ଗାନ୍ଧୀ ବିଚାର ଶାଶ୍ୱତ ସନାତନ ଧର୍ମ ଉପରେ ପର୍ଯ୍ୟବସିତ

ରାଜକିଶୋର ନାୟକ ସ୍ମାରକୀ ବକ୍ତତାମାଳା

ଭୁବନେଶ୍ୱର : ଗାନ୍ଧୀ ବିଚାର ଶାଶ୍ୱତ ସନାତନ ଧର୍ମ ଉପରେ ପର୍ଯ୍ୟବସିତ। ଏହି ସନାତନ ଧର୍ମ ହଜାର ବର୍ଷ ପୂର୍ବରୁ ରହି ଆସିଛି। ମାତ୍ର ଗାନ୍ଧିଜୀ ହିଁ ସାରା ଜୀବନ ଏହି ତତ୍ତ୍ୱକୁ ସାର୍ବଭୌମତ୍ୱର କଲ୍ୟାଣ ପାଇଁ ପ୍ରୟୋଗ କରି ସମଗ୍ର ବିଶ୍ୱ ପାଇଁ ଆଦର୍ଶ ପାଲଟି ଯାଇଥିଲେ। ଆଜି ରାଜକିଶୋର ନାୟକ ନ୍ୟାସ୍‌ନାଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ୮ମ ସ୍ମାରକୀ ବକ୍ତତାମାଳାରେ ‘ଗାନ୍ଧୀ ମାର୍ଗର ଅବବୋଧ’ ଉପରେ ମତ ରଖି ଏକଥା କହିଛନ୍ତି ମିରଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ରବୀନ୍ଦ୍ର କୁମାର।

ଶ୍ରୀ କୁମାର ଆହୁରି କହିଲେ ଯେ ସଂପ୍ରତି ଭାରତ ଯେଉଁ ସ୍ଥିତି ଦେଇ ଗତି କରୁଛି ଏହି ସମୟରେ ଗାନ୍ଧୀ ବିଚାରଧାରା ବିଶ୍ଳେଷଣର ଆବଶ୍ୟକତା ରହିଛି। ଶୁଦ୍ଧ ରାଜନୈତିକ ମୂଲ୍ୟବୋଧ ଏବଂ ସମାଜ, ସଂସ୍କୃତି ଓ ଦେଶ ପାଇଁ ଗାନ୍ଧିଜୀ ଯେଭଳି ନିଜକୁ ସମର୍ପିତ କରିଥିଲେ ସେଇଭଳି ଭାବ ଓ ବ୍ୟକ୍ତିତ୍ୱର ଜାଗରଣ ନିତାନ୍ତ ଆବଶ୍ୟକ। ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତିର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଭିତ୍ତି ପ୍ରବନ୍ଧ ପାଠ କରି କହିଲେ, ପାଟକୁରା ଗାନ୍ଧୀ ରାଜକିଶୋର ନାୟକ ଆଚାର, ବିଚାରରେ ଥିଲେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତିତ୍ୱ। ସେଥିପାଇଁ ସେ ସବୁବେଳେ ଆଦର୍ଶ ଓ ଅନୁକରଣୀୟ ହୋଇ ରହିବେ। ସତ୍‌ସଂକଳ୍ପ ମଣିଷ ଭାବେ ନିଃସ୍ୱାର୍ଥପର ସେବାରେ ନିମଜ୍ଜିତ ରହିବା ସହ ଗୋମାତାଙ୍କୁ ପ୍ରାଧାନ୍ୟ ଦେଇ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଭାବେ ରାଜକିଶୋର ନିଜକୁ ପ୍ରତିଷ୍ଠା କରିପାରିଥିଲେ। ପୁଣି ସେ ଭାରତୀୟ ସଂସ୍କୃତିର ଉଦାହରଣ ଦେଇ କହିଲେ, ପାଶ୍ଚାତ୍ୟ ସଂସ୍କୃତିରେ ଅଭିମନ୍ତ୍ରିତ ହୋଇ ଆମେ ଏବେ ‘ୟୁଜ୍‌ ଆଣ୍ଡ୍‌ ଥ୍ରୋ’ରେ ଭାସି ଯାଇଛୁ। କିନ୍ତୁ ଆମେ ଭୁଲିଯିବା ଉଚିତ୍‌ ନୁହେଁ ଯେ, ଭାରତୀୟ ସଂସ୍କୃତି ହେଉଛି ‘ୟୁଜ୍‌ ଆଣ୍ଡ୍‌ ଗ୍ରୋ’ର ସଂସ୍କୃତି। ଏହା ହିଁ ଭାରତୀୟ ସଂସ୍କୃତିର ମହନୀୟତା ଓ ସ୍ୱତନ୍ତ୍ରତା ବୋଲି ସେ କହିଥିଲେ।

ସଭାରେ ଅଧ୍ୟକ୍ଷତା କରି ବିଶିଷ୍ଟ କବ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କହିଲେ, ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସବୁଠୁ ବଡ଼ ମଣିଷ। କିନ୍ତୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଏବେ ଗାନ୍ଧୀଙ୍କୁ ପାସୋରି ସାରିଲେଣି। ଏହି ଭୁଲ୍‌ ଅକ୍ଷମଣୀୟ। ବୁଦ୍ଧଙ୍କ ଦର୍ଶନ ଭଳି ଗାନ୍ଧୀ ଦର୍ଶନରୁ ସମାଜ ବିଚ୍ୟୁତ ହୋଇ ଚାଲିଛି। ସ୍ଥିତି ଏମିତି ହୋଇଛି ଯେ, ଗାନ୍ଧିଜୀଙ୍କ ଦର୍ଶନକୁୁ ବିଦେଶରେ ବେଶି ଏବଂ ଦେଶ ଭିତରେ କମ୍‌ ଲୋକ ଗ୍ରହଣ କରୁଛନ୍ତି। ତେଣୁ ଏବେ ବି ଗାନ୍ଧିଜୀଙ୍କ ଦର୍ଶନକୁ ବୁଝିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଫାଉଣ୍ଡେସନ୍‌ର ସଭାପତି ଭବାନୀ ଚରଣ ପଟ୍ଟନାୟକ ସ୍ୱର୍ଗତ ରାଜକିଶୋର ନାୟକଙ୍କ ତ୍ୟାଗପୂତ ସେବା ଏବଂ ବ୍ୟକ୍ତିଗତ ସମ୍ପର୍କ ଉପରେ ନିଜର ମତ ରଖିଥିଲେ। ପ୍ରାରମ୍ଭରେ ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯିବା ସହ ମହାତ୍ମା ଗାନ୍ଧୀ ଓ ରାଜକିଶୋର ନାୟକଙ୍କ ପ୍ରତିକୃତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ପ୍ରାରମ୍ଭରେ ପ୍ରତିଷ୍ଠାନର ସଦସ୍ୟ ନିରଂଜନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ବିମଳ ପ୍ରସାଦ ପରିଡ଼ାଙ୍କ ପରିଚାଳନାରେ ଆବାହନୀ ସଂଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୁଚେତା ପ୍ରିୟଦର୍ଶିନୀ ।

ସମ୍ବନ୍ଧିତ ଖବର