କରୋନା ପାଇଁ ଭକ୍ତ-ଭଗବାନ ଅଲଗା : ରାମ ମନ୍ଦିର ନିରବ

ବିଧିରେ ବିଧିରେ ଶ୍ରୀରାମ ନବମୀ ବ୍ରତ, ମଞ୍ଚସ୍ଥ ବଦଳରେ ପଢ଼ା ହେଲା ରାମଲୀଳା ମହାନାଟକ
କଟକରେ ପୂଜାକୁ ନେଇ ଉତ୍ତେଜନା, ପୂଜା ବନ୍ଦ ଓ ମନ୍ଦିର ସିଲ୍

ଭୁବନେଶ୍ବର : ପ୍ରଭୁଙ୍କ ନୀତିକାନ୍ତି ଚାଲିଥିଲା। ଜନ୍ମଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଫୁଲରେ ସଜେଇ ହୋଇ ବିରାଜମାନ କରିଥିଲେ। ହେଲେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରି ନଥିଲା। ନା ଭୋଗ ସମର୍ପି ଦେବାକୁ ଭାଇନା ଥିଲେ ନା ବାହାରେ ଆଜି ପ୍ରଭୁଙ୍କୁ ଆଖି ପୂରେଇ ଦେଖିନେବା ପାଇଁ ଭକ୍ତଙ୍କ ଧାଡ଼ି ଲମ୍ବିଥିଲା। ସବୁ ଥିଲା ଶୂନଶାନ୍‌। କିଛି ଭକ୍ତ ଦର୍ଶନ ଆଶାରେ ରାମ ମନ୍ଦିର ଯାଏଁ ଧାଇଁ ଆସିଥିଲେ ସତ, ମାତ୍ର ଭୋଗ ପୂଜା କରି ନ ପାରି ନିଜେ ମନ୍ଦିର ସମ୍ମୁଖରେ ନଡ଼ିଆ ବାଡ଼େଇ ମାନସିକ ମୁଣ୍ଡିଆ ମାରି ଚାଲିଯିବାକୁ ବାଧ୍ୟ ହୋଇଥିଲେ।

ନବାହ୍ନ ପାରାୟଣର ଗୁଞ୍ଜରଣ ନଥିଲା। ମାତ୍ର ମଙ୍ଗଳ ଆଳତି, ଶୃଙ୍ଗାର ଆରତି, ଭୋଗ ଆଳତି, ଜନ୍ମୋତ୍ସବ ଆଳତି, ପୁ‌ଷ୍ପାଞ୍ଜଳି ପର୍ବ ଅନୁଷ୍ଠିତ ହୋଇଥିଲା। ଏହାବ୍ୟତୀତ ସହରର ବିଭିନ୍ନ କୋଣରେ ଥିବା ରାମ ମନ୍ଦିରରେ କେବଳ ପୂଜାର୍ଚନା କରାଯାଇଥିଲା। ୧ ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛପାର୍ଶ୍ବ ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ଆଦିରେ କେବଳ ପୂଜାର୍ଚନା କରାଯାଇଥିଲା। କରୋନା ପାଇଁ ଏତେଦିନ ପରେ ଏପରି ଏକ ବିଡ଼ମ୍ବନା ଅନେକଙ୍କୁ କଷ୍ଟ ଦେଇଥିଲେ ବି ଲକଡାଉନ୍‌ ଯୋଗୁଁ କିଛି ଉପାୟ ନ ଥିଲା।

ବିଧିରେ ବିଧିରେ ଶ୍ରୀରାମ ନବମୀ ବ୍ରତ, ମଞ୍ଚସ୍ଥ ବଦଳରେ ପଢ଼ା ହେଲା ରାମଲୀଳା ମହାନାଟକ
ଖଣ୍ଡଗିରି : ମହାମାରୀ କରୋନା କଟକଣା ପାଇଁ ଲାଗୁ ହୋଇଥିବା ତାଲାବନ୍ଦ ପବିତ୍ର ଶ୍ରୀରାମ ନବମୀ ବ୍ରତକୁ ଫିକା ପକାଇ ଦେଇଛି। ଘରେ ଓ ମନ୍ଦିରରେ କେବଳ ବିଧିରେ ବିଧିରେ ଏହି ମହାବ୍ରତ ପାଳିତ ହୋଇଯାଇଛି। ସେହିଭଳି ରାମଲୀଳା ମହାନାଟକ ଅଭିନୟକୁ ମଧ୍ୟ ମଞ୍ଚସ୍ଥ ହେବାକୁ ସୁଯୋଗ ମିଳିନାହିଁ। ତେଣୁ ସବୁଠାରେ କେବଳ ନାଟକକୁ ବହି ପଢ଼ାରେ ସୀମିତ ରଖି ବିଧି ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଯାଁଳା ଫାଣ୍ଡି ମୁଣ୍ଡମୁହାଁଣ ଗ୍ରାମର ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ଲାଗୁ ହୋଇଥିବା କଟକଣା ପାଇଁ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବେଶ୍ ହ୍ରାସ ପାଇଥିଲା। ପ୍ରତ୍ୟୁଷରୁ କିଛି ଶ୍ରଦ୍ଧାଳୁ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ହେଁ ବେଢ଼ାରେ ରହି ଭୋଗ ଲାଗି କରିଥିଲେ, ମନ୍ଦିରକୁ ପ୍ରବେଶ କରିବା ସୁ‌ଯୋଗ ନଥିଲା। ଏଥିସହ ପୁଲିସ କଟକଣା ପାଇଁ ବହୁ ଶ୍ରଦ୍ଧାଳୁ ମନ୍ଦିର ଯିବାକୁ ମନ କରି ନଥିଲେ। ଏହି ପୀଠରେ ଦୀର୍ଘ ବର୍ଷ ହେଲା ସ୍ବର୍ଗତ ପ୍ରଭାକର ମହାପାତ୍ରଙ୍କ ରଚିତ ରାମଲୀଳା ମହାନାଟକ ମଞ୍ଚସ୍ଥ କରାଯାଏ। ରାମ ଜନ୍ମରୁ ବନବାସ, ରାବଣ ବଧ ଓ ଅଯୋଧ୍ୟାରେ ରାଜ୍ୟାଭିଷେକ ପର୍ଯ୍ୟନ୍ତ ୧୫ଦିନ ଧରି ଏହି ନାଟକ ଚା‌ଲେ। କିନ୍ତୁ ଚଳିତ ବର୍ଷ ନାଟକ ମଞ୍ଚସ୍ଥ କରିବା ଉପରେ ରୋକ୍ ଲାଗିଛି। କଳାକାରମାନେ ବ୍ରତୀ ହୋଇ ଘରେ ବ୍ରତ ପାଳନ କରିଛନ୍ତି। ମନ୍ଦିରରେ କେବଳ ଉକ୍ତ ନା‌ଟକକୁ ପଢ଼ାରେ ସାରି ଦିଆଯାଇଛି। ସେହିଭଳି ଭୁବନେଶ୍ବର ଝାରପଡ଼ାରେ ମଧ୍ୟ ଏହି ରାମଲୀଳା ନାଟକ ମଞ୍ଚସ୍ଥ ହୋଇପାରିନାହିଁ। ରାଜଧାନୀର ପ୍ରସିଦ୍ଧ ଏହି ନାଟକ ଅଭିନୟ ବନ୍ଦ କରାଯାଇଛି। ସେଠାରେ ମଧ୍ୟ କେବଳ ବିଧି ରକ୍ଷା ପାଇଁ ବହି ପଢ଼ାରେ କାର୍ଯ୍ୟକ୍ରମ ସୀମିତ ରହିଛି।

କଟକରେ ପୂଜାକୁ ନେଇ ଉତ୍ତେଜନା, ପୂଜା ବନ୍ଦ ଓ ମନ୍ଦିର ସିଲ୍
କଟକ : ରାମନବମୀ ପୂଜାକୁ ନେଇ ମଙ୍ଗଳାବାଗ ଅଞ୍ଚଳରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଜାରି ଥିବା ସତ୍ତ୍ବେ ଏକାଠି ହୋଇ ପୂଜା କରିବା ବଦଳରେ ଜଣଜଣ କରି ପୂଜା କରିବାକୁ ଜଣେ ଆଇନଜୀବୀ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳାବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂଜା ବନ୍ଦ କରିଥିବା ବେଳେ ଗଣ୍ଡଗୋଳ ସଂକ୍ରାନ୍ତରେ ଆଇନଜୀବୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ମଙ୍ଗଳାବାଗ ନାୟକ ସାହିର ଶ୍ରୀ ରଘୁନାଥଜିଉ ମନ୍ଦିରରେ ରାମନବମୀ ଉପଲକ୍ଷେ ପୂଜା ଆୟୋଜିତ ହେଉଥିଲା। ଲକ୍‌ଡାଉନ୍‌ ଜାରି ଥିବା ସତ୍ତ୍ବେ ପାଖାପାଖି ୩୦ଜଣ ଏକାଠି ହୋଇ ଏହି ପୂଜା କରୁଥିବାରୁ ସ୍ଥାନୀୟ ବାସିନ୍ଦା ଆଇନଜୀବୀ ରମାକାନ୍ତ ନାୟକ ଏହାକୁ ବାରଣ କରିଥିଲେ। ଜଣଜଣ ହୋଇ ପୂଜା କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାକୁ ଅପରପକ୍ଷ ପ୍ରତିବାଦ କରିଥିଲେ ଓ ଜଣେ ଯୁବକ ତାଙ୍କୁ ଠେଲାପେଲା କରିଥିଲେ। ରମାକାନ୍ତଙ୍କ ପୁଅ ସେଠାରୁ ବାପାଙ୍କୁ ନେଇଆସିଲା ବେଳେ ସମ୍ପୃକ୍ତ ଯୁବକ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏପରିକି ଯୁବକଜଣକ ସେମାନଙ୍କୁ ହତ୍ୟା ଧମକ ଦେଇଥିବା ରମାକାନ୍ତ ଅଭିଯୋଗ କରିଛନ୍ତି। ସାହିର ଆଉ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଧମକ ଦେଇଥିବା ରମାକାନ୍ତ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ମଙ୍ଗଳା‌ବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର କହିଛନ୍ତି ଯେ ସାହିରେ ରାମନବମୀ ପୂଜା ହେଉଥିବା ସମ୍ପର୍କରେ ପୁଲିସ ଖବର ପାଇ ପିସିଆର ଭ୍ୟାନ୍‌ ସହିତ ପହଞ୍ଚିଥିଲା। ପୂଜା ବନ୍ଦ କରିବା ସହ ମନ୍ଦିର ସିଲ୍ କରି ଦିଆଯାଇଛି। ଆଇନଜୀବୀ ଯେଉଁ ଦୁଇଜଣଙ୍କ ନାଁରେ ଏତଲା ଦେଇଛନ୍ତି, ତାହାର ତଦନ୍ତ କରାଯାଉଛି। ପ୍ରମାଣ ଆଧାରରେ ପଦକ୍ଷେପ ନିଆଯିବ ଆଇଆଇସି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର