ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିକାଶ ହେଉନି : ଦାନା ବାନ୍ଧିଲାଣି ଛାତ୍ରୀ ଆନ୍ଦୋଳନ

କ୍ୟାମ୍ପସ୍‌ ସମ୍ମୁଖରେ ବ୍ୟାନର୍‌ ଲଗାଇଲା ଏବିଭିପି

ଭୁବନେଶ୍ୱର : ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ୨୦୧୫ରେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇ ଚୁପ୍‌ ବସି ପଡ଼ିଛନ୍ତି ରାଜ୍ୟ ସରକାର। ଏହାର ବିକାଶ ଲାଗି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଏହି ଶିକ୍ଷାନୁଷ୍ଠାନ ସହ ରାଜ୍ୟରେ ଆଉ ଦୁଇଟି ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ସେଠାକାର ଭିତ୍ତିଭୂମି ବିକାଶ ହେବା ସହ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି। ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ ସରିଛି। କିନ୍ତୁ ରମାଦେବୀ କଥାକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି। ପଦବି ପୂରଣ ହେବା ଦୂରର କଥା ଏପର୍ଯ୍ୟନ୍ତ ଦ୍ୱିତୀୟ କ୍ୟାମ୍ପସ ଲାଗି ଜାଗା ଚିହ୍ନଟ ହୋଇପାରି ନାହିଁ। ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଆଜି ସଙ୍ଗଠନ ପକ୍ଷରୁ କ୍ୟାମ୍ପସ ସମ୍ମୁଖରେ ବ୍ୟାନର ଲଗାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି।

ରାଜ୍ୟ ଶାସନରେ ଥିବା ବିଜେଡି ଦଳର ଛାତ୍ର ସଙ୍ଗଠନ ଏହି କ୍ୟାମ୍ପସରେ ରାଜୁତି କରି ଆସୁଛି। ୨୦୧୬କୁ ବ୍ୟତୀତ ପ୍ରତିବର୍ଷ ଛାତ୍ର ବିଜେଡି ସମର୍ଥିତ ଛାତ୍ରୀମାନେ ବିଜୟ ହାସଲ କରି ଛାତ୍ର ସଂସଦ ଗଢ଼ୁଛନ୍ତି। ନିର୍ବାଚନ ପୂର୍ବରୁ ଛାତ୍ରୀଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରୁଛନ୍ତି। କିନ୍ତୁ କୌଣସି ଗୋଟିଏ ବି ଦାବି ପୂରଣ କରିନାହାନ୍ତି। କେବଳ ଛାତ୍ରୀ ନେତ୍ରୀ ନୁହନ୍ତି ଭୁବନେଶ୍ୱର ମେୟର, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଉନି ବୋଲି ଏବିଭିପି ଅଭିଯୋଗ କରିଛି।

ଚଳିତ ବର୍ଷ ଛାତ୍ରୀ ସଂସଦ ସଭାପତିଙ୍କ ସମେତ ଛାତ୍ର ବିଜେଡିର ନେତ୍ରୀମାନେ ଭୁବନେଶ୍ୱର ମେୟରଙ୍କୁ ଭେଟି କ୍ୟାମ୍ପସ୍‌ ସମ୍ମୁଖରେ ୱାଟର୍‌ ଏଟିଏମ୍‌ କରିବାକୁ ଅନୁରୋଧ କରିଥିଲେ। ଗତ ନଭେମ୍ବର ୧୦ ମଧ୍ୟରେ ଓ୍ଵାଟର ଏଟିଏମ୍‌ କରାଯିବ ବୋଲି ମେୟର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଇତି ମଧ୍ୟରେ ଦେଢ଼ ମାସ ବିତିଗଲାଣି ତଥାପି ୱାଟର୍‌ ଏଟିଏମ୍‌ର ନାଁ ଗନ୍ଧ ନାହିଁ। ମେୟରଙ୍କୁ ଭେଟିଥିବା ଛାତ୍ରୀନେତ୍ରୀଙ୍କର ବି ଆଉ ଦେଖା ମିଳୁନି। ଦ୍ୱିତୀୟ କ୍ୟାମ୍ପସ କଥା କେହି ବି ମୁହଁରେ ଧରୁନାହାନ୍ତି। ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଲୀନ କରି ଦିଆଯାଇଥିଲେ ମଧ୍ୟ କେହି ବି ଚିନ୍ତା କରୁନାହାନ୍ତି। କର୍ତୃପକ୍ଷ ବି ସବୁ ଜାଣି ଚୁପ୍‌ ବସିଛନ୍ତି।

ରମାଦେବୀ ସହିତ ଆଉ ଦୁଇଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସମ୍ପୃକ୍ତ ଦୁଇ ବିଶ୍ୱବିଦ୍ୟାଳୟକୁ ଦ୍ୱିତୀୟ କ୍ୟାମ୍ପସ ପାଇଁ ଅର୍ଥ ମଞ୍ଜୁରି ସରିଥିବା ବେଳେ ରମାଦେବୀ କଥା କେହି ଚିନ୍ତା କରୁନାହାନ୍ତି। ମାତ୍ର ୨୪.୫୭ ଏକର ଜମିରେ ଯୁକ୍ତ୨, ଯୁକ୍ତ୩, ପିଜି, ଏମ୍‌.ଫିଲ୍‌ରେ ୫ ହଜାର ଛାତ୍ରୀଙ୍କୁ ପଢ଼ୁଛନ୍ତି। ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ କ୍ଲାସ୍‌ ଠିକ୍‌ ଭାବେ ହୋଇପାରୁନି। ବିଶ୍ୱବିଦ୍ୟାଳୟର କ୍ରୀଡ଼ା ମହୋତ୍ସବ କ୍ୟାମ୍ପସ ବାହାରେ ହେଉଛି। ପିଏଚ୍‌ଡି ଖୋଲା ଯାଇପାରୁନି। ପିଜି ବିଭାଗ ସଂଖ୍ୟା ୧୦ରେ ସୀମିତ। କର୍ତୃପକ୍ଷ ସବୁ ଜାଣି ହାତ ଟେକିଦେଇଛନ୍ତି। ଯଦି ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଏବିଭିପି ରାସ୍ତାକୁ ଓହ୍ଲାଇବ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର