ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ୪ ବିଲ୍‌ଡିଂ ଭାଗ୍ୟ ଖୋଲୁନି

ଭୁବନେଶ୍ବର: ୪ଟି ବିଲ୍‌ଡିଂ କାମ ସରିଛି। ହେଲେ କାର୍ଯ୍ୟକ୍ଷମ ହୋଇପାରୁନି। ନିର୍ମାଣକାରୀ ସଂସ୍ଥା ବିଲ୍‌ଡିଂଗୁଡ଼ିକୁ ରମା‌ଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରୁ ନ ଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ବିଲ୍‌ଡିଂରେ ପିଜି, ୟୁଜି ଓ ଯୁକ୍ତ୨ ଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଇଛି। ପାଳି କରି ଛାତ୍ରୀମାନେ ପାଠ ପଢ଼ୁଛନ୍ତି। ସକାଳେ ଯୁକ୍ତ୨ ପିଲାଙ୍କ ପାଠପଢ଼ା ହେଉଥିବା ବେଳେ ପୂର୍ବାହ୍ନରେ ଯୁକ୍ତ୩ ଓ ପିଜି ଛାତ୍ରୀଙ୍କ ପାଠପଢ଼ା ଚାଲିଛି। ସେହି ବିଲ୍‌ଡିଂରେ ବି ପ୍ରାଶାସନିକ କାର୍ଯ୍ୟ ଚାଲିଛି। ଗୋଟିଏ ପଟେ ଆଜି ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ହୋଇପାରୁ ନଥିବା ବେଳେ ଅନ୍ୟପଟେ ବିଲ୍‌ଡିଂ କାର୍ଯ୍ୟକ୍ଷମ ନ ହେବା ବିଶ୍ବବିଦ୍ୟାଳୟର ଶିକ୍ଷାଦାନକୁ ପ୍ରଭାବିତ କରୁଛି। ୨୦୧୫ରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଏବେ ୨୫ଟି ସ୍ନାତକ ଓ ୧୭ଟି ସ୍ନାତକୋତ୍ତର ବିଷୟରେ ଶିକ୍ଷା‌ ଦିଆଯାଇଛି। ୧୦ଟି ବିଷୟରେ ଏମ୍‌. ଫିଲ୍‌ ରହିଛି। ରାଜ୍ୟର ୯ଟି ଜିଲ୍ଲାର ୪୮ଟି ମହିଳା ମହାବିଦ୍ୟାଳୟ ଏହା ଅଧୀନରେ ରହିଛି। ନାରୀ ଶିକ୍ଷାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବିଶ୍ବବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଭିତ୍ତିଭୂମି ଅଭାବ ଏସବୁ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି। ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ବିକାଶ ହୋଇପାରୁନି। ଏପରିକି ତିନି ବର୍ଷ ତଳେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା) ଅନୁଦାନରେ ବିଶ୍ବବିଦ୍ୟାଳୟରେ ୪ଟି ବିଲ୍‌ଡିଂ ପାଇଁ ଭିତ୍ତିପ୍ରସ୍ତର ପଡ଼ିଥିଲା। ପ୍ରାୟ ୫୫ କୋଟି ଟଙ୍କା ଅନୁଦାନରେ ଏକାଡେମିକ୍‌, ଲାଇବ୍ରେରି ଓ ପ୍ରାଶାସନିକ ବିଲ୍‌ଡିଂ ସହ ୭୦ ଶଯ୍ୟା ବିଶିଷ୍ଟ ଏକ ଗବେଷଣା ହଷ୍ଟେଲ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ସମସ୍ତ ବିଲ୍‌ଡିଂର କାର୍ଯ୍ୟ ଶେଷ ହୋଇଯାଇଛି। ହେଲେ ଆନୁସଙ୍ଗିକ ସୁବିଧା ସୁଯୋଗ କରାଯାଉ ନଥିବାରୁ ବିଲ୍‌ଡିଂଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନି। ଏହାବ୍ୟତୀତ ବିଶ୍ବବିଦ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ଅଡିଟୋରିୟମ୍‌ କାର୍ଯ୍ୟ ଏବେ ବି ଚାଲିଛି। କେବେ ଶେଷ ହେବ ତାହା ଜଣାନାହିଁ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ କହିବା କଥା ହେଉଛି ବିଲ୍‌ଡିଂଗୁଡ଼ିକ ଆମକୁ ହସ୍ତନ୍ତର ହେବା ପରେ ଯାହା କିଛି ପଦକ୍ଷେପ ନିଆଯିବ। ଏପର୍ଯ୍ୟନ୍ତ ଦ୍ବିତୀୟ କ୍ୟାମ୍ପସ ହୋଇପାରୁନି। ଯେତିକି ଭିତ୍ତିଭୂମି ରହିଛି ସେଥିରେ କଷ୍ଟେମଷ୍ଟେ ଛାତ୍ରୀଙ୍କ କ୍ଲାସ ଚାଲିଛି। କୌଣସି ନୂଆ ବିଭାଗ ଖୋଲିବା ସମୟରେ ବହୁ ଥର ଚିନ୍ତା କରିବାକୁ ପଡ଼ୁଛି।

ଖୋଲିବ ପିଏଚ୍‌ଡି
୨୦୧୯-୨୦ ଶିକ୍ଷାବର୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ହେବ। ବିଶ୍ବବିଦ୍ୟାଳୟରେ ଏବେ ଚାଲୁଥିବା ୧୧ଟି ପିଜି ପାଠ୍ୟକ୍ରମରେ ପିଏଚ୍‌ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଗତବର୍ଷ ଖୋଲିପାରି ନଥିବା ସାମ୍ବାଦିକତା ଓ ଗଣ ଯୋଗାଯୋଗ ଏବଂ ଏମ୍‌ବିଏ ବିଷୟର ପିଜି ପାଠ୍ୟକ୍ରମ ଖୋଲିବାକୁ ସ୍ଥିର ହୋଇଛି। ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା କରାଯାଇ ଆସନ୍ତା ଶିକ୍ଷାବର୍ଷରୁ ଏହି ସବୁ ପାଠ୍ୟକ୍ରମରେ ନାମଲେଖା କରାଯିବ। ଏହାବ୍ୟତୀତ ଭବିଷ୍ୟତରେ ଲାଇବ୍ରେରି ସାଇନ୍ସ, କମ୍ପ୍ୟୁଟର ସାଇନ୍ସ, ଇଂରାଜୀ ବିଷୟରେ ବି ପିଜି ବିଭାଗ ଖୋଲିବାକୁ ‌ଯୋଜନା ରହିଛି ବୋଲି ବିଶ୍ବବିଦ୍ୟାଳୟ କୁଳସଚିବ ଇତିଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର