ଅନିୟମିତତା ଅଭିଯୋଗ ଆଣିଲେ ଆଶାୟୀ

ରମାଦେବୀ ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଛି। ପ୍ରଥମେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିର୍ଦେଶକୁ ନ ମାନି ନିଯୁକ୍ତି ପ୍ରକ୍ରିୟା କରାଯାଇଥିବା ବେଳେ ଏବେ ପ୍ରଫେସର ପଦ ପାଇଁ ଯୋଗ୍ୟତା ନ ଥିବା ଆଶାୟୀଙ୍କୁ ପରୀକ୍ଷାକୁ ଡକାଯାଇଥିବା ନେଇ ଅଭିଯୋଗ ହୋଇଛି। ଆଶାୟୀମାନେ ଅଭିଯୋଗ କରିଛନ୍ତି ଯେ ଜୁଲାଇ ୧୯ରେ ନିଯୁକ୍ତି ପ୍ର୍ରକ୍ରିୟା ବନ୍ଦ କରିବାକୁ ୟୁଜିସି ପକ୍ଷରୁ ଚିଠି ପଠାଯାଇଛି। ତାହାକୁ ନ ମାନି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନିଯୁକ୍ତି ଜାରି ରଖିଥିଲେ। ଏପରିିକି ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୪ ତାରିଖରେ ଚିଠି ପାଇବା ପରେ ବି କର୍ତୃପକ୍ଷ ୨୫ ତାରିଖରେ ଜର୍ଣ୍ଣାଲିଜିମ୍‌ ଓ ମାସ୍‌ କମ୍ୟୁନିକେସନ୍‌ ବିଭାଗ ପାଇଁ ପରୀକ୍ଷା କରିଥିଲେ। ୟୁଜିସି ଓ ଉଚ୍ଚଶିକ୍ଷା ବିଭାଗ ଚିଠି ପାଇବା ପରେ ବି କେଉଁ ଆଧାରରେ ପରୀକ୍ଷା କରାଗଲା? ୨୫ ତାରିଖରେ ଜର୍ଣ୍ଣାଲିଜିମ୍‌ ପରୀକ୍ଷା ସରିବା କ୍ଷଣି କର୍ତୃପକ୍ଷ କିପରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ବୋଲି ଆଶାୟୀ ପ୍ରଶ୍ନ କରିଛନ୍ତି। ସେମାନେ ଆହୁରି ଅଭିଯୋଗ ଆଣିଛନ୍ତି ଯେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ପ୍ରଫେସର ପଦ ପାଇଁ ଡକାଯାଇଛି। ଶିଳ୍ପ କ୍ଷେତ୍ରରେ ଦକ୍ଷତା ଥିବା, କେବଳ ପିଜି ଓ ଏନ୍‌ଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଫେସର ପଦରେ ନିଯୁକ୍ତି ଲାଗି କର୍ତୃପକ୍ଷ ପରୀକ୍ଷା ନେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ୟୁଜିସିର ଗାଇଡ୍‌ଲାଇନ୍‌କୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ସଞ୍ଜୟ ଲୁଗୁନୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ପାଇବା ପରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି। ୨୫ ତାରିଖ ଅପରାହ୍ଣ ୫ଟା ୪୫ରେ ଚିଠି ପାଇଥିଲୁ। ଏହାପରେ ପ୍ରକ୍ରିୟା ବନ୍ଦ କରାଗଲା। ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ତଥ୍ୟ ମାଗିଲେ ଆମେ ଯୋଗାଇଦେବୁ।

ସମ୍ବନ୍ଧିତ ଖବର