ହୋ ଭକତେ…

ଶ୍ରୀବାଣୀ କ୍ଷେତ୍ରରେ ରଥଯାତ୍ରା

ସକାଳୁ ଆକାଶରେ ବାଦଲ ଖଣ୍ଡ ଲୁଚକାଳି ଖେଳୁଥିଲେ। ପୂର୍ବାହ୍ନ ବେଳକୁ ବର୍ଷା ଆରମ୍ଭ ହୋଇଥିଲା। ହେଲେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଆଗେ ସବୁ ଫିକା ପଡ଼ିଯାଇଥିଲା। ମଧ୍ୟାହ୍ନରୁ ଅପରାହ୍ନ ଯାଏଁ ପ୍ରବଳ ବର୍ଷା ଚିନ୍ତା ବଢ଼େଇ ଦେଇଥିଲା। ଅଥଚ ରଥଟଣା ବେଳକୁ ଆକଶ ନିର୍ମଳ ହୋଇଯାଇଥିଲା। ଧୀରେଧୀରେ ରଥ ନିକଟକୁ ଭକ୍ତଙ୍କ ସୁଅ ଛୁଟିଥିଲା। ଭକ୍ତିି ଆଗରେ ହାରିଯାଇଥିଲା ବର୍ଷା। ହରିବୋଲ ହୁଳହୁଳି ଶବ୍ଦ ଭିତରେ ଘଡ଼ଘଡ଼ିର ଶବ୍ଦ ମିଳେଇଗଲା। ଯେମିତି ଅନେକ ଦିନ ପରେ ଭକ୍ତ ଓ ଭାଗଗ୍ରାହୀଙ୍କ ମିଳନ ହେଉଥିଲା। ହୋ ଭକତେ ଡାକରେ ଭକ୍ତଙ୍କ ଆବେଗିକ ହୋ… ଉପସ୍ଥିତ ଭକ୍ତଙ୍କୁ କିଛି କ୍ଷଣ ପାଇଁ ଏକ ଭିନ୍ନ ଦୁନିଆକୁ ନେଇ ଯାଉଥିଲା। ବିଦଗ୍ଧ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଦାଣ୍ଡ ଫାଟି ପଡ଼ୁଥିଲା। ବହୁ ପ୍ରତୀକ୍ଷିତ ନେତ୍ର ରଥାରୂଢ଼ ପ୍ରଭୁଙ୍କୁ ଦର୍ଶନ କରି ବିଭୋର ହେଉଥିଲା। ରାସ୍ତାକଡ଼ରେ ଛାଇ ଯାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। କେଉଁଠି ଭକ୍ତ ଦୀପଟିଏ ଜାଳିଦେଇ ଗୁହାରି ବାଢ଼ୁଥିଲା ତ ଆଉ କେଉଁଠି ରଥ ସାମ୍ନାରେ ବିଦଗ୍ଧ ଶିଳ୍ପୀଟିଏ ନୃତ୍ୟରେ ତଲ୍ଲୀନ ହୋଇ ଉଠୁଥିଲା। ଘଣ୍ଟଘଣ୍ଟା, ହୁଳହୁଳି, ସଂକୀର୍ତନର ଆଧ୍ୟାତ୍ମିକ ଗୁଞ୍ଜରଣରେ ଉଚ୍ଛୁଳୁଥିଲା ସହର। ହରି ସଂକୀର୍ତନରେ ଟୋକାଠୁ ବୁଢ଼ା ପର୍ଯ୍ୟନ୍ତ ବାହା ପ୍ରସାରି ନୃତ୍ୟ କରୁଥିବା ବେଳେ ବୃଦ୍ଧାଟିଏ ଦୁଃଖ ଜଣାଉ ଜଣାଉ ତା’ ଆଖିରୁ ନିଗିଡ଼ି ଆସୁଥିଲା ବୁନ୍ଦା ବୁନ୍ଦା ଅଶ୍ରୁ…

କିସ୍‌ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀକ୍ଷେତ୍ରର ରୀତିନୀତି ମୁତାବକ ରଥ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉଙ୍କ ପହଣ୍ଡି ପରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରଥ ଉପରେ ଛେରାପହଁରା କରିଥିଲେ। ଅପରାହ୍ନ ୩ଟା ୨୫ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଭୁଙ୍କୁ ଶିଖରଚଣ୍ଡୀ ପାହାଡ଼ ନିକଟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମାଉସୀ ମା’ ମନ୍ଦିରକୁ ଭକ୍ତମାନେ ଟେଣି ନେଇଥିଲେ। ସେହିଭଳି ପଟିଆରେ ନିର୍ମିତ ସବୁଠୁ ବଡ଼ ରଥ ଦେଖିବାକୁ ବ୍ୟାପକ ଭିଡ଼ ଜମିଥିଲା। ଆର୍‌ସିଏମ୍‌ରେ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିଥିଲେ। ସ୍ଥାନୀୟ ଆଦିବାସୀ ଜନସାଧାରଣ ବାଦ୍ୟ ବଜାଇ ରଥ ଆଗରେ ନୃତ୍ୟ କରିଥିଲେ। ୩ ରଥକୁ ପ୍ରେସ୍‌ କଲୋନିସ୍ଥିତ କାଳୀମନ୍ଦିର ପରିସରସ୍ଥ ମଙ୍ଗଳା ମନ୍ଦିରକୁ ନିଆଯାଇଥିଲା ଏଥିସହ ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର, ବିଡିଏ କଲୋନି, ଶୈଳଶ୍ରୀ ବିହାର, ଭିଏସ୍‌ଏସ୍‌ ନଗର ଓ ରଙ୍ଗମାଟିଆରେ ରଥଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଥିଲା।

ଓୟୁଏଟି କଲୋନି: ୟୁନିଟ୍‌-୮ ଓୟୁଏଟି କଲୋନିସ୍ଥିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୪୬ ବର୍ଷରେ ପହଞ୍ଚିଥିଲା। ରୀତିନୀତି ଅନୁସାରେ ପହଣ୍ଡି, ଛେରାପହଁରା ଆଦି ବିଧି ସମ୍ପନ୍ନ ହୋଇ ଅପରାହ୍‌ଣ ପ୍ରାୟ ୨ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା। ସେତେବେଳକୁ ବର୍ଷା ଅଜାଡ଼ି ହୋଇ ପଡ଼ୁଥିଲା। କିନ୍ତୁ ଭକ୍ତମାନେ ଖାତିର କରି ନଥିଲେ ବର୍ଷାକୁ। ଡାହୁକ ଡାକରାରେ ଉତ୍‌ଫୁଲ୍ଲିତ ଭକ୍ତମାନେ ହରିବୋଲ ହୁଳହୁଳି ପକାଇ ରଥ ଟାଣିଥିଲେ। ରଥ ଗଡ଼ି ଚାଲିଥିଲା ଡେଲ୍‌ଟା-ଜଳେଶ୍ୱର ମନ୍ଦିର ରାସ୍ତାରେ। ଗୋପବନ୍ଧୁ ଛକ ପରେ ଶିରିପୁର ଛକ ଦେଇ ରଥ ପହଞ୍ଚି ଯାଇଥିଲା ମା’ ଝାଡ଼େଶ୍ୱରୀଙ୍କ ମନ୍ଦିର ନିକଟରେ। ମା’ ଝାଡ଼େଶ୍ୱରୀ ହିଁ ଏଠିକାର ମାଉସୀ ମା। ୟୁନିଟ୍‌-୮, ଶିରିପୁର, ଓୟୁଏଟି କଲୋନି, ବରମୁଣ୍ଡା, ଗଙ୍ଗନଗର, ସୂର୍ଯ୍ୟନଗର ଆଦି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା ସାରା ରଥାରୂଢ଼ ତିନି ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ।

ଇସ୍କନ୍‌: ବର୍ଷା ସତ୍ତ୍ୱେ ଇସ୍କନ୍‌ରେ ରଥ ଯାତ୍ରା ଫିକା ପଡ଼ି ନଥିଲା। ମଧ୍ୟାହ୍ନରେ ବର୍ଷା ଏକପ୍ରକାର ଆଶଙ୍କାରେ ପକାଇଥିଲା। ମାତ୍ର ବର୍ଷାରେ ପ୍ରଭୁ ରଥକୁ ବିଜେ କରିଥିଲେ। ତା’ପରେ ବର୍ଷା ଆହୁରି ଦାଉ ସାଜିଥିଲା। ଅଣ୍ଟାଏ ଉଚ୍ଚର ପାଣି ଜମିଥିଲା। ପାଣି ରଥ ଛୁଇଁଥିଲା। ମାତ୍ର ବିଏମ୍‌ସିର କିଛି ସମୟର କସରତ ପରେ ପାଣି ନିଷ୍କାସିତ ହୋଇଯାଇଥିଲା। ଫଳରେ ଅପରାହ୍ନରେ ସୂର୍ଯ୍ୟ ଉଇଁବା ପରେ ଆଶା ଜାଗିଥିଲା। ଶ୍ରୀମଦ ଭକ୍ତିପ୍ରାଣ ଗୋପୀନାଥ ସ୍ୱାମୀ ମହାରାଜ ଛେରାପହଁରା କରିବା ପରେ ଅପରାହ୍ନ ୪ଟାରେ ବଳଭଦ୍ର, ୪ଟା ୧୧ରେ ସୁଭଦ୍ରା ଏବଂ ୪ଟା ୨୨ରେ ଜଗନ୍ନାଥଙ୍କ ରଥ ଗଡ଼ିଥିଲା। ତେବେ ବାଟରେ ୫ଟା ୪୫ରେ ରଥ ଅଟକିବାରୁ ରଥ ୟୁନିଟ୍‌ ୮ ଗୁଣ୍ଡିଚା ବାଡ଼ିରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ପୂର୍ବବର୍ଷ ରଥ ୬ଟାରେ ଲାଗିଥିବା ବେଳେ ଏଥର ସାଢ଼େ ୭ଟା ମଧ୍ୟରେ ସମସ୍ତ ରଥ ପହଞ୍ଚିଥିଲା। ପରେ ପ୍ରଭୁ ଆଡ଼ପ ମଣ୍ଡପକୁ ପହଣ୍ଡି ହୋଇ ବିଜେ କରିଥିଲେ।

ଇସ୍କନ୍‌ ପାଣି ଭୟ ଟଳିଲା
ଅସରାଏ ବର୍ଷାରେ ଇସ୍କନ୍‌ ସମ୍ମୁଖ ଉବୁଟୁବୁ ହେଉଥିବା ବେଳେ ଆଜି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଶଙ୍କା ବଢ଼ିଯାଇଥିଲା। ଆଶଙ୍କା ସତ ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ରଥ ପାଣି ଛୁଇଁଥିଲା। ଅଣ୍ଟାଏ ଉଚ୍ଚର ପାଣି ଜମିଥିଲା। ମାତ୍ର ବିଏମ୍‌ସି ପକ୍ଷରୁ ଦୁଇଟି ପମ୍ପ୍‌ ଲଗାଇ ପାଣି ଶୁଖାଯାଇଥିଲା। ପାଣି ସମସ୍ୟା ଏଡ଼ାଇବା ପାଇଁ ନାଳକୁ ନିଷ୍କାସନ ବାଟ ସ୍ଥାନେସ୍ଥାନେ ପ୍ରଶସ୍ତ କରାଯିବା ପରେ ପାଣି ଛାଡ଼ିଥିଲା।

ଜାକ୍‌ ଲଗେଇ ରଥ ମୋଡ଼ିଲେ
ଇସ୍କନ୍‌ର ରଥ ରାସ୍ତାକୁ ଆସିବା ପାଇଁ ଗଡ଼ାଣି ହୋଇଥିବା ବେଳେ ରଥକୁ ମୋଡ଼ କରିବା ପାଇଁ ଜାକ୍‌ ଲଗାଇବାକୁ ପଡ଼ିଥିଲା। ସମ୍ମୁଖରେ ଓଭରବ୍ରିଜ୍‌ ଥିବାରୁ ରଥ ଦଉଡ଼ିକୁ ଟାଣି ସିଆର୍‌ପି ପଟକୁ ବୁଲାଇବା ସମ୍ଭବ ନଥିଲା। ତେଣୁ ରଥକୁ ଜାକ୍‌ ସାହାଯ୍ୟରେ ୯୦ଂ ପର୍ଯ୍ୟନ୍ତ ମୋଡ଼ାଯିବା ପରେ ରଥ ଗଡ଼ିଥିଲା।

ହରେକୃଷ୍ଣ ହରେରାମ…ସେଲ୍‌ଫି…
ପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇ ଆଗେଇ ଚାଲିଥିବା ବେଳେ ହରେକୃଷ୍ଣ ହରେରାମ.. ମହାମନ୍ତ୍ରର ତାଳେତାଳେ ଦୁଇବାହା ଟେକି ଭକ୍ତିମୁଦ୍ରାରେ ନୃତ୍ୟ କରୁଥିଲେ ଇସ୍କନ୍‌ ଭକ୍ତଗଣ। ତେବେ ତାଙ୍କୁ ଏଭଳି ଭକ୍ତିରେ ତଲ୍ଲୀନ ହୋଇ ଖୁସିରେ ନାଚୁଥିବାର ଦେଖିବା ପରେ ବହୁ କଲେଜ୍‌ ପଢ଼ୁଆ ପିଲା ସନ୍ୟାସୀମାନଙ୍କ ସହ ସମବେତ ହୋଇ ନାଚି ଉଠିଥିଲେ। ଖାଲି ସେତିକି ନୁହେଁ ସେମାନେ ବାହା ପ୍ରସାରି ନାଚୁଥିବା ବେଳେ ଗୋଟେ ସେଲ୍‌ଫି ନେବା ପାଇଁ ଭୁଲୁ ନଥିଲେ।

ବରମୁଣ୍ଡା, ତମାଣ୍ଡୋ, ଡୁମୁଡୁମା, ଭରତପୁର ଓ ଘାଟିକିଆରେ ରଥ
ବରମୁଣ୍ଡା ଭଳି ମିନି ଶ୍ରୀକ୍ଷେତ୍ରରେ ବି ରଥଯାତ୍ରା ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଭକ୍ତମାନେ ରଥକୁ ନୀଳକଣ୍ଠଙ୍କ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଜଗନ୍ନାଥ ମନ୍ଦିରରୁ ୩ ଠାକୁର ୩ ରଥରେ ବିଜେ ହୋଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ଅଭିମୁଖେ ଯାଇଥିଲେ। ସେହିଭଳି ଭରତପୁର, ଘାଟିକିଆ ଓ ଡୁମୁଡୁମାରେ ମଧ୍ୟ ରଥଯାତ୍ରା ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇ ଯାଇଛି। ଦୀର୍ଘ ବର୍ଷ ଧରି ଘାଟିକିଆରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ଜାଗମରା ଧର୍ମବିହାର: ଜାଗମରା ଓ ଗଣ୍ଡମୁଣ୍ଡା ରାଜପଥ ଆଜି ପାଲଟି ଯାଇଥିଲା ବଡ଼ଦାଣ୍ଡ। ତିନି ଠାକୁର ବାହାରିଥିଲେ ଗଣ୍ଡମୁଣ୍ଡାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଅଭିମୁଖେ। ପ୍ରାତଃପୂଜା, ଦ୍ୱାରପାଳ ପୂଜା, ଅବକାଶ ନୀତି ଓ ଖେଚୁଡ଼ି ଅନ୍ନ ଭୋଗ ପରେ ରଥ ପ୍ରତିଷ୍ଠା ଓ ମଙ୍ଗଳାରୋପଣ କରାଯାଇ ପହଣ୍ଡି ହୋଇଥିଲା। ରଥାରୂଢ଼ ହେବା ପରେ ରଘୁନାଥ ମହାନ୍ତି ଛେରାପହଁରା କରିଥିଲେ। ସଂକୀର୍ତନ ମଣ୍ଡଳୀ ସହ ପାରମ୍ପରିକ ଘୋଡ଼ା ନାଚ, ସାହିଯାତ, ନାଗା ନାଚ ଓ କଣ୍ଢେଇ ପରମ୍ପରା ଭକ୍ତି ସହ ଆମୋଦ ଦେଇଥିଲା। ବିଶେଷକରି ଷଣ୍ଢ, ଘୋଡ଼ା, ବଗବଗୁଲି, ବୁଢ଼ାବୁଢ଼ି ନାଚ ଦେଖିବା ବେଳେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଆଖି ଲାଖି ରହୁଥିଲା।

ସମ୍ବନ୍ଧିତ ଖବର