ସୁଦର୍ଶନ ଦେବଙ୍କ ଦାରୁପୀଠରେ ହେବ ରଥଯାତ୍ରା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ଚଳିତ ବର୍ଷ ପ୍ରଥମ କରି ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏନେଇ ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଥିବା ଜଣାପଡ଼ିଛି। ୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରଥ ତିଆରିରେ ପାଖାପାଖି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିବା ଦାୟିତ୍ୱରେ ଥିବା କର୍ମକର୍ତାମାନେ ଜଣାଇଛନ୍ତି। ଛଅ ଚକା ବିଶିଷ୍ଟ ଏହି ରଥର ଆଗରେ ୨ଟି ବଡ଼ ଘୋଡ଼ା ଓ ଆଉ ଦୁଇଗୋଟି ଶୁଆ ସହିତ ଚୂଡ଼ାରେ କଳସ ଶୋଭା ପାଇବ। ପୁରୀ ଭଳି ଏଠାରେ ରଥ ଉପରେ ଛେରାପହଁରା ନୀତି ମଧ୍ୟ ସଂପନ୍ନ ହେବ। ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ରଥରେ ଛେରାପହଁରା କରିବା ପାଇଁ ପ୍ରସ୍ତାବ ରହିଛି। ତାଙ୍କ ଅନୁପସ୍ଥିତିରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଜଣେ ଅବସରପ୍ରାପ୍ତ ପ୍ରଶାସକ ନୀତି କରିବେ।

ରଥ ନିର୍ମାଣ କାର୍ଯ୍ୟରେ ୧୦ ଜଣ କାରିଗର ନିଯୁକ୍ତ ହୋଇଛନ୍ତି। ଶ୍ରୀ ଗୁଣ୍ଡିଚା ଦିନ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ବିଧି ସରିବା ପରେ ଠିକ୍‌ ୪ଟାରେ ରଥ ଟଣା ଆରମ୍ଭ ହେବ। ହୀରାପୁରସ୍ଥିତ ମା’ ତାରିଣୀ ମନ୍ଦିରରେ ରଥ ପହଞ୍ଚିବ। ସେଠାରୁ ପୋଡ଼ପିଠା ଖାଇବା ପରେ ପୁଣି ରଥଟଣା ଆରମ୍ଭ ହେବ। ରଥ ରଥିଜେମା ସ୍ଥିତ (ବାଳକାଟି) ମା’ ଭଗବତୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ମହାପ୍ରଭୁ ଅବସ୍ଥାନ କରିବେ। ଦାରୁପୀଠରେ ରଥଯାତ୍ରା ପରିଚାଳନା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ରଥିଜେମା ଗ୍ରାମର ମୁରବୀ ତଥା ମନ୍ଦିର ପରିଚାଳକଙ୍କୁ ନେଇ ସମନ୍ଵୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରଷ୍ଟର ଆଜୀବନ ନ୍ୟାସୀ ଅଶୋକ ସାହୁ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ଗୁଣ୍ଡିଚା ଦିନ ସମୂହ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ୭୧ ଫୁଟ୍‌ ବିଶିଷ୍ଟ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏହା ପରିସରରେ ଗର୍ଭ ଗୃହ, ନାଟ ମଣ୍ଡପ, ପାଠାଗାର, ଯୋଗ ଗୃହ, ପୂଜା ମଣ୍ଡପ ଏବଂ ଛୋଟ ପିଲାମାନଙ୍କ ପାଇଁ ଏକ ଶିଶୁ ଉଦ୍ୟାନ କରାଯିବାର ପ୍ରସ୍ତାବ ରହିଛି। ସୁଦର୍ଶନ ଦେବଙ୍କ ଘୋଷଯାତ୍ରା ସହିତ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଇଚ୍ଛୁକ ବଦାନ୍ୟ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ବ୍ୟାଙ୍କ ଅଫ୍‌ ବରୋଦା, ଟଙ୍କପାଣି ରୋଡ୍‌ ଶାଖା ଖାତା ନଂ : ୫୧୩୬୦୧୦୦୦୦୨୯୪୭, ଆଇଏଫ୍‌ଏସ୍‌ସି: ବିଏ ଆର ବିଓ ଟିଏଏନ୍‌କେଏପି ରେ ଦାନ ଅର୍ଥ ପଠାଇପାରିବେ ବୋଲି ପ୍ରେସ ବିଜ୍ଞପ୍ତିରେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର