ରଙ୍ଗମାଟିଆ ଲଣ୍ଡା ହତ୍ୟାକାଣ୍ଡ: ବ୍ରହ୍ମପୁରରୁ ମାଷ୍ଟରମାଇଣ୍ଡ୍ ଗିରଫ

ଚନ୍ଦ୍ରଶେଖରପୁର: ରଙ୍ଗମାଟିଆ ଦୀପକ ବେହେରା ଓରଫ ଲଣ୍ଡା ହତ୍ୟା ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସକୁ ୬ ଦିନ ପରେ ପ୍ରଥମ ସଫଳତା ମିଳିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ପ୍ରମୋଦ ପରିଡ଼ାକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ, ବ୍ରହ୍ମପୁରସ୍ଥିତ ତା’ ଭଉଣୀ ଘରେ ପ୍ରମୋଦ ଆତ୍ମଗୋପନ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗତ ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ସେଠାରୁ ତାକୁ ଭୁବନେଶ୍ବର ଅଣାଯାଇଥିଲା। ତେବେ ପ୍ରମୋଦ ସହ ଥିବା ତା’ ଚାଳକ କୌଶଳକ୍ରମେ କାର୍‌ ନେଇ ସେଠାରୁ ଫେରାର୍‌ ହୋଇଯାଇଥିଲା। ପ୍ରମୋଦ ଜଣେ ବିଲଡର୍‌ ବୋଲି ପୁଲିସ ଜାଣିବାକୁ ପାଇଛି। ତେଣୁ ଜମିଜମା ସଂକ୍ରାନ୍ତକୁ କେନ୍ଦ୍ର କରି ଲଣ୍ଡାକୁ ହତ୍ୟା କରାଯାଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୁଲିସ ପ୍ରମୋଦକୁ ପଚରାଉଚରା କରି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସଂପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରୁଛି। ତା’ ବୟାନକୁ ଆଧାର କରି ପୁଲିସ ଆଜି ରାତିରେ ଅଭିଯୁକ୍ତମାନଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରୁଥିବା ଜଣାଯାଇଛି। ତେବେ ଖୁବଶୀଘ୍ର ସେମାନେ ଧରା ପଡ଼ିଯିବେ ବୋଲି କମିସନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅପରପକ୍ଷେ ପ୍ରମୋଦ ଧରା ପଡ଼ିଯିବା ପରେ ଅଭିଯୁକ୍ତମାନଙ୍କୁ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ କିଛି ସହଯୋଗୀଙ୍କ ନାମ ପ୍ରକାଶ ହୋଇଯିବାର ଭୟ ଥିବାରୁ ସେମାନେ ଗ୍ରାମରୁ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର