ରସୁଲଗଡ଼ ଫ୍ଲାଏଓଭର୍‌ର ଏକ୍ସପାନ୍‌ସନ୍‌ ଜଏଣ୍ଟ‌ରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି ସିମେଣ୍ଟ ଖଣ୍ଡ

୫ ବର୍ଷ ତଳେ ନିର୍ମାଣ ହୋଇଥିଲା ଫ୍ଲାଏଓଭର୍‌

ଭୁବନେଶ୍ୱର : ରସୁଲଗଡ଼ ଫ୍ଲାଏଓଭର୍‌ର ଏକ୍ସପାନ୍‌ସନ୍‌ ଜଏଣ୍ଟ‌ରେ ପାଖାପାଖି ୫୦ କେଜି ଓଜନର ଏକ ସିମେଣ୍ଟ ଖଣ୍ଡ ଝୁଲି ରହିବା ଘଟଣାକୁ କେନ୍ଦ୍ର କରି ଆଜି ରାଜଧାନୀ‌ରେ ହଇଚଇ ସୃଷ୍ଟି ହୋଇଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଯିବା ରାସ୍ତା ସମ୍ମୁଖ‌ ଫ୍ଲାଏଓଭର୍‌ ଜଏଣ୍ଟରେ ଏହି ସିମେଣ୍ଟ ଖଣ୍ଡ ଦୀର୍ଘ ଦିନ ଧରି ଏମିତି ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିଲେ ହେଁ କାହାର ନଜର ପଡ଼ି ନ ଥିଲା। ତେବେ ଏହି ଛକରେ ଥିବା ନ୍ୟାସନାଲ ଇନ୍‌ସିଓରାନ୍ସ କମ୍ପାନିର ଜଣେ କର୍ମଚାରୀ ସତ୍ୟନାରାୟଣ ସାହୁଙ୍କ ନଜରକୁ ଆସିବା ପରେ ଘଟଣା ପ୍ରଘଟ ହୋଇଥିଲା। ଶ୍ରୀ ସାହୁ ତତ୍‌କ୍ଷଣାତ୍‌ ମଞ୍ଚେଶ୍ବର ଥାନା ପୁଲିସକୁ ଏ ସଂପର୍କରେ ଅବଗତ କରାଇବା ସହ ତଳେ ଯାଉଥିବା ଯାତ୍ରୀମାନଙ୍କୁ ସଚେତନ କରାଇଥିଲେ। ପୁଲିସଠାରୁ ଖବର ପାଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍‌ ସହାୟତା‌‌ରେ ଏହି ବଡ଼ ସିମେଣ୍ଟ ଖଣ୍ଡକୁ ହଟାଇଥିଲେ। ଏହି ସମୟରେ ମଞ୍ଚେଶ୍ବର ଥାନା ପକ୍ଷରୁ ଫ୍ଲାଏଓଭର୍‌ ତଳ ରାସ୍ତାକୁ ସିଲ୍‌ କରି ଦିଆଯାଇଥିଲା। ତେବେ ଏହାକୁ ନେଇ ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ନିମ୍ନମାନର କାମ ଯୋଗୁଁ ଏକ ବଡ଼ଧରଣର ଅଘଟଣ ଘଟିଥା’ନ୍ତା ବୋଲି ଲୋକମାନେ ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ସିମ୍ପ୍ଲେକ୍ସ ସଂସ୍ଥା ଦ୍ବାରା ନିର୍ମିତ ଏହି ବ୍ରିଜ୍‌ ୨୦୧୪ ମସିହା‌ରେ କାର୍ଯ୍ୟକ୍ଷମ ହୋଇଥିଲା। ମାତ୍ର ୫ବର୍ଷରେ ଏଭଳି ସିମେଣ୍ଟ ଖଣ୍ଡ ଖସିବା ନିମ୍ନମାନର କାମକୁ ସୂଚାଉଛି ବୋଲି ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଯେଉଁଠାରେ ଏହି ସିମେଣ୍ଟ ଖଣ୍ଡ ଝୁଲି ରହିଥିଲା, ଠିକ୍‌ ତାହାରି ତଳେ ଲୋକେ ଯା’ ଆସ କରନ୍ତି। ଏପରିକି ଟ୍ରାଫିକ୍‌ ସଂକେତ ପାଇଁ କିଛି ସମୟ ଅପେକ୍ଷା ମଧ୍ୟ କରନ୍ତି। ଏନେଇ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ସୁବ୍ରତ ନାଗ କହିଛନ୍ତି, ଏକ୍ସପାନ୍‌ସନ ଜ‌ଏଣ୍ଟକୁ ସିମେଣ୍ଟ, ଗୋଡ଼ି ଓ ଲୁହାଛଡ଼ରେ ଯୋଡ଼ା ଯାଇଥାଏ। ଉପରେ ଗାଡ଼ି ଚାଲିବା ଦ୍ବାରା ଅନେକ ସମୟରେ ଝଟ୍‌କାରେ ଯୋଡ଼ା ଯାଇଥିବା ସ୍ଥାନରୁ ପଥର ଛାଡ଼ିଯାଏ। କିନ୍ତୁ ଖସେ ନାହିଁ। ଲୁହାଛଡ଼ ଜରିଆରେ ଏହା ବ୍ରିଜ୍‌ ସହ ବାନ୍ଧି ହୋଇ ରହିଥାଏ। ରସୁଲଗଡ଼ ଓଭରବ୍ରିଜ୍‌ରେ ମଧ୍ୟ ଠିକ୍‌ ଏହିଭଳି ଘଟିଥିଲା। ଏହାକୁ ସୁରକ୍ଷିତ ଭାବେ ହଟାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ। ଏହି ବ୍ରିଜ୍‌ ସମେତ ଅନ୍ୟ ବ୍ରିଜ୍‌ଗୁଡ଼ିକର ଏକ୍ସପାନ୍‌ସନ୍‌ ଜଏଣ୍ଟ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପଳାସୁଣି ଓଭରବ୍ରିଜ୍‌ ଆପ୍ରୋଚ୍‌ ରୋଡ୍‌ ନିମ୍ନମାନର କାମ ଯୋଗୁଁ ଦବି ଯାଇଥିଲା। ଦୀର୍ଘ ୨୪ଘଣ୍ଟା ଟ୍ରାଫିକ୍‌ ବନ୍ଦ ରହିବା ପରେ ଏହାକୁ ମରାମତି କରାଯାଇଥିଲା। ୨୦୧୩ ମସିହାରେ ଜୟଦେବବିହାର ଫ୍ଲାଏ ଓଭର୍‌ରୁ ମଧ୍ୟ ଏଭଳି ଏକ ବଡ଼ ସିମେଣ୍ଟ ସ୍ଲାବ୍‌ ଖସି ପଡ଼ିଥିଲା। ଯଦିଓ କାହା ଉପରେ ପଡ଼ି ନ ଥିଲା, ତେବେ ରାଜଧାନୀବାସୀଙ୍କୁ ଭୟଭୀତ କରାଇ ଥିଲା।

ସମ୍ବନ୍ଧିତ ଖବର