ମିଠା ମିଠା ରସଗୋଲା ସଂଧ୍ୟା

ଭୁବନେଶ୍ୱର : ଆସୁଛି ଜଗତର ନାଥ ଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ର ଶୁଭ ଅବସର। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ମା’ଙ୍କୁ ରସଗୋଲା ଖୁଆଇବେ। ଏହାକୁ ହିଁ ଓଡ଼ିଆମାନେ ‘ରସଗୋଲା ଦିବସ’ ଭାବେ ଧରି ନେଇଛନ୍ତି। ତେବେ ଏହି ଦିବସର ଅବ୍ୟବହିତ ପୂର୍ବରୁ ଆଜି ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହୋଇଯାଇଛି ‘ଆମ ରସଗୋଲା’ କାର୍ଯ୍ୟକ୍ରମ। ଏହି ଅବସରରେ ପଶ୍ଚିମବଙ୍ଗ ଓ ଓଡ଼ିଆଙ୍କ ମଧ୍ୟରେ ରସଗୋଲା ଲଢ଼େଇ, ରସଗୋଲାର ଇତିହାସ, ଏହାର ଜିଆଇ ମାନ୍ୟତା ଓ ରସଗୋଲାକୁ ନେଇ ଓଡ଼ିଶାରେ ବ୍ୟବସାୟକୁ ସଂପକରେ ବିଭିନ୍ନ ଆଲୋଚନା ହେବା ସହ ରସଗୋଲାକୁ ନେଇ ଗୀତ ବି ପରିବେଷଣ କରାଯାଇଥିଲା।

ଏଥିରେ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଯୋଗ ଦେଇ କହିଲେ, ପଶ୍ଚିମବଙ୍ଗର ଇତିହାସ ଅନୁଯାୟୀ ୧୮୬୯ରେ ପ୍ରଥମେ ରସଗୋଲାର ଜନ୍ମ। କିନ୍ତୁ ଦାଣ୍ଡି ରାମାୟଣର ବର୍ଣ୍ଣନା କହୁଛି ପଞ୍ଚଦଶ ଶତାବ୍ଦୀର ଶେଷ ଓ ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ରସଗୋଲା ଓଡ଼ିଶାରେ ଥିଲା ଓ ଏହି ତଥ୍ୟକୁ ସେମାନେ ଖଣ୍ଡନ କରିପାରିବେ ନାହିଁ। ପୁଣି ୧୯୨୧ରେ ଛପାଯାଇଥିବା ‘ଟିପିକାଲ୍‌ ସିଲେକ୍‌ସନ୍‌ସ୍‌୍‌ ଫ୍ରମ୍‌ ଓଡ଼ିଆ ଲିଟ୍‌ରେଚର୍‌’ରେ ବଙ୍ଗଳା ପ୍ରଫେସର ବିଜୟ ଚନ୍ଦ୍ର ମଜୁମ୍‌ଦାର୍‌ ଦାଣ୍ଡି ରାମାୟଣର ଏହି ରସଗୋଲା ବର୍ଣ୍ଣନା ବିଷୟରେ ଲେଖିଛନ୍ତି। ରସଗୋଲା ଓଡ଼ିଶାର ଏହା ହେଉଛି ତା’ର ସବୁଠୁ ବଡ଼ ପ୍ରମାଣ। କାରଣ ବଙ୍ଗାଳୀମାନେ ନିଜ ମାଟିର ଇତିହାସକୁ ଖଣ୍ଡନ କରିପାରିବେ ନାହିଁ।

ବିଶିଷ୍ଟ ଖାଦ୍ୟ ଗବେଷକ ସାହାବୁଦ୍ଦିନ ମହମ୍ମଦ ଗନି ରସଗୋଲା ବିଷୟରେ କହିଲେ, ରସଗୋଲା ଆମ ଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ର ନୈବେଦ୍ୟ। ସେ କହିଛନ୍ତି, ଯେଉଁ ଗାଈ କେବଳ ଘାସ ବା ସବୁଜ ପତ୍ର ଖାଏ, ସେ ଗାଈର ଦୁଗ୍ଧରୁ ତିଆରି ରସଗୋଲାରେ ଚର୍ବି ଅଧିକ ନ ଥାଏ। ଏହା ହେଉଛି ଓଡ଼ିଶାର ରସଗୋଲା। କିନ୍ତୁ ଗହମ, ଚୋକଡ଼ ଖିଆ ଗାଈ ଦୁଗ୍ଧରେ ତିଆରି ରସଗୋଲା ସ୍ପଞ୍ଜ ପରି ଲାଗେ। ଏହା ହିଁ ହେଉଛି କଟକ ଓ କୋଲକାତା ରସଗୋଲା ମଧ୍ୟରେ ଫରକ।

ଓଡ଼ିଆ ଅସ୍ମିତା ପାଇଁ କାର୍ଯ୍ୟରତ ଅନିତା ସାବତ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସଭାପତି ବିମ୍ବାଧର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ରସଗୋଲାକୁ ନେଇ ପ୍ରସ୍ତୁତ ଗୀତ ‘ବାଃ ବାଃ ରସଗୋଲା… ହାଃ ହାଃ ରସଗୋଲା’ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ପୁଣି ଏହି ଗୀତର ଲେଖକ ଗୀତିକାର ଦେବଦାସ ଛୋଟରାୟ ଓ ସଂଗୀତ ନିର୍ଦ୍ଦେଶକ ବିଭୂତି ଭୂଷଣ ଗଡ଼ନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଗୀତର ଭିଡିଓ ସିଡି ରଥଯାତ୍ରା ଅବସରରେ ଦିଲ୍ଲୀରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିୟତ୍‌ପ୍ରଜ୍ଞା ତ୍ରିପାଠୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର