ରାଜାରାଣୀ ସଂଗୀତ ମହୋତ୍ସବ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ…

ପୁରୁଣା ଭୁବନେଶ୍ୱର: ପ୍ରସିଦ୍ଧ ରାଜାରାଣୀ ମନ୍ଦିରରେ ଆଜିଠାରୁ ଆରମ୍ଭ ‌ହୋଇଛି ରାଜାରାଣୀ ସଂଗୀତ ମହୋତ୍ସବ। ସନ୍ଧ୍ୟାର ପ୍ରଥମ ଆକର୍ଷଣ ଥିଲା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତ ଗାୟିକା ଅରୁଣା ସାଇରାମଙ୍କ କଣ୍ଠରେ ଓଡ଼ିଆ ଭଜନ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ…। ପରେ ଥକାମନ ଚାଲ ଯିବା ଚକାନୟନ ଦେଖିବା… ଉପସ୍ଥିତ ଶ୍ରୋତାଙ୍କୁ ବିଭୋର କରି‌ ଦେଇଥିଲା। ତାଙ୍କୁ ବେହେଲାରେ ବି ଆର ରାଓ, ମୃଦଙ୍ଗରେ କେ ବି ପ୍ରସାଦ ଏବଂ ଘଟମ୍‌ରେ ଏସ ବି ରମଣୀ ସହଯୋଗ କରିଥିଲେ। ସନ୍ଧ୍ୟାର ଦ୍ୱିତୀୟ ପ୍ରସ୍ତୁତ ଥିଲା ପ୍ରବୀଣ ଗଡ଼ଖିଣ୍ଡିଙ୍କ ଦ୍ୱାରା ବଂଶୀବାଦନ। ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ସ୍ବର ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ତାଙ୍କୁ ଏଥିରେ ସହଯୋଗ କରିଥିଲେ ପୁତ୍ର ସରଜ ଏବଂ ତବଲାରେ ଓଜାସ ଆଧ୍ୟା। ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଲ କୁମାର ଦେବ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ଡ. ବିଜୟ କୁମାର ଜେନା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ସଙ୍ଗୀତା ଗୋସାଇଁ ଏବଂ ଡ.ଭେଦୁଲା ରାମଲକ୍ଷ୍ମୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ତିନିଦିନ ଧରି ଚାଲିବ।

ସମ୍ବନ୍ଧିତ ଖବର