କଟକ: ଏସ୍ସିବି କାର୍ଡିଓଥୋରାସିସ୍ ବିଭାଗରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ୧୮ବର୍ଷ ଯୁବକର ବାମପଟ ଅଳିନ୍ଦ (ଅରିକିଲ୍) ଜନ୍ମରୁ ଅସ୍ବାଭାବିକ ଭାବେ ବଢୁଥିଲା। ବୟସ ବଢିବା ସହିତ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଥିଲେ ରୋଗୀ। ଏଭଳି ରୋଗକୁ ଇଡିଓପାଥିକ୍ ଲେଫ୍ଟ ଆଟରିଆଲ ଅନ୍ୟୁରିଜିମ୍ ବୋଲି କୁହାଯାଏ। ବିଶ୍ବରେ ମାତ୍ର ୬/୭ଜଣଙ୍କଠାରେ ଏହି ସମସ୍ୟା ଦେଖାଦେଇଛି। ଦୀର୍ଘ ୭ଘଣ୍ଟା ଧରି ଏଭଳି ଏକ ବିରଳ ରୋଗର ଅସ୍ତ୍ରୋପଚାର କରାଯିବା ପରେ ରୋଗୀ ସୁସ୍ଥ ଥିବା କହିଛନ୍ତି ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରଫେସର ମନୋଜ କୁମାର ପଟ୍ଟନାୟକ।
ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ର କୋଇଲିପୁର ଗ୍ରାମର ଅମର ସାହୁ(୧୮)ଙ୍କ ବାମପଟ ଅଳିନ୍ଦ (ଲେଫ୍ଟ ଆଟରିଆଲ ଅନ୍ୟୁରିଜିମ୍) ଜନ୍ମରୁ ଅସ୍ବାଭାବିକଭାବେ ବଢୁଥିଲା। ଯାହା ଫଳରେ ତାଙ୍କର ଶ୍ବାସନଳୀ ଉପରେ ଚାପ ପଡୁଥିଲା ଓ ସେ ଅଣନିଶ୍ବାସୀ ହୋଇପଡୁଥିଲେ। ଏପରିକି ହୃତପିଣ୍ଡର ବିଭିନ୍ନ ଅଂଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା। ହୃଦ୍ସ୍ପନ୍ଦନରେ ବ୍ୟତିକ୍ରମ ହେଉଥିଲା। ଖାଦ୍ୟନଳୀ ଉପରେ ଚାପ ପଡିବା ଫଳରେ ଖାଦ୍ୟ ଖାଇବାରେ ମଧ୍ୟ ଅସୁବିଧା ହେଉଥିଲା। ଏଭଳି ରୋଗ ସାଧାରଣତଃ ବହୁତ ବିରଳ ଓ ଅଦ୍ୟାବଧି ବିଶ୍ବରେ ୬/୭ଜଣ ରୋଗୀଙ୍କ ପାଖରେ ଏହି ରୋଗ ଦେଖାଦେଇଥିବା ପ୍ରଫେସର ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତ କିଛିବର୍ଷ ହେଲା ସେ ଏସ୍ସିବି ହୃଦ୍ରୋଗ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ କାର୍ଡିଓଥୋରାସିସ୍ ବିଭାଗରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ୭ଘଣ୍ଟା ଧରି ଓପନ୍ ହାର୍ଟ ସର୍ଜରି କରାଯାଇଥିଲା। ସର୍ଜରି କରି ଗୋଲାକାରର ୧୦ ଇଞ୍ଚ ପରିଧି ଆକୃତିକୁ ବାହାର କରାଯାଇ ତାର ଆକୃତିକୁ ଛୋଟ କରାଯାଇ ପୁଣି ଲଗାଯାଇଥିଲା। ହୃଦ୍ବକ୍ଷଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ଆସିଷ୍ଟାଣ୍ଟ ପ୍ରଫେସର ସାରଦା ପ୍ରସନ୍ନ ସାହୁ, ଡାକ୍ତର ଚିତ୍ତରଂଜନ ଥାଟୋଇ, ନିଶ୍ଚେତକ ବିଭାଗ ଡାକ୍ତର ନାରାୟଣ ଆଚାର୍ଯ୍ୟଙ୍କ ସମେତ ଏହି ଅସ୍ତ୍ରୋପଚାର ଟିମ୍ରେ ୮ଜଣ ରହିଥିଲେ। ୩ ଜଣ ସର୍ଜନ ଓ ୫ ଜଣ ନିଶ୍ଚେତକ ବିଭାଗ ଡାକ୍ତର ସାମିଲ ହୋଇଥିଲେ। ଅସ୍ତ୍ରୋପଚାର ପରେ ଯୁବକଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କର ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏଭଳି ଅସ୍ତ୍ରୋପଚାର ଏସ୍ସିବିରେ ତଥା ରାଜ୍ୟରେ ପ୍ରଥମ ବୋଲି ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/scb-scbmch.nic_.in_-1.jpg)