ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ପୂରିଲା ତିନି ବର୍ଷ, ବିକାଶ ଅଧୁର ସରକାରଙ୍କ ଦୃଷ୍ଟି ପଡ଼ୁନି

ଦ୍ବିତୀୟ କ୍ୟାମ୍ପସ ଚିହ୍ନଟ ସରୁନି, ଅଧାରେ ଅଟକିଛି ପଦବି ପୂରଣ

ଭୁବନେଶ୍ବର: ତିନି ବର୍ଷ ବିତିଲାଣି। ସୋମବାର ୪ର୍ଥ ବର୍ଷରେ ପାଦ ଥାପିବ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। ସ୍ବୟଂଶାସିତ ମହାବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ କଥାକୁ ଏକପ୍ରକାର ପାସୋରି ଯାଇଛନ୍ତି ବଡ଼ବଡ଼ିଆ ସରକାରୀ ବାବୁ। ନାରୀ ଶିକ୍ଷାକୁ ନେଇ ଗୋଟିଏ ପଟେ ରାଜ୍ୟ ସରକାର ଡିଣ୍ତିମ ପିଟୁଥିବା ବେଳେ ଅନ୍ୟପଟେ ରାଜ୍ୟର ପ୍ରଥମ ତଥା ଏକମାତ୍ର ବିଶ୍ବବିଦ୍ୟାଳୟର ସମ୍ପ୍ରସାରଣ କଥାକୁ ସମସ୍ତେ ଯେପରି ଭୁଲି ଗଲେଣି। ତିନି ବର୍ଷ ହେଲା ଗୋଟିଏ କ୍ୟାମ୍ପସରେ ଚାଲିଛି ୩ଟି ଶିକ୍ଷାନୁଷ୍ଠାନ। କ୍ଲାସରୁମ୍‌ ଅଭାବରୁ ପାଳି କରି ଯୁକ୍ତ୨, ଯୁକ୍ତ୩ ଏବ˚ ପିଜି ଛାତ୍ରୀଙ୍କ ପାଠପଢ଼ା ହେଉଛି। ଏମ୍‌.ଫିଲ୍‌ ଛାତ୍ରୀ ବି ସେହି କ୍ୟାମ୍ପସରେ ପଢ଼ୁଛନ୍ତି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲୁଛି କ୍ଲାସ। ‌ହେଲେ ଏଥିପ୍ରତି କାହାର ବି ନିଘା ନାହିଁ। ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଖୋଜିବା ଲାଗି ୨୦୧୫ମସିହାରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ତଥାପି ଜାଗା ଚିହ୍ନଟ ହୋଇପାରୁନି। ଏହି ବିଶ୍ବବିଦ୍ୟାଳୟ ସହ ପ୍ରତିଷ୍ଠା ହୋଇଥିବା ଖଲ୍ଲିକୋଟ ଏବ˚ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ଯେଉଁ ପରିମାଣରେ ବୃଦ୍ଧି ଘଟିଛି, ଏଠାରେ ତାହା ହୋଇପାରି ନାହିଁ। ୩ ମାସ ତଳେ କ୍ୟାମ୍ପସରେ ଏକ ହଷ୍ଟେଲ ଉଦ୍‌ଘାଟନକୁ ଆସିଥିବା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଥିଲେ ଯେ ଗୋଠପାଟଣାଠାରେ ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଲାଗି ୩୦ ଏକର ଜମି ଚିହ୍ନଟ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ କମିଟି ରିପୋର୍ଟ ଆଧାରରେ ଏହି ଜାଗାରେ ଚୂଡ଼ାନ୍ତ ମୋହର ଲଗାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଜାଗା ଚିହ୍ନଟ ପାଇଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସହ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ମାତ୍ର ୨୦ କିମି ହେବ। ହେଲେ ମନ୍ତ୍ରୀଙ୍କ ଘୋଷଣା ଆଜି ଯାଏ କାର୍ଯ୍ୟକାରୀ ହୋଇନାହିଁ। ଏପଟେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ସେତେବେଳେ କହିଥିଲେ ଯେ ‌ସେଠାରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଗଲେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହେବନି। ଯେଉଁ ଜମି ଚିହ୍ନଟ ହୋଇଛି ‌ସେଠାରେ ୭୦ ଏକର ଜମି ଦିଆଯିବ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ କୁହାଯାଇଥିଲା। କିନ୍ତୁ ଏବେ ମନ୍ତ୍ରୀ କହୁଛନ୍ତି ୩୦ ଏକର ଜମି ଦେବେ। ଅଳ୍ପ ପରିମାଣ ଜମିରେ ଦ୍ବିତୀୟ କ୍ୟାମ୍ପସ ହୋଇପାରିବ ନାହିଁ। ‌ତେଣୁ ନିଷ୍ପତ୍ତି ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯିବ ବୋଲି କୁଳପତି କହିଥିଲେ। ଇତି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ନିଷ୍ପତ୍ତି କିମ୍ବା ପ୍ରସ୍ତାବ କିଛି ବି ଆଗକୁ ବଢ଼ିପାରିନି। ସବୁ କିଛି ଅଧାରେ ରହିଛି। ଉଚ୍ଚଶିକ୍ଷା ବିଭାଗର କୃପାଦୃଷ୍ଟି ଏହି ବିଶ୍ବବିଦ୍ୟାଳୟ ଉପରେ ପଡ଼ୁନି।

ଅନ୍ୟପକ୍ଷରେ ଏବେ ବି ବିଶ୍ବବିଦ୍ୟାଳୟରେ ଅଧ୍ୟାପକ, ପ୍ରଫେସର ପଦ ଖାଲି ପଡ଼ିଛି। ଅତିଥି ଅଧ୍ୟାପକ ନିଯୁକ୍ତିରେ ଚାଲିଛି ସବୁ କିଛି। ତାହା କେବେ ପୂରଣ ହେବ କେହି ବି କହିପାରୁ ନାହାନ୍ତି। ୬୭ଟି ଅଧ୍ୟାପକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଅଧାରେ ରହିଛି। ଅବଶ୍ୟ କର୍ତୃପକ୍ଷ ଏଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର କଟକଣା ଓ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକକୁ ଦାୟୀ କରିଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ହେଉଥିବା କଲେଜସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଏବେ କ୍ୟାମ୍ପସ ବାହା‌ରେ ହେଉଛି। ଗୋଟିଏ ପଟେ ରାଜ୍ୟ ସରକାର ଭୁବନେଶ୍ବରକୁ କ୍ରୀଡ଼ା ରାଜଧାନୀ କରିବାକୁ ଉଦ୍ୟମ ଚଲାଇଥିବା ବେଳେ ଅନ୍ୟପଟେ ରାଜ୍ୟର ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଖେଳକୁଦ ପାଇଁ ଜାଗା ନାହିଁ। ଗତ ତିନି ବର୍ଷ ହେଲା ଏଭଳି ଚାଲିଥିଲେ ମଧ୍ୟ କେହି ବି ଧ୍ୟାନ ଦେଉନାହାନ୍ତି। ସେହିପରି କ୍ୟାମ୍ପସରେ ବ୍ୟାଙ୍କ ଖୋଲିବା ପାଇଁ ଜାତୀୟସ୍ତରୀୟ ବ୍ୟାଙ୍କ ଆଗ୍ରହ ଦେଖାଉଥିଲେ ମଧ୍ୟ ଜାଗା ଅଭାବ ପ୍ରତିବନ୍ଧକ ସାଜିଛି। ପ୍ରଶାସନିକ ଓ ଏକାଡେମିକ ବିଲଡିଂ ନିର୍ମାଣ ଇତି ମଧ୍ୟରେ ଶେଷ ହୋଇଥିଲେ ମଧ୍ୟ ଉଦ୍‌ଘାଟନ ହୋଇପାରୁନି। ଏହାରି ଭିତରେ ୪ର୍ଥ ପ୍ରତିଷ୍ଠା ଦିବସରେ ସୋମବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର