ଖଦି ପିନ୍ଧି ରୢାମ୍ପ୍‌ରେ ଚାଲିଲେ ଛାତ୍ରଛାତ୍ରୀ

ଏକ୍ସଆଇଏମ୍‌ବିର ବାର୍ଷିକ ମ୍ୟାନେଜ୍‌ମେଣ୍ଟ ମିଟ୍‌ ‘ଏକ୍ସପ୍ରେସନ’

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଏକ୍ସଆଇଏମ୍‌ବିର ତିନି ଦିନିଆ ବାର୍ଷିକ ମ୍ୟାନେଜ୍‌‌ମେଣ୍ଟ ମିଟ୍‌ ‘ଏକ୍ସପ୍ରେସନ’ ଓ ଖଦି ଫେସନ୍‌ ସୋ’। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଏକ୍ସଆଇଏମ୍‌ବି ପରିସରରେ ବିଭିନ୍ନ ମ୍ୟାନେଜ୍‌ମେଣ୍ଟ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଖଦି ଫେସନ୍‌ ସୋ’ ଆୟୋଜନ କରାଯାଇଥିଲା। ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ଖଦି ବୋର୍ଡ ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି ଏକ ସୋ’ ଆୟୋଜନ କରିଥିବା ବେଳେ ଏଥିରେ ବିଶେଷକରି ଖଦି, ଓଡ଼ିଶାର ରେଶମ, ଟସର, ସୂତା, ଅବ୍ୟବହୃତ ସାମଗ୍ରୀ ଯଥା- ଅଖା, କ୍ୟାରି ବ୍ୟାଗ୍‌, ତାସ୍‌, ନିଉଜ୍‌ ପେପର, ଛତା କପଡ଼ା, ପେପର ପ୍ଲେଟ୍‌କୁ ଛାତ୍ରଛାତ୍ରୀମାନେ ବ୍ୟବହାର କରିଥିଲେ। ଏକ୍ସଆଇଏମ୍‌ବି, ଶ୍ରୀଶ୍ରୀ ୟୁନିଭର୍ସିଟି, ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି ସମେତ ରାଜ୍ୟର ଅନ୍ୟାନ୍ୟ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଏହି ସୋ’ରେ ଅଂଶଗ୍ରହଣ କରିଥିଲେ। କଟକର ରୁପା‌ ତାରକସି, ରୁପା ଗହଣା, ଯାଜପୁର ଜିଲ୍ଲା ଚକଗୋପାଳପୁରର ଟସର, ସମ୍ବଲପୁର, ସୋନପୁର, କଟକର ମାଣିଆବନ୍ଧ, କୋରାପୁଟର କୋଟପାଡ଼ ଖଦି କପଡ଼ାକୁ ଆକର୍ଷଣୀୟ ଢଙ୍ଗରେ ଛାତ୍ରଛାତ୍ରୀ ପରିଧାନ କରି ରୢାମ୍ପରେ ଚାଲିଥିଲେ। ରାଜ୍ୟରେ ପ୍ରଥମ ଥର ପାଇଁ ସରକାରଙ୍କ ଖଦି ବୋର୍ଡ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି ଏବଂ ଯୁବବର୍ଗ ମଧ୍ୟରେ ଖଦି ଓ ଓଡ଼ିଶାର ଟସର, ରେଶମ ବସ୍ତ୍ରକୁ ଲୋକପ୍ରିୟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‌େଯାଗଦେଇ ଓଡ଼ିଶା ଖଦି ବୋର୍ଡର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ସୂଚନା ଦେଇଛନ୍ତି। ବି‌ଶେଷକରି ଓଡ଼ିଶାର ରେଶମ, ଟସର ଓ କଟନ୍‌କୁ ଦେଶବିଦେଶର ବଜାରରେ ପ୍ରବେଶ କରିବାକୁ ଏଭଳି ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପରିଡ଼ା କହିଥି‌ଲେ। ଛାତ୍ରଛାତ୍ରୀଙ୍କୁ ନେଇ ମୋଟ ୨ଟି ପର୍ଯ୍ୟାୟରେ ୩୨ଟି ଖଦି ଡିଜାଇନ୍‌ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାର ଖଦି ଓ ପାଟ ବସ୍ତ୍ର ପରିଧାନ କରି ଛାତ୍ରଛାତ୍ରୀମାନେ ରୢାମ୍ପରେ ଚାଲିଲା ବେଳେ ବେଶ ଆକର୍ଷଣୀୟ ଲାଗୁଥିଲେ ଏବଂ ଏହା ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଖଦି ବୋର୍ଡର ଅଧ୍ୟକ୍ଷ ଶ୍ରୀ ପରିଡ଼ାଙ୍କ ସମେତ ଅଭିନେତ୍ରୀ ଏଲିନା ଦାସ, ଫେସନ୍‌ ଡିଜାଇନର୍‌ ରାମୋ‌ଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ଫେସନ ଡିଜାଇନର୍‌, ମଡେଲ୍‌ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର