ମିଥ୍ୟା ତଥ୍ୟ ଦେଇ ବଙ୍ଗଳା ଜିଆଇ ମାନ୍ୟତା ପାଇଛି

ପୁସ୍ତକ ମେଳାରେ ରସଗୋଲା ସନ୍ଧ୍ୟା

ଭୁବନେଶ୍ୱର : ବଙ୍ଗଳାର ରସଗୋଲାକୁ ନେଇ ହରିପଦ ଭୌମିକଙ୍କ ରଚିତ ପୁସ୍ତକରେ ବହୁ ମିଥ୍ୟା ତଥ୍ୟ ରହିଛି। ଏହାକୁ ନେଇ ବଙ୍ଗଳା ସରକାର ଜିଆଇ ମାନ୍ୟତା ହାସଲ କରିଛି। ଏହା ବିରୋଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବାଦ କରାଯିବା ଦରାକାର। ଆଜି ରାଜଧାନୀ ପୁସ୍ତକ ମେଳା ମଞ୍ଚରେ ‘ଆମ ଓଡ଼ିଶା’ ପକ୍ଷରୁ ଅନୁଷ୍ଠିତ ରସଗୋଲା ସନ୍ଧ୍ୟାରେ ବିଶିଷ୍ଟ ଗବେଷକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଏପରି ମତବ୍ୟକ୍ତ କରିଛନ୍ତି।

ଶ୍ରୀ ମହାନ୍ତି କହିଲେ ଯେ ପଶ୍ଚିମବଙ୍ଗ ରସଗୋଲାର ଇତିହାସ ପ୍ରାୟ ଦେଢ଼ ଶହ ବର୍ଷର। ୧୮୯୬ ମସିହାରେ ରଚିତ ଏକ କବିତାରେ ରସଗୋଲା କଥା ବର୍ଣ୍ଣନା ଥିବା ଦର୍ଶାଇ ବଙ୍ଗଳା ସରକାର ଜିଆଇ ମାନ୍ୟତା ପାଇଁ ପ୍ରମାଣସ୍ୱରୂପ ଦାଖଲ କରିଛି। କିନ୍ତୁ ୧୮୯୩ ମସିହାର ଏକ କବିତାରେ କଟକ ବାଲିଯାତ୍ରାରେ ରସଗୋଲା ଉପଲବ୍ଧ ହେବା କଥା ବର୍ଣ୍ଣନା ରହିଛି। ପୁଣି ୧୩ଶହ ଶତାବ୍ଦୀରୁ ଆମ ମନ୍ଦିରରେ ଛେନା ଭୋଗ ପରମ୍ପରା ରହିଛି। ଆମ ପାଖରେ ଏମିତି ଅନେକ ଦୃଢ଼ ପ୍ରମାଣ ଅଛି। ଏ ସମସ୍ତ ପ୍ରମାଣ ଓଡ଼ିଶା ସରକାରଙ୍କୁ ଦିଆଯାଇଛି। ଆମର ଦାଣ୍ଡି ରାମାୟଣରେ ରସଗୋଲା କଥା ଉଲ୍ଲେଖ ଅଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭରୁ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲାର ପରମ୍ପରା ରହିଛି। ତେଣୁ ରଥଯାତ୍ରାର ଅନେକ ବର୍ଷ ପୂର୍ବରୁ ରସଗୋଲାର ସୃଷ୍ଟି ବୋଲି ସ୍ପଷ୍ଟ ପ୍ରମାଣିତ। ତେଣୁ ଶ୍ରୀଜଗନ୍ନାଥଙ୍କ ରସଗୋଲା ନାମରେ ଆମେ ମଧ୍ୟ ଓଡ଼ିଶାର ରସଗୋଲା ପାଇଁ ଜିଆଇ ମାନ୍ୟତା ହାସଲ କରିପାରିବା। ଅନ୍ୟତମ ଆଲୋଚକ ରସଗୋଲାର ପ୍ରବାଦ ପୁରୁଷ ବିକଳାନନ୍ଦ କରଙ୍କ ପୁତ୍ର ପ୍ରଶାନ୍ତ କର କହିଲେ, ୨୦୧୧ ମସିହାରେ ରସଗୋଲାକୁ ନେଇ ଓଡ଼ିଶାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପଶ୍ଚିମବଙ୍ଗର ପ୍ରଫେସର ଅସୀମ ଦାସଗୁପ୍ତା ରସଗୋଲର ଉତ୍ପତ୍ତି ଓଡ଼ିଶାରେ ବୋଲି ସ୍ୱୀକାର କରିଥିଲେ। ବ୍ଲଗର ତଥା ରସଗୋଲା ଦିବସ ପାଳନର ଉଦ୍ୟୋକ୍ତା ଡ. ଅନିତା ସାବତ କହିଲେ, ଗଣମାଧ୍ୟମରେ ଅନେକ ଭୁଲ୍‌ ଖବର ପରିବେଷଣ ପାଇଁ ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଛି ଯେ ରସଗୋଲା ବଙ୍ଗଳାର। କିନ୍ତୁ ଏହା ଭୁଲ୍‌। ଅନ୍ୟମାନଙ୍କ ମଧ୍ୟରେ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ, ଉତ୍କଳ ମିଷ୍ଟାନ୍ନ ବ୍ୟବସାୟ ସମିତି ସଭାପତି ବିମ୍ବାଧର ବେହେରା, ଡ. ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ରସଗୋଲା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜି ଲୋକାର୍ପିତ ହେବ ଶ୍ରୀଜଗନ୍ନାଥଙ୍କ ରସଗୋଲା ପୁସ୍ତକ

ଗବେଷକ ଅସିତ ମହାନ୍ତିଙ୍କ ରଚିତ ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ପୁସ୍ତକ ଗୁରୁବାର ପୁସ୍ତକ ମେଳାରେ ଲୋକାର୍ପିତ ହେବ। ଶ୍ରୀ ମହାନ୍ତି ଏଥିରେ ତଥ୍ୟ ସମ୍ବଳିତ ଉପସ୍ଥାପନ କରି ରସଗୋଲା ଉତ୍ପତ୍ତିି ଓଡ଼ିଶାରେ ବୋଲି ପ୍ରମାଣ ଦେଇଛନ୍ତିି। ବଙ୍ଗଳାର ହରିପଦ ଭୌମିକ ରଚନା କରିଥିବା ପୁସ୍ତକରେ ରସଗୋଲା ସମ୍ପର୍କରେ କିଭଳି ମିଥ୍ୟା ତଥ୍ୟ ଦେଇଛନ୍ତି, ତାହାର ପ୍ରମାଣ ରହିଛି। ‘ଶ୍ରୀଜଗନ୍ନାଥଙ୍କ ରସଗୋଲା’ ପୁସ୍ତକକୁ ଯେଉଁମାନେ କ୍ରୟ କରିବେ ସେମାନଙ୍କୁ ପାରମ୍ପରିକ ରିହାତି ବଦଳରେ ରିହାତି ଦରର ରସଗୋଲା ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର