ଏୟାର୍‌ ଓଡ଼ିଶା ଏମ୍‌ଡିଙ୍କ ବିରୋଧରେ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ଏତଲାରେ ୬ ଅଭିଯୁକ୍ତ, ୨ ମହିଳା ସହକର୍ମୀ ବି ସାମିଲ୍‌

ଖଣ୍ଡଗିରି: ଏୟାର୍‌ ଓଡ଼ିଶା ପରିଚାଳନା ନିର୍ଦେଶକ ସନ୍ତୋଷ ପାଣିଙ୍କ ବିରୋଧରେ ଅଣାଯାଇଥିବା ଦୁଷ୍କର୍ମ ମାମଲା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ପୀଡ଼ିତା ମହିଳା ତାଙ୍କ ଏତଲାରେ ୬ ଜଣଙ୍କ ନାମ ଉଲ୍ଲେଖ କରିଥିବାରୁ ମାମଲାଟି ଅଧିକ ଜଟିଳ ହୋଇପଡ଼ିଛି। ଏତଲାରେ ଏୟାର୍‌ ଓଡ଼ିଶାର ୨ ଜଣ ମହିଳା ସହକର୍ମୀଙ୍କ ନାମ ଉଲ୍ଲେଖଥିବାରୁ ପୁଲିସ ଅଧିକ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି।

ସୂଚନାନୁସାରେ ମହିଳାଙ୍କ ଏତଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏୟାର୍‌ ଓଡ଼ିଶା ପରିଚାଳନା ନିର୍ଦେଶକ ସନ୍ତୋଷ ପାଣି। ସେ ତାଙ୍କୁ ଘରେ ଛାଡ଼ିଦେବା ବାହାନାରେ ବାଟରେ ଏକ ଦୋକାନରୁ ମଦ କିଣି କାର୍‌ ଭିତରେ ପିଇବା ସହ ମହିଳାଙ୍କୁ ନିଶା ମିଶ୍ରିତ ମୃଦୁ ପାନୀୟ ପିଆଇ ଏହି କାଣ୍ଡ କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ଏହା ଥିଲା ଅଗଷ୍ଟ ୧୦ ତାରିଖର କଥା। ସେହିଭଳି ପରଦିନ ପୁଣି ସନ୍ତୋଷ ପୀଡ଼ିତାଙ୍କୁ ପାତ୍ରପଡ଼ା ଅଞ୍ଚଳରେ ରହୁଥିବା ସନ୍ତୋଷ ଜାଲି ନାମକ ଜଣେ ବନ୍ଧୁଙ୍କ ଘରକୁ ନେଇଥିଲେ ଓ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏମିତି ଦୁଇ ଦୁଇ ଥର ସେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି। ତେବେ ଏଭଳି ମାମଲାରେ ଏୟାର୍‌ ଓଡ଼ିଶାର ଅନ୍ୟ କର୍ମଚାରୀମାନଙ୍କ କି ପ୍ରକାର ଭୂମିକା ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଏମିତିକି ଏୟାର୍‌ ଓଡ଼ିଶାର ଯେଉଁ ମହିଳା ସହକର୍ମୀଦ୍ୱୟଙ୍କ ନାମ ଏତଲାରେ ରହିଛି, ସେମାନେ ଏହି ଅଭାବନୀୟ କାଣ୍ଡରେ କି ପ୍ରକାର ଭୂମିକା ନେଇଥିଲେ, ତାହା ବି ପୀଡ଼ିତା ଏତଲାରେ ସ୍ପଷ୍ଟ କରିନାହାନ୍ତି। ତେଣୁ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପାଣି ଓ ବନ୍ଧୁ ସନ୍ତୋଷ ଜାଲିଙ୍କୁ ବାଦ୍‌ ଦେଲେ, ଅନ୍ୟ ୪ ଜଣ କର୍ମଚାରୀଙ୍କୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି। ଅଗଷ୍ଟ ୨୦ ତାରିଖରେ ପୀଡ଼ିତାଙ୍କ ସହ ଏହି କମ୍ପାନିର କିଛି କର୍ମଚାରୀଙ୍କ ସହ ଝଗଡ଼ା ହୋଇଥିଲା ଓ ସେତେବେଳେ ଏହି ମାମଲା ଖଣ୍ଡଗିରି ଥାନାରେ ପହଞ୍ଚିଥିଲା। ପରେ ଏହାର ଆପୋସ ସମାଧାନ ହୋଇଥିଲା। ତେଣୁ ସେହି ରାଗରେ ପୀଡ଼ିତା ଏବେ ଅନ୍ୟମାନଙ୍କୁ ଯୋଡ଼ୁଥିବା ନେଇ ପୁଲିସ ସନ୍ଦେହ କରୁଛି। ତଦନ୍ତକାରୀ ଅଧିକାରୀଙ୍କ ସୂଚନାନୁସାରେ ପୀଡ଼ିତାଙ୍କ ମେଡିକାଲ ଯାଞ୍ଚ ପରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର