ଏୟାର୍‌ ଓଡ଼ିଶା ଏମ୍‌ଡିଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା

ମାଜିଷ୍ଟ୍ରେଟ୍‌ ନିକଟରେ ହେଲା ବୟାନ ରେକର୍ଡ

ଖଣ୍ଡଗିରି: ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଏୟାର୍‌ ଓଡ଼ିଶା ପରିଚାଳନା ନିର୍ଦେଶକ ସନ୍ତୋଷ ପାଣିଙ୍କୁ ତୁରନ୍ତ ଗିରଫ ନ କଲେ, ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ। ତାଙ୍କୁ ନ୍ୟାୟ ନ ମିଳିଲେ, ତାଙ୍କ ନିକଟରେ ଅନ୍ୟ କିଛି ବାଟ ନାହିଁ। ତାଙ୍କ ମୃତ୍ୟୁ ପାଇଁ ଭୁବନେଶ୍ୱର କମିସନରେଟ୍‌ ପୁଲିସ ଦାୟୀ ରହିବ। ଗୁରୁବାର ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ପୀଡ଼ିତା। ଅପରପକ୍ଷେ ଖଣ୍ଡଗିରି ଥାନା ପୁଲିସ ବୁଧବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିବାବେଳେ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ତାଙ୍କୁ ହାଜର କରାଇ ୧୬୪ ଧାରାରେ ବୟାନ ରେକର୍ଡ କରାଇଛି। ମେଡିକାଲ ଯାଞ୍ଚ ରିପୋର୍ଟ ଆସିବାକୁ ଆଉ ୨/୩ ଦିନ ଲାଗିବାକୁ ଥିବାବେଳେ ପୀଡ଼ିତାଙ୍କ ଆତ୍ମହତ୍ୟା ଧମକ ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି।

ଆଜି ପୀଡ଼ିତାଙ୍କୁ ନେଇ ଖଣ୍ଡଗିରି ଥାନା ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଇଥିଲା। କିଛି ଆଇନଜୀବୀଙ୍କ ସହ ସେ କୋର୍ଟରେ ହାଜର ହୋଇଥିଲେ। ସେଠାରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ପୀଡ଼ିତା ସମାନ କଥା ଦୋହରାଇଥିଲେ। ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ ଏୟାର୍‌ ଓଡ଼ିଶା ପରିଚାଳନା ନିର୍ଦେଶକ ସନ୍ତୋଷ ପାଣି ତାଙ୍କୁ ଦୁଇ ଦୁଇ ଥର ଦୁଷ୍କର୍ମ କରିଥିଲେ। ଘରେ ଛାଡ଼ିଦେବା ବାହାନାରେ ଶ୍ରୀ ପାଣି ତାଙ୍କୁ ଥରେ କାର୍‌ରେ ଓ ଆଉ ଥରେ ଜଣେ ବନ୍ଧୁଙ୍କ ଘରେ ଦୁଷ୍କର୍ମ କରିଥିଲେ। ପ୍ରଥମ ଥର କାର୍‌ରେ ତାଙ୍କୁ ନିଶା ମିଶ୍ରିତ ମୃଦୁ ପାନୀୟ ଦେଇ ବେହୋସ୍‌ କରିବା ପରେ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଥିଲେ ଓ ଆଜି ମଧ୍ୟ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ସେହି କଥା ଦୋହରାଇଥିବା କହିଛନ୍ତି। ସେ କହିଛନ୍ତି ଯେ କମିସନରେଟ୍‌ ପୁଲିସ ଉପରେ ତାଙ୍କର ଭରସା ରହିଛି। କିନ୍ତୁ ପୁଲିସ ଯଦି ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରେ, ତେବେ ସେ ଆତ୍ମହତ୍ୟା କରିବେ। ତଦନ୍ତ ଅଧିକାରୀଙ୍କ ସୂଚନାନୁସାରେ ଆଉ ଦୁଇ ତିନି ଦିିନ ମଧ୍ୟରେ ପୀଡ଼ିତାଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ ଆସିଯିବ। ସେଥିରୁ କିଛି ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି। ତେବେ ଅଭିଯୋଗ ବିଳମ୍ବରେ ହୋଇଥିବାରୁ ମେଡିକାଲ ଯାଞ୍ଚ ରିପୋର୍ଟ କ’ଣ ଆସିବ, ତାହା ଆକଳନ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ପୀଡ଼ିତାଙ୍କ କଥାରେ କେତେ ସତ୍ୟତା ରହିଛି, ତାହାକୁ ନେଇ ପୁଲିସ ସନ୍ଦେହରେ ପଡ଼ିଛି। ଅଗଷ୍ଟ ମାସରେ ମହିଳାଙ୍କ ପାଇଁ ଖଣ୍ଡଗିରି ଥାନାରେ ଏକ ମାମଲା ହୋଇଥିଲା। ଏୟାର୍‌ ଓଡ଼ିଶା କମ୍ପାନିର ଅନ୍ୟ କର୍ମଚାରୀମାନଙ୍କ ସହ ଏହି ମହିଳାଙ୍କ ଗଣ୍ଡଗୋଳ ହୋଇଥିବାରୁ ଦୁଇ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପରେ ଆପୋସ ସମାଧାନ ହୋଇଥିଲା। ଗଣ୍ଡଗୋଳ କଥାକୁ ନେଇ ସେ ଥାନାକୁ ଆସିପାରିଥିଲେ, ଅଥଚ ଦୁଷ୍କର୍ମର ଶିକାର ହେବା ପରେ ଥାନାକୁ ନ ଆସି ସେ କାହିଁକି କୋଲକାତା ପଳାଇଥିଲେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର