‘ରସଗୋଲା ବହି’ ଓ ରସଗୋଲା ପାଇଁ ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଭିଡ଼

ରାଜଧାନୀ ପୁସ୍ତକମେଳା

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ‘ରସଗୋଲା ବହି’ ଓ ଉପହାର ଯୋଜନାରେ ଦିଆଯାଉଥିବା ‘ରସଗୋଲା’ ପାଇଁ ରାଜଧାନୀ ପୁସ୍ତକ ମେଳାର ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶିଷ୍ଟ କବି ତଥା ଏକାଡେମି ପୁରସ୍କାରପ୍ରାପ୍ତ ଅନୁବାଦକ ଅମରେଶ ପଟ୍ଟନାୟକଙ୍କ ସମେତ କବି, ଲେଖକ ଓ ସମ୍ପାଦକ ସୁରେଶ ନାୟକ, କେଦାର ମିଶ୍ର, କମଳ କୁମାର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଅମିୟ ମହାପାତ୍ର, ବନୋଜ ତ୍ରିପାଠୀ, ପ୍ରୀତିପ୍ରଜ୍ଞା ପ୍ରଧାନ, ସୁରେନ୍ଦ୍ର ପାଣିଗ୍ରାହୀ, ନୃସିଂହ ତରାଇ, ଶତ୍ରୁଜିତ୍‌, ପ୍ରବୋଧ ପ୍ରଧାନ, ଦଃଶାସନ ବାରିକ, ନଳିନୀ ନାୟକ, ଆଡ୍‌ଭୋକେଟ୍‌ ପ୍ରବୀର ଦାସ, ପଣ୍ଡିତ ହରେକୃଷ୍ଣ ଧୁପାଳ ଶର୍ମା, ଟିଭି ସାମ୍ବାଦିକ ମାତୃଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଷ୍ଟଲ୍‌ରୁ ବହି କିଣିଥିଲେ। ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମଧ୍ୟ ‘ଆମ ଓଡ଼ିଶା’ ଷ୍ଟଲ୍‌କୁ ଆସି ଲେଖକ ଅସିତ ମହାନ୍ତିଙ୍କଠାରୁ ରସଗୋଲା ବହି ଓ ରସଗୋଲା ଗ୍ରହଣ କରିଥିଲେ।

ଏହା ବ୍ୟତୀତ ଏଥର ପୁସ୍ତକମେଳା ପୁରସ୍କାର ପାଇଥିବା ଅନୁବାଦ ପୁସ୍ତକ ‘ଶ୍ରୀମୟୀ ମା’ ଓ ସଦ୍ୟ ପ୍ରକାଶିତ ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷସ୍ତମ୍ଭ’ ସମେତ ଅଖିଳ ମୋହନ ପଟ୍ଟନାୟକଙ୍କ ସମଗ୍ର ଗଳ୍ପ ଆଦି ପୁସ୍ତକ ପାଇଁ ପାଠକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା।

‘ଶ୍ରୀମୟୀ ମା’ ଓ ‘ରସଗୋଲା ବହି’ ଉପରେ ସ୍ୱତନ୍ତ୍ର ଉପହାର ଯୋଜନା ଆଗାମୀ କାଲି ପୁସ୍ତକ ମେଳାର ଶେଷଦିନ ପାଇଁ ମଧ୍ୟ ରହିବ ବୋଲି ‘ଆମ ଓଡ଼ିଶା’ର ସମ୍ପାଦକ ଜଣାଇଛନ୍ତି।

ଇଭେଣ୍ଟ ପ୍ରକାଶନୀ ସଂସ୍ଥାର ପୁସ୍ତକ ପର୍ବ

ଭୁବନେଶ୍ୱର : ‘ଇଭେଣ୍ଟ ପ୍ରକାଶନୀ ସଂସ୍ଥା’ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ଅଷ୍ଟଦଶ ରାଜଧାନୀ ପୁସ୍ତକ ମେଳା’ ମଞ୍ଚରେ ଏହାର ପୁସ୍ତକ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୁଣ୍ୟଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମି ସଚିବ ଅଶ୍ୱିନୀ କୁମାର ମିଶ୍ର, କବି ରମେଶ ଚନ୍ଦ୍ର ଷଡ଼ଙ୍ଗୀ, ଲେଖକ ସଦାନନ୍ଦ ତ୍ରିପାଠୀ, କଥାକାର ଅଜୟ ସ୍ୱାଇଁ ଓ ପ୍ରକାଶନୀ ସଂସ୍ଥାର ପ୍ରକାଶକ ପ୍ରକାଶ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରକାଶନୀ ପକ୍ଷରୁ ୧୫ଟି ପୁସ୍ତକ ଉନ୍ମୋଚିତ ହୋଇଛି। ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ଉପନ୍ୟାସ ‘ଲେଡିଜ୍‌ ହଷ୍ଟେଲ୍‌’, ଶରତଚନ୍ଦ୍ର ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ ‘ମୁକ୍ତ ଚିନ୍ତନ’, ଶୁଭ ନାରାୟଣ ସ୍ୱାଇଁଙ୍କ କବିତା ସଂକଳନ ‘ଥୋପ’, ବସୁଦେବ ସାମଲଙ୍କ ଅନୁବାଦ ପୁସ୍ତକ ‘ଅନ୍ୟ ଏକ କୁନ୍ତି’, ସଦାନନ୍ଦ ତ୍ରିପାଠୀଙ୍କ ଗଳ୍ପ ସଂକଳନ ‘ସବୁ କିଛି ପୂର୍ବ ନିର୍ଦ୍ଧାରିତ’, ରୋହିତ ନାଗେଶଙ୍କ କବିତା ସଂକଳନ ‘ପ୍ରୀତି ନଦୀର ତୀରେ’, ଜୟସୂର୍ଯ୍ୟ କାନୁନ୍‌ଗୋଙ୍କ କବିତା ସଂକଳନ ‘ହାଇେଓ୍ଵରେ ବୁବୁଲି’, କାଶୀନାଥ ସାହୁଙ୍କ ‘ଯଦି କେବେ ଦେଖା ହୁଏ’, ଅଜିତ୍‌ ସାବତଙ୍କ ‘ମୁଁ ନିଜ ସହ ଏକା ଏକା’, ନିବେଦିତା ମିଶ୍ରଙ୍କ ‘ଅନ୍ଧାର ଓ କିଛି ନିଖୋଜ ମୁହୂର୍ତ୍ତ’, ସନ୍ତୋଷ ମଲ୍ଲିକଙ୍କ ‘ଖରାଛୁଟି ଓ ଅନ୍ୟାନ୍ୟ ଗଳ୍ପ’, ଶର୍ମିଷ୍ଠା ମହାନ୍ତିଙ୍କ ‘ଜୀବନ ସୁଧା’, ସୋହେଲା ଛୋଟରାୟଙ୍କ ‘ରୁଦ୍ର ତାପସ’, ଦ୍ୱିତିଚନ୍ଦ୍ର ସାହୁଙ୍କ ‘ହଜି ଯାଇଥିବା ଠିକଣା’ ଓ ଶକ୍ତିପ୍ରଭା ମିଶ୍ରଙ୍କ ଗଳ୍ପ ସଂକଳନ ‘ଛିଟ ଜାମା’ ଆଦି ପୁସ୍ତକ ଏହି ଅବସରରେ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ସ୍ୱପ୍ନା ବେହେରା ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର