ରାଜୀବ ଗାନ୍ଧୀ ଫୋରମ୍‌ ପକ୍ଷରୁ ରାଜୀବ ଗାନ୍ଧୀ ସଦ୍‌ଭାବନା ଦିବସ : ୨୨ଜଣଙ୍କୁ ରାଜୀବ ଗାନ୍ଧୀ ସଦ୍‌ଭାବନା ସମ୍ମାନ

ଭୁବନେଶ୍ୱର : ରାଜୀବ ଗାନ୍ଧୀ ଫୋରମ୍‌ ତରଫରୁ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୭ତମ ଶ୍ରାଦ୍ଧ ଉତ୍ସବ ଆଜି ଇଡ୍‌କଲ୍‌ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି, ସେକ୍‌ ମତଲୁବ ଅଲ୍ଲୀ ମୁଖ୍ୟବକ୍ତା ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କୈଳାସ ଆଚାର୍ଯ୍ୟ, ଫୋରମ୍‌ର କାର୍ଯ୍ୟକାରୀ ସଭାପତି ସୁରେଶ ରାଉତରାୟ, ସାଧାରଣ ସଂପାଦକ ସତ୍ୟବ୍ରତ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ରାଜୀବ ଗାନ୍ଧୀ ଜଣେ ସଚ୍ଚୋଟ ଦେଶପ୍ରେମୀ ଥିଲେ। ନିଜ ଜୀବନକାଳ ମଧ୍ୟରେ ସେ ଭାରତବର୍ଷର ପ୍ରଗତି ପାଇଁ ସଦାସର୍ବଦା ଚେଷ୍ଟା କରିଥିଲେ। ବିଶେଷ କରି ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ବୟସ ସୀମା ୧୮କୁ କମାଇବା ଭଳି ସେ ଐତିହାସିକ ପଦକ୍ଷେପ ନେଇଥିଲେ। ସେହିପରି ସୂଚନା ଓ ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ ଭାରତକୁ ଶ୍ରେଷ୍ଠ କରିବା ପାଇଁ ରାଜୀବଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଅତିଥିମାନେ କହିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୨ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ରାଜୀବ ଗାନ୍ଧୀ ସଦ୍‌ଭାବନା ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ୨୦ଜଣ କୃତୀ ଶିଶୁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ମନୋରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ପ୍ରକାଶ ନନ୍ଦ, ନାରାୟଣ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାସ, ଦିଲା ପଣ୍ଡା, ଅଜିତ ଜେନା ଏବଂ ଗୌର ପ୍ରସାଦ ନନ୍ଦ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର