ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ ମହିଳା କଲେଜଗୁଡ଼ିକର ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଏସ୍ ବେସ୍ଡ କ୍ରେଡିଟ୍ ସିଷ୍ଟମ(ସିବିସିଏସ୍)ରେ ପରୀକ୍ଷା ଦେଇଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରୀଙ୍କ ପାସ୍ହାର ୮୪.୬୧ ପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ୭୭୩୭ ଛାତ୍ରୀଙ୍କ ମଧ୍ୟରୁ ୬୫୪୭ ଜଣ ପାସ୍ କରିଛନ୍ତି। ବାଣିଜ୍ୟ ବିଭାଗରେ ସର୍ବାଧିକ ପାସ୍ହାର ୮୭.୪୩% ରହିଥିବା ବେଳେ କଳାରେ ୮୪.୯୪% ଓ ବିଜ୍ଞାନରେ ୮୧.୫୧% ହୋଇଛି। କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନ ବିଷୟ ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ସର୍ବାଧିକ ନମ୍ବର ରଖି ଯୁକ୍ତ୩ରେ ବିଶ୍ବବିଦ୍ୟାଳୟ ଟପର୍ ହୋଇଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ୨୬ଟି ବିଷୟ ମଧ୍ୟରୁ ୩ଟିରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଲାଇବ୍ରେରି ଆଣ୍ଡ ଇନ୍ଫରମେସନ ସାଇନ୍ସ, ଷ୍ଟାଟିଷ୍ଟିକ୍ସ ଓ ଊର୍ଦ୍ଦୁରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀ ପାସ୍ କରିଛନ୍ତି। କଳା ବିଭାଗରେ ମୋଟ ୬୩୮୯ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୪୨୭ ଜଣ ପାସ୍ କରିଛନ୍ତି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୯୯୦ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୦୮ ଜଣ ପାସ୍ କରିଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୩୫୮ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୧୩ ଜଣ ପାସ୍ କରିଛନ୍ତି। ୪ ଜଣ ମାଲ୍ପ୍ରାକ୍ଟିସ୍ (ଏମ୍ପି)ରେ ଧରାପଡ଼ିଛନ୍ତି।
ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପିଜି(ସ୍ନାତକୋତ୍ତର) ପାଠ୍ୟକ୍ରମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୩୧୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୨୭୭ ଜଣ ପାସ୍ କରିଛନ୍ତି। ପାସ୍ହାର ୮୭.୯୪ ପ୍ରତିଶତ ରହିଛି। ଜଣେ ଛାତ୍ରୀ ଏମ୍ପି ହୋଇଛନ୍ତି। ବାୟୋ-ଟେକ୍ନୋଲୋଜିରେ ବିଜୟଲକ୍ଷ୍ମୀ ସାହୁ ଟପର୍ ହୋଇଥିବା ବେଳେ ବାଣିଜ୍ୟରେ ବି ମଧୁସ୍ମିତା, କମ୍ପ୍ୟୁଟର ସାଇନ୍ସରେ ଶୁଭଲକ୍ଷ୍ମୀ ସାହୁ, ଅର୍ଥନୀତିରେ ରଶ୍ମିତା ସାହୁ, ଜେଣ୍ଡର ଷ୍ଟଡିଜ୍ରେ ସୁସ୍ମିତା ତ୍ରିପାଠୀ, ହିନ୍ଦୀରେ ମାମାଲି ପରିଡ଼ା, ଗୃହ ବିଜ୍ଞାନରେ ନେହା ପାତ୍ର, ଲାଇଫ୍ ସାଇନ୍ସରେ ଅନ୍ବେଷା ବେହେରା, ଓଡ଼ିଆରେ ଭାରତୀ ମୁଦୁଲି, ଇଂରାଜୀରେ ଆସ୍ଥା ରାଉତ ଓ ମନୀଷା ଦାସ ଯୁଗ୍ମ ଭାବେ ଟପର୍ ହୋଇଛନ୍ତି। ଓଡ଼ିଆରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।