ରମାଦେବୀରେ ଖୋଲିବ ୩ ପିଜି ପାଠ୍ୟକ୍ରମ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାୟୋ-ଟେକ୍ନୋଲୋଜି ବିଭାଗରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବ।
ଏଥିସହ ଆସନ୍ତା ଶିକ୍ଷାବର୍ଷରୁ ଏମବିଏ, ଶିକ୍ଷା ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ପିଜି ପାଠ୍ୟକ୍ରମରେ ନାମଲେଖା ହେବ ବୋଲି କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଛନ୍ତି।
ବିଶ୍ୱବିଦ୍ୟାଳୟର ବାୟୋ-ଟେକ୍ନୋଲୋଜି ବିଭାଗ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କୁଳପତି ପ୍ରଫେସର ମିଶ୍ର କହିଲେ, ଛାତ୍ରୀଙ୍କ ଶିକ୍ଷାକୁ ବ୍ୟାପକ କରିବା ଲାଗି ଆଗାମୀ ଦିନରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ୍‌ (ଆଇଏଲଏସ୍‌) ଓ କେନ୍ଦ୍ରୀୟ ମଧୁର ଜଳଜୀବ ଗବେଷଣା ପ୍ରତିଷ୍ଠାନ (ସିଫା) ସହ ମିଳିତ ଭାବେ ଗବେଷଣା ହେବ। ଏନେଇ ଖୁବ୍‌ଶୀଘ୍ର ରାଜିନାମା କରାଯିବ। ଡିସେମ୍ବର ୩ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ୫୦ଜଣ ଛାତ୍ରୀଙ୍କ ପାଇଁ ଦିବ୍ୟାଙ୍ଗ ଛାତ୍ରୀ ନିବାସ ଓ ଲାଇବ୍ରେରିରେ ପ୍ରତିଷ୍ଠା ହୋଇଥିବା ଶକୁନ୍ତଳା ପଣ୍ଡା ସ୍ମାରକୀ ଅଧ୍ୟୟନ ଗୃହ ଉଦ୍‌ଘାଟିତ ହେବ। ୨୦୧୮ ଜୁନ୍‌ ସୁଦ୍ଧା ୪ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ, ପ୍ରଶାସନିକ ଓ ଏକାଡେମିକ୍‌ ବ୍ଲକ୍‌ ଏବଂ ନୂଆ ଲାଇବ୍ରେରିି କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହାୟତାରେ ଅନୁଷ୍ଠିତ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, କୃଷିରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେବା ଦରକାର। ବର୍ତମାନ ସମୟରେ ଧାନ ଫସଲରେ ଲାଗୁଥିବା ଚକଡ଼ା ପୋକର ମୁକାବିଲା ଦିଗରେ ଏଭଳି କର୍ମଶାଳା ବେଶ୍‌ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଓଡ଼ିଶା ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାୟୋ-ଟେକ୍ନୋଲୋଜି ବିଷୟ ଉପରେ ମତବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଡ. ସୀତାଂଶୁ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଯୋଜିକା ଡ. ପୁଷ୍ପାଞ୍ଜଳି ମିଶ୍ର କର୍ମଶାଳା ସମ୍ପର୍କରେ ସୂଚନା ଦେଇଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ, ପୂର୍ବତନ ସଭାପତି ଅନସୂୟା ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ। କର୍ମଶାଳାରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରୁ ପ୍ରାୟ ୫୫୦ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର