ବିରାଜିବେ ମହାମାୟା: ନୂଆପଲ୍ଲୀ ଦୁର୍ଗାପୂଜା ସମିତିରେ ଜମିବ ରାମଲୀଳା, ଜଳିବ ରାବଣ

ମା ବନ୍ଦାଣ ବର ପୀଠରେ ଷୋଳ ପୂଜାରୁ ଆରମ୍ଭ ହେବ ନୂଆପଲ୍ଲୀ ଦୁର୍ଗାପୂଜା ସମିତିର ପୂଜାର୍ଚନା। ଚଳିତ ଥର ପୂଜା ୩୨ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରଦୂଷଣ ମୁକ୍ତ ପୂଜା କରିବାକୁ ଅଣ୍ଟା ଭିଡ଼ିଛି ପୂଜା ସମିତି। ବିଶେଷକରି ତୋରଣରେ ଆକର୍ଷଣ ସାଜିବ ରାଜସ୍ଥାନର ପଦ୍ମାବତୀ ପ୍ୟାଲେସ୍‌। ୮୫ ଫୁଟ ଉଚ୍ଚ ଓ ୧୨୦ ଫୁଟ ଦୀର୍ଘ ବିଶିଷ୍ଟ ଏହି ତୋରଣକୁ ୫୦ରୁ ଅଧିକ କୋଲକାତା ଓ ଓଡ଼ିଆ କାରିଗର ନିର୍ମାଣ କରୁଛନ୍ତି। ତୋରଣର ବାହାର ଓ ଭିତର ପାର୍ଶ୍ବ‌ ସନ୍‌ପ୍ଲେକ୍ସ, ଶଙ୍ଖ, ଶାମୁକା ଓ କଉଡ଼ିରେ ସୁସଜ୍ଜିତ ହେବ। ୬ଟି ଆଲୋକ ତୋରଣ ଓ ଷ୍ଟ୍ରକ୍‌ଚରରେ ଝଲସିବ ହୋଟେଲ୍‌ କ୍ରାଉନ୍‌ରୁ ନୂଆପଲ୍ଲୀ ଥାନା ଛକ। ୧୯ ଫୁଟର ମେଢ଼ ସହ ପୂଜା ପାଇବେ ୧୭ ଫୁଟର ମୃଣ୍ମୟୀ ମୂର୍ତି। ଏଥର ବି ପୂଜାରେ ମଂଚସ୍ଥ ହେବ ରାମଲୀଳା। ପରମ୍ପରାକୁ ଗୁରୁତ୍ବ ପୂର୍ବକ ଷଷ୍ଠୀରୁ ୧୦ମୀ ପର୍ଯ୍ୟନ୍ତ ରାମଲୀଳା ମଂଚସ୍ଥ କରାଯିବ। ୪ଟି ଦଳ ପୁରୁଣା ମଂଚର ଅନୁଭବ ଭେଟିଦେବେ। କସ୍ତୁରବା ବିଦ୍ୟାଳୟ ପଡ଼ିଆରେ ଏଥିପାଇଁ ସ୍ବତନ୍ତ୍ର ମଂଚ ହେବ। ରାତି ତମାମ ରାମ କଥାରେ ବିଭୋର ହେବାର ସୁଯୋଗ ଦେବ ସ୍ବତନ୍ତ୍ର ମଂଚ।

ଏଥର ଆତସବାଜି ମନା
ଚଳିତ ବର୍ଷ କସ୍ତୁରବା ସ୍କୁଲ୍‌ ପଡ଼ିଆରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏଥିପାଇଁ ୭୫ ଫୁଟର ରାବଣ ପ୍ରସ୍ତୁତ କରାଯାଉଛି। ତେବେ ଏଥର ଆତସବାଜି ଫୁଟାଯିବ ନାହିଁ। ସରକାରୀ ନିର୍ଦେଶକୁ ସମ୍ମାନ ଦେଇ ପ୍ରଦୂଷଣ ମୁକ୍ତ ପୂଜାର ବାର୍ତା ଦେବା ପାଇଁ ଆତସବାଜି ପ୍ରଦର୍ଶନ ହେବ ନାହିଁ।
-ପବିତ୍ର ମୋହନ ବେହେରା (ସଭାପତି)

ଭସାଣିରେ ‌୨୦ ମେଢ଼
ମିଳିତ ଭସାଣି କାର୍ଯ୍ୟକ୍ରମରେ ଏଥର ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ୨୦ଟି ମେଢ଼ ସମବେତ ହେବେ। ପାରମ୍ପରିକ ବାଦ୍ୟ ମେଳରେ ପୂଜା ମଣ୍ଡପ ନିକଟରେ ଏକାଠି ହେବା ପରେ ପୂଜା କମିଟି କର୍ମକର୍ତାଙ୍କୁ ସମ୍ବର୍ଧିତ କରାଯିବ। ପରେ ଭସାଣି ଯାତ୍ରା ନୂଆପଲ୍ଲୀରୁ ସିଆର୍‌ପି-ଡିଏଭି ସ୍କୁଲ୍‌ ଛକ-ସିଟି ଓମେନ୍ସ କଲେଜ୍‌ ଦେଇ ଗଙ୍ଗନଗରରେ ମିଳିତ ଭସାଣି ଯାତ୍ରା ଶେଷ ହେବ। ସେଠାରୁ ମେଢ଼ କୁଆଖାଇ ଓ ଦୟା ଅଭିମୁଖେ ବିସର୍ଜନ ପାଇଁ ଯିବେ।
-ମହେନ୍ଦ୍ର ବଳବନ୍ତରାୟ (ସମ୍ପାଦକ)

ଲୋକଙ୍କ ସହଯୋଗ କାମ୍ୟ
ଶାନ୍ତି ଶୃଙ୍ଖଳାର ସହ ପୂଜା ସମାପନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଶ୍ରଦ୍ଧାଳୁଙ୍କ ସମର୍ଥନ। ତେଣୁ ଶ୍ରଦ୍ଧାଳୁମାନେ ସହଯୋଗ କରିବା ପାଇଁ ନିବେଦନ। ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ୍‌ ପୁଲିସ୍‌ ସମେତ ଟ୍ରାଫିକ୍‌ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ। ୨ଶହ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀ ରହିବେ। ୩୨ଟି ସିସିଟିଭି ଶୃଙ୍ଖଳା ଉପରେ ନଜର ରଖିବ। ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧାଙ୍କୁ ଦର୍ଶନ ପାଇଁ ଟ୍ରାଇସାଇକେଲ୍‌ ଯୋଗାଇ ଦେବାର ବ୍ୟବସ୍ଥା ରହିବ।
-ନବକିଶୋର ବେହେରା (ଉପଦେଷ୍ଟା)

ସମ୍ବନ୍ଧିତ ଖବର