ରଙ୍ଗମାଟିଆ ଲଣ୍ଡା ହତ୍ୟାକାଣ୍ଡ: ପୁଲିସ୍ ପଞ୍ଝାରେ ମାଷ୍ଟରମାଇଣ୍ଡ!

ଚନ୍ଦ୍ରଶେଖରପୁର: ରଙ୍ଗମାଟିଆ ଗ୍ରାମର ଦୀପକ ବେହେରା ଓରଫ ଲଣ୍ଡା ହତ୍ୟା ଘଟଣାରେ କମିସନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରିଥିବା ଜଣାଯାଇଛି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଥିଲେ ହେଁ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ମଞ୍ଚେଶ୍ବର ଥାନା ପୁଲିସ ମୁହଁ ଖୋଲିନାହିଁ। ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ର ସେଠୀ କହିଛନ୍ତି, ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। କିନ୍ତୁ ଖୁବ୍‌ଶୀଘ୍ର ସବୁ ଅଭିଯୁକ୍ତ ଧରାପଡ଼ିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଯୁବକଜଣଙ୍କ କାର୍‌ରେ ରାଜ୍ୟ ବାହାରକୁ ଯିବା ପାଇଁ ଚେଷ୍ଟା ଚଳାଇଥିଲା। କିନ୍ତୁ ଏକ ବିଶେଷସୂତ୍ରରୁ ଖବର ପାଇ ପୁଲିସ ତା’ ବିଶ୍ରାମ ସ୍ଥାନରେ ପହଞ୍ଚି ତା’କୁ କାବୁ କରିଛି। କିନ୍ତୁ କାର୍ ଓ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

ନାମ ଗୋପନ ରଖିବା ସର୍ତ୍ତରେ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନେ ଲଣ୍ଡାକୁ ହତ୍ୟା କରିବା ପରେ ରାଜ୍ୟ ବାହାରକୁ ପଳାଇଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ କିଛି ଅଭିଯୁକ୍ତ ଭୁବନେଶ୍ବର ଉପକଣ୍ଠର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ସେହିଭଳି ଆଉ କିଛି କଟକ ଜିଲ୍ଲା‌ ଗ୍ରାମାଞ୍ଚଳରେ ଲୁଚି ରହିଛନ୍ତି। ପୁଲିସ୍ ସେମାନଙ୍କ ଠିକଣାରେ ପହଞ୍ଚିବା ପାଇଁ ଜୋରଦାର ପ୍ରୟାସ ଚଳାଉଛି। ଏହି ଘଟଣାରେ ପୁଲିସ କିଛି ସଂଦିଗ୍ଧଙ୍କୁ ଥାନାରେ ପୃଥକ୍‌ ପୃଥକ ଜେରା କରି ଅଭିଯୁକ୍ତଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିଛି।

ସମ୍ବନ୍ଧିତ ଖବର