଇନୁ, ୮ଏକର ଧାନ ବିଲରେ ପଡ଼ିଛି। କିଛି ଧାନ ବାନ୍ଧି ହିଡ଼ରେ ଗଦେଇଛୁ। ସରାଟର ମାନିଆ ବେହେରା କହିଛନ୍ତି ଭାଗ ବିଲରୁ ଅଧା କାଟିଛି, ବର୍ଷା କଥା ଶୁଣି ହିଡ଼ରେ ଗଦା କରି ଜରି ପକାଇଛି। ସରାଟ ଶାସନର ରବି ଭୋଇ କହିଛନ୍ତି ବର୍ଷାରେ ପାଚିଲାଧାନ ସବୁ ନଷ୍ଟ ହୋଇଯିବ। ଲୁଣିପାଣି ମାଡ଼ରେ ଧାନ ଝଡ଼ିଯିବ,ତଳେ ପଡ଼ିଗଲେ ଗଜା ହେବ। ବର୍ଷା ଯଦି ଅଧିକ ହେଲା ତେବେ ଚାଷୀଙ୍କ ବହୁତ କ୍ଷତି ହେବ।

ସମ୍ବନ୍ଧିତ ଖବର