ଭୁବନେଶ୍ବରରେ ପ୍ରତିଷ୍ଠା ହେବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଧୁନିକ ଓଡ଼ିଶା ଗଠନ ଓ ବିକାଶରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ବିଶେଷ ଅବଦାନ ରଖି ଯାଇଛନ୍ତି। ଜଣେ ରାଜା ଭାବେ ସେ ଲୋକମାନଙ୍କୁ ଉତ୍ତମ ଶାସନ ଦେଇଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସେ ଅଗ୍ରଣୀ ଭୂମିକା ନେଇଥିଲେ। ସେ ଥିଲେ ଆଦର୍ଶ ଶାସକ, ଲୋକ ପ୍ରତିନିଧି ଓ ଜଣେ ଆଦର୍ଶ ମଣିଷ। ଆମ ସମସ୍ତଙ୍କ ପାଇଁ ପ୍ରେରଣା। ତେଣୁ ଭୁବନେଶ୍ବରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଆଜି ସଂଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ‘ପୂଜ୍ୟପୂଜା ସାହିତ୍ୟ ସଂସଦ’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ସେ ଜଣେ ଲୋକ ପ୍ରତିନିଧି ଏବଂ ମନ୍ତ୍ରୀ ଭାବରେ ତାଙ୍କର ଗଣତାନ୍ତ୍ରିକ ଦାୟିତ୍ବ ସଫଳତାର ସହିତ ତୁଲାଇଥିଲେ। ନାରୀ ଶିକ୍ଷାର ପ୍ରସାର ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ତାଙ୍କର ଅବଦାନକୁ ଭୁଲି ହେବ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ବଳଭଦ୍ର ମାଝି, ବିଧାୟିକା ନନ୍ଦିନୀ ଦେବୀ, ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ତନୟା ଦାସ‌ଗୋସ୍ବାମୀଙ୍କ ନେତୃତ୍ବରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ କମିସନର ତଥା ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲେ। ପୂଜ୍ୟପୂଜା ସାହିତ୍ୟ ସଂସଦର ସମ୍ପାଦକ ମହେଶ୍ବର ବରାଡ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର