ରାଜାରାଣୀ ମନ୍ଦିର ପକ୍ଷୀଙ୍କ ପାଇଖାନା

ଭୁବନେଶ୍ବର: ମନ୍ଦିର ପାଲଟିଛି ପକ୍ଷୀଙ୍କ ପାଇଖାନା। ଦେବଦେବୀଙ୍କଠୁ ନେଇ ଦିଗପାଳ। ନର୍ତକୀଙ୍କଠୁ ନେଇ କାରୁକାର୍ଯ୍ୟ। ରାଜାରାଣୀ ମନ୍ଦିରର ଉପରୁ ତଳ ଯାଏଁ ପକ୍ଷୀଙ୍କ ମଳରେ ବିକୃତ ହୋଇଗଲାଣି। ଅଥଚ ଏସବୁକୁ ଦେଖି ବି ଅଣଦେଖା କରାଯାଉଛି। ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ଟିକେଟ୍‌ ବାବଦରେ ୨୫ ଟଙ୍କା ଓ ବିଦେଶୀମାନଙ୍କଠାରୁ ୩୦୦ ଟଙ୍କା ଆଦାୟ ହେଉଛି। ଅଥଚ ମନ୍ଦିରର ଏତାଦୃଶ ଅବସ୍ଥାକୁ ସୁଧାରିବା ପାଇଁ ସାମାନ୍ୟତମ ଦୃଷ୍ଟି ଦିଆଯାଉନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏହାର ରକ୍ଷଣାବେକ୍ଷଣ କରିବା ସହ ଟିକେଟ୍‌ ବାବଦରେ ଅର୍ଥ ଆଦାୟ କରୁଛି। ଅଥଚ ମନ୍ଦିର ପରିସରରେ ଘାସ ଗାଲିଚାକୁ ସଜାଡ଼ିବା ପାଇଁ ‌ଯେତିକି ଧ୍ୟାନ ଦିଆଯାଉଛି ମନ୍ଦିର ପ୍ରତି ସେତିକି ଧ୍ୟାନ ଦିଆଯାଇ ନାହିଁ। ମନ୍ଦିର ବାହାର ପାର୍ଶ୍ବରେ କିଛି ମୂର୍ତିର ମସ୍ତକ ଭାଙ୍ଗିଯାଇଛି। ଆଉ କାହାର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଭାଙ୍ଗିରୁଜି ଯାଇଛି। ଏହି ଅଧଭଙ୍ଗା ମୂର୍ତିକୁ ସଜାଡ଼ିବାକୁ ଗୁରୁତ୍ବ ଦିଆଯାଇ ନାହିଁ।

ପୁରୁଣା ଭୁବନେଶ୍ବର ମଧ୍ୟରେ ରହିଥିବା ପ୍ରାୟ ସମସ୍ତ ମନ୍ଦିରର କାରୁକାର୍ଯ୍ୟ ଉଚ୍ଚକୋଟୀର। ‌ଏସବୁ ଦେଖିବା ପାଇଁ ଟଙ୍କା ଖର୍ଚ କରିବାକୁ ପଡ଼େନାହିଁ। କିନ୍ତୁ ରାଜାରାଣୀ ମନ୍ଦିରକୁ ପ୍ରବେଶ ପାଇଁ ଟଙ୍କା ଗଣିବାକୁ ପଡ଼ୁଛି। ମନ୍ଦିରର ପରିଚାଳନା ପାଇଁ ଅର୍ଥ ଆଦାୟ ହେବାର ପ୍ରୟୋଜନ ରହିଛି। ଟିକେଟ୍‌ର ମୂଲ୍ୟ ୨୫ ଟଙ୍କା ରହିଥିବା ବେଳେ ଏହା ମଧ୍ୟରେ ଉପଭୋଗ କରିବା ଭଳି ସେପରି ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ଜଣେ ଏହା ମଧ୍ୟକୁ ପ୍ରବେଶ କଲେ, କେବଳ ପକ୍ଷୀଙ୍କ ମଳରେ ବୁଡ଼ି ରହିଥିବା ମନ୍ଦିର ଏବଂ ଘାସ ଗାଲିଚାକୁ ଉପଭୋଗ କରି ଫେରିବାକୁ ପଡ଼ିବ। ଏନେଇ ଐତିହାସିକ ଅମୀୟ ପଟ୍ଟନାୟକ କହିଛନ୍ତି, ବୈତାଳ ମନ୍ଦିର ଓ ରାଜାରାଣୀ ମନ୍ଦିରର ଗୁରୁତ୍ବ ଅନ୍ୟ ମନ୍ଦିରଠାରୁ ଭିନ୍ନ। ଏହା ଏକ ଶୂନ୍ୟମନ୍ଦିର। ଯେଉଁଠି ପ୍ରତ୍ନତାତ୍ତ୍ବିକ ଦିଗ ସହ ସାଂସ୍କୃତିକ ସମ୍ବନ୍ଧ ମଧ୍ୟ ରହିଛି। ତେଣୁ ଚଢ଼େଇମାନେ ଯଦି ସେଠାରେ ମଳତ୍ୟାଗ କରୁଛନ୍ତି ତେବେ ସେସବୁକୁ ସଫା କରିବା ମଧ୍ୟ ଏଏସ୍‌ଆଇର ଦାୟିତ୍ବ। ଏହାର ପରିସର ବ୍ୟାପକ ଥିବାରୁ ଏହା ମଧ୍ୟରେ ସଂଗ୍ରହାଳୟ କିମ୍ବା ଅନ୍ୟ କିଛି ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ। ଏ ମନ୍ଦିରର ଗୁରୁତ୍ବ ସମ୍ବନ୍ଧରେ ସୂଚନା ଦେବା ପାଇଁ ଗାଇଡ୍‌ ରହିଲେ, ଏହାର ବ୍ୟାପକତା ଗୋଟେ ତୁଣ୍ଡରୁ ଶହେ ତୁଣ୍ଡ ବ୍ୟାପୀ ପାରିବ। ଏହା ସରକାରଙ୍କର ଆୟ ପାଇଁ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାକୁ ଉପସ୍ଥାପନ କରିବା ପାଇଁ ଏହି ପ୍ରାଚୀନ କୀର୍ତିରାଜି ହେଉଛି ଗୋଟେଗୋଟେ ମାଧ୍ୟମ। ତେଣୁ ପର୍ଯ୍ୟଟକମାନେ ଆସିଲେ ଯେମିତି ନିରାଶ ହେବେ ନାହିଁ ସେ ସମ୍ବନ୍ଧରେ ବିଚାର ବିମର୍ଶ ପୂର୍ବକ ଏହି ପରିସର‌କୁ ଆହୁରି ଆକର୍ଷିତ କରାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର