ରସିକ ଠାକୁରଙ୍କ ରାଜାଧିରାଜ ବେଶ

ଭୁବନେଶ୍ୱର : ଶୃଙ୍ଗାର ପ୍ରିୟ ରସିକ ଠାକୁର ଆଜି ଭକ୍ତମେଳରେ ରଥ ଉପରେ ସଜେଇ ହୋଇଛନ୍ତି। ସୁନା ଅଳଙ୍କାର ପିନ୍ଧି ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସମ୍ମୁଖରେ ଆଉ ଏକ ମାନବୀୟ ଲୀଳା ରଚିଛନ୍ତି। କିରିଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଘାଗଡ଼ା ମାଳି ଓ କମରପଟି ଆଦିରେ ସୁସଜ୍ଜିତ ପ୍ରଭୁଙ୍କ ମନୋହର ବେଶ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଘଡ଼ିଏ ଅଟକାଇ ଦେଉଥିଲା। ବର୍ଷ ତମାମ ୫ଥର ସୁନାବେଶ ହେଉଥିବା ବେଳେ ୪ଥର ମନ୍ଦିର ମଧ୍ୟରେ ବେଶ ହୁଏ। କିନ୍ତୁ ଆଷାଢ଼ ଏକାଦଶୀରେ ମହାପ୍ରଭୁଙ୍କ ସୁନାବେଶ ଭକ୍ତଙ୍କ ଗହଣରେ ହେଉଥିବାରୁ ଏହା ଶ୍ରଦ୍ଧାଳୁଙ୍କୁ ରଥ ନିକଟକୁ ଟାଣି ଆଣେ।

ଦର୍ଶନ ପାଇଁ ସହରବାସୀ ଆଜି ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଛୁଟିଥିଲେ। ଅସମ୍ଭାଳ ଭିଡ଼କୁ ଆଖି ଆଗରେ ରଖି ପୁଲିସ୍‌ ପ୍ରଶାସନ ପକ୍ଷରୁ ବରମୁଣ୍ଡାରୁ ୪ ଚକିଆ ଓ ସିଆର୍‌ପି ଛକରୁ ଆଇଆର୍‌ସି ଭିଲେଜ୍‌ ଓଭରବ୍ରିଜ୍‌ ଛକ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଥିଲା। ବିଶେଷକରି ସହରର ପ୍ରାଣକେନ୍ଦ୍ରରେ ଥିବା ଇସ୍କନ୍‌ ପକ୍ଷରୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ହୋଇଥିଲା ବ୍ୟାପକ ପ୍ରସ୍ତୁତି। ସନ୍ଧ୍ୟା ୬ଟାରେ ପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟାରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ରାଜାଧିରାଜ ବେଶରେ ଦର୍ଶନ କରିଥିଲେ। ପ୍ରଭୁଙ୍କର ଅପୂର୍ବ ବେଶ ଦର୍ଶନ ପାଇଁ ଇସ୍କନ୍‌ ସମ୍ମୁଖ ଓଭରବ୍ରିଜ୍‌ ଉପରେ ବି ଭକ୍ତମାନେ ଅଟକିଯାଉଥିଲେ। ତଳେ ବାଟ ସିଲ୍‌ ହୋଇଯାଇଥିବାରୁ ଓଭରବ୍ରିଜ୍‌ କଡ଼ରେ ଗାଡ଼ି ରଖି ପ୍ରଭୁଙ୍କ ସୁନାବେଶ ଦର୍ଶନର ସୁଯୋଗ ନେଉଥିଲେ ଶ୍ରଦ୍ଧାଳୁ। ସାଢ଼େ ୧୦ଟା ପରେ ପ୍ରଭୁଙ୍କୁ ରତ୍ନବେଦିକୁ ବାହୁଡ଼ି ନିଆଯାଇଥିଲା।

ସବୁଠୁ ପୁରୁଣା ରଥଯାତ୍ରା ଅନୁଷ୍ଠିତ ହେଉଥିବା ୮ନମ୍ବର ଓୟୁଏଟି କଲୋନିରେ ରାତି ୧୦ ଟା ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ। କୋଳଥିଆ ଚିଦାନନ୍ଦ ବିହାରରେ ମଧ୍ୟ ୩ ରଥରେ ପ୍ରଭୁଙ୍କର ସୁନାବେଶ ସହ ଭଜନ ସମାରୋହ ହୋଇଥିଲା। ଶ୍ରୀବାଣୀ କ୍ଷେତ୍ର, ପଟିଆ ବଡ଼ଠାକୁର ମନ୍ଦିର, ଆର୍‌ସିଏମ୍‌ ଶ୍ରୀମନ୍ଦିର, ବରମୁଣ୍ଡା ଜଗନ୍ନାଥ ମନ୍ଦିର, ରେଣ୍ଟାଲ୍‌ କଲୋନି, ଯମେଶ୍ୱର ପାଟଣା ଡୁମୁଡୁମା, କଣ୍ଟୁଣିଆସ୍ଥିତ ସୁଦର୍ଶନଙ୍କ ଦାରୁ ପୀଠ, ସହିଦନଗର, ପୁରୁଣା ଭୁବନେଶ୍ୱର, ଗଙ୍ଗନଗର ପିଡବ୍ଲ୍ୟୁଡି କଲୋନି, ଗଙ୍ଗନଗର ରେ ମଧ୍ୟ ସୁନାବେଶ ଦର୍ଶନ ପାଇଁ ନାହିଁ ନଥିବା ଭିଡ଼ ଲାଗି ରହିଥିଲା। ଅନେକ ସ୍ଥାନରେ ଭଜନ ସମାରୋହର ଆସର ଜମିଥିଲା। ଆସନ୍ତାକାଲି ଅଧରପଣା ସହ ଇସ୍କନ୍‌ରେ ପ୍ରଭୁ ମନ୍ଦିରକୁ ବିଜେ କରିବେ। ଅନ୍ୟ ମନ୍ଦିରରେ ପଅରଦିନ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର