ଠାକୁରାଣୀଙ୍କ ନାଁ କହି ପ୍ରେମିକା ପାଇଁ ମନ୍ଦାର ନେଉଥିଲେ

କମଳ ଦେଶର ରାଜକୁମାରଙ୍କ ପ୍ରଥମ ପ୍ରେମ

ପିଲା ଦିନୁ ବାପା ମରିଯାଇଥିବାରୁ ମୁଁ ଅଜା ଘରେ ରହୁଥିଲି। ଅଜା ଆଈଙ୍କ ଭାରି ଗେହ୍ଲା ଥିଲି ଆଉ ଲାଜକୁଳା ସ୍ୱଭାବର ମଧ୍ୟ। ସେତେବେଳ ମୁଁ କଲେଜରେ ନାମ ଲେଖାଇ ଥାଏ। ସେହି ସମୟରେ ନବମ ଶ୍ରେଣୀର ଜଣେ ଝିଅ ମତେ ଭାରି ଇସାରା ଦେଉଥାଏ। ସବୁବେଳେ ମତେ ଚାହିଁ ହସିବା ସହ ଆଖିରେ ଆଖିରେ କିଛି କହିବାକୁ ଚେଷ୍ଟା କରୁଥାଏ। ଦିନକର କଥା ସେ ଗୋଲାପ ଫୁଲଟିଏ ଧରି ହଲାଇ ହଲାଇ ମତେ କିଛି କହିବାକୁ ଚାହୁଁଥାଏ। ଏହାକୁ ମୋ ସହ ମୋ ସାଙ୍ଗମାନେ ବି ଦେଖି ଦେଇଥାନ୍ତି। ସାଙ୍ଗମାନେ ମତେ ବାଧ୍ୟ କରି ଝିଅ ପାଖକୁ ଯିବାକୁ କହିଲେ। ଅତି ଲାଜକୁଳା ସ୍ୱଭାବର ହେଲେ ମଧ୍ୟ ମୁଁ ସାହସ ଜୁଟାଇ ସେଠାକୁ ଗଲି। ଝିଅଟି ମତେ ଫୁଲଟି ଦେଇ ପ୍ରେମ ନିବେଦନ କରି ଦୌଡ଼ି ପଲାଇଲା। ସେତେବେଳର ସମାଜରେ ଏସବୁ ଏତେଟା ଗ୍ରହଣୀୟ ନଥିଲେ ମଧ୍ୟ ଝିଅଟିର ଅପୂର୍ବ ସୌନ୍ଦର୍ଯ୍ୟ ମୋ କିଶୋର ମନର ତାରରେ ସ୍ପନ୍ଦନ ସୃଷ୍ଟି କରିଥିଲା। ଏଭଳି ନିଜର ପ୍ରଥମ ପ୍ରେମ କାହାଣୀକୁ ବଖାଣିବା ଆରମ୍ଭ କରିଥିଲେ କମଳ ଦେଶର ରାଜକୁମାର ପ୍ରଫୁଲ୍ଲ କର।

 

ମୋ ମାମୁ ଝିଅ ଭଉଣୀ ଇଲୁ ସେ ଝିଅର ସାଙ୍ଗ ହୋଇଥିବାରୁ ମୁରବୀ ଠାଣିରେ ସେ ଝିଅକୁ ଡାକି ଆଣିବାକୁ ମୁଁ ମୋ ଭଉଣୀକୁ କହିଥିଲି। ଇଲୁ ବି ସେୟା କଲା। ତାକୁ ଡାକି ଆଣିଥିଲା ଆମ ଦୋ ମହଲା ଛାତ ଉପରକୁ। ଝିଅଟିକୁ ମୁଁ ଗାଳି ଦେବା କଣ୍ଠରେ କହିଲି, ତୁମେ ଏମିତି ସମସ୍ତଙ୍କ ଆଗରେ ମତେ ଫୁଲ ଦେଇ ଚାଲିଆସିଲ। ଏବେ ଚାରିଆଡ଼େ ଆମ ଚର୍ଚ୍ଚା। କିନ୍ତୁ ଝିଅଟି ନିର୍ଭୀକ ସ୍ୱରରେ ତଳକୁ ମୁଣ୍ଡ ପୋତି କହିଲା, ପ୍ରେମ କରୁଛି। ଚର୍ଚ୍ଚା ହେଲେ ହେଉ। ତାର ଏଭଳି ଉତ୍ତର ମୋ ହୃଦୟକୁ ଆନ୍ଦୋଳିତ କରି ଦେଇଥିଲା। ଏହା ପରେ ତା’ ପ୍ରେମର ପ୍ରତ୍ୟୁତ୍ତରରେ ତାକୁ ବି ଫୁଲ ଦେବାକୁ ଚାହିଁଲି। ପ୍ରେମର ଅନୁଭୂତି ନଥିବାରୁ ବାରିରେ ଫୁଟିଥିବା ମନ୍ଦାର ତୋଳି ତାକୁ ଦେଇଥିଲି। ସେ ରାଗ ତମ ତମ ମୁହଁରେ ତାକୁ ଫୋପାଡ଼ି ଚାଲିଗଲା। ମୁଁ କିଛି ବୁଝି ପାରିଲିନି। ପ୍ରତିଦିନ ଗୋଟିଏ ଦୁଇଟି ମନ୍ଦାର ନେଇ ତାକୁ ଦିଏ। ସେ ଫୋପାଡ଼ିଦିଏ। ଏପଟେ ମୋ ବୋଉ ସବୁବେଳେ ଗଛରୁ ଫୁଲ କଢ଼ି ଗଣି ରଖୁଥିବାରୁ ମୁଁ ଫୁଲ ଚୋରାଉଥିବା ଜାଣିଗଲେ। ମା’ଙ୍କୁ ମିଛ କହିଲି ଯେ, ପାଖ ଠାକୁରାଣୀ ମନ୍ଦିରରେ ଚଢ଼ାଉଛି। ସେ ଦିନ ଯାଇ ସେ ଝିଅକୁ ପଚାରିଲି ମା’କୁ ମିଛ କହି ମୁଁ ତତେ ଫୁଲ ଦେଉଛି, ତୁ ଫିଙ୍ଗି ଦେଉଛୁ କାହିଁକି? ସେ ଉତ୍ତର ଦେଲା ମନ୍ଦାର ଫୁଲ କ’ଣ କିଏ କାହାକୁ ଦିଏ? ତୁମେ ପ୍ରେମରେ କେତେ କଚ୍ଚା ଯେ। ପୁଣି ଦିନେ ସେ ଜନ୍ମ ଦିନରେ ମତେ ଉପହାର ମାଗିଥିଲା। କ’ଣ ଦେବି ଭାବିକି ବ୍ଲାଉଜ କନା ଦେବାକୁ ସ୍ଥିର କଲି। କିନ୍ତୁ ଅନୁଭୂତି ନଥିବାରୁ ବ୍ଲାଉଜ୍‌ କନା ବଦଳରେ ପରଦା କନା ତାକୁ ଦେଇଥିବାରୁ ସେ ରାଗି ନିଆଁ ବାଣ ହୋଇଯାଇଥିଲା ଓ କହିଥିଲା ତୁମେ ପ୍ରେମରେ କେତେ କଚ୍ଚା ଯେ। ଏଭଳି ଭାବେ ମୋ ପ୍ରଥମ ପ୍ରେମର ଅନୁଭୂତି ଯେତିକି ନିଆରା ଥିଲା ସେତିକି ଅଭୁଲା ମଧ୍ୟ। ପ୍ରେମିକା ଜୀବନସାଥୀ ହୋଇ ପାରିଲାନିି ସତ ହେଲେ ସେ ମତେ ପ୍ରେମର ପରିଭାଷା ବୁଝେଇ ଦେଇ ଯାଇଥିଲା।

ସମ୍ବନ୍ଧିତ ଖବର