ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦକୁ ନେଇ ବଢ଼ୁଛି ଅସନ୍ତୋଷ

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଥିବା ସରକାରୀ ଜମି ଜବରଦଖଲକୁ ହଟାଇବା ପାଇଁ ପ୍ରଶାସନ ଆଜିଠାରୁ ଜୋରଦାର ଉଚ୍ଛେଦ ଆରମ୍ଭ କରିଛି। ଏହି ଉଚ୍ଛେଦକୁ ଏବେ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ଆରମ୍ଭ କଲେଣି। ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ଉନ୍ନତୀକରଣକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ପ୍ରଶାସନ ଯେଉଁଭଳି ଭାବେ ଉଚ୍ଛେଦ କରୁଛି ତାହାକୁ ବିରୋଧ କରୁଛନ୍ତି। ଏପଟେ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକ, ବିଭିନ୍ନ ନିଯୋଗ, ବ୍ୟବସାୟୀ ସଂଘ, ସାହି ମୁରବିମାନଙ୍କ ସହ ଆଲୋଚନା ନକରି ପଦକ୍ଷେପ ନେଉଥିବାରୁ ଏହି ବିରୋଧ କୁହୁଳିବାରେ ଲାଗିଛି। ଯାହା ଆଗକୁ ଭୟଙ୍କର ରୂପ ନେଇପାରେ।

ଆଗ ଥଇଥାନ, ପରେ ଉ‌େଚ୍ଛଦ
ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣକୁ ସ୍ବାଗତ କରୁଛୁ। ତେବେ କ୍ଷତି ପୂରଣ ନଦେଇ, ଥଇଥାନ ନକରି, ମନ ଇଚ୍ଛା ଚିହ୍ନ ଦେଇ ଭାଙ୍ଗିବାକୁ ଆମେ ବିରୋଧ କରୁଛୁ। ପ୍ରଥମେ ଥଇଥାନ, କ୍ଷତି ପୂରଣ, ସ୍ଥାୟୀ ମାଲିକଙ୍କ ସହ ଆଲୋଚନା କରିବା ପରେ ଉଚ୍ଛେଦ କାର୍ଯ୍ୟ ହେଉ ।
ସୁରେଶ କୁମାର ରାଉତରାୟ, ଜଟଣୀ ବିଧାୟକ

ପୁରୁଣା ଭୁବନେଶ୍ବରକୁ ଦିଲ୍ଲୀ ଭାବନି
ପୁରୁଣା ଭୁବନେଶ୍ବର ଦିଲ୍ଲୀ ନୁହେଁ ଯେ, ମନ ଇଚ୍ଛା ଭାଙ୍ଗି ଦିଆଯିବ। ଏଠାରେ ୨ ଶହ ବର୍ଷ ଧରି ଲୋକ ରହି ଆସୁଛନ୍ତି। ସ୍ଥାୟୀ ପଟ୍ଟାଧାରୀମାନେ ନିଜ ଜମି‌େର ଦୋକାନ କରି ବ୍ୟବସାୟ କରୁଛନ୍ତି। ତେଣୁ ପ୍ରଥମେ ‌ବ୍ୟବସାୟୀଙ୍କୁ ଥଇଥାନ, ଆବଶ୍ୟକୀୟ କ୍ଷତି ପୂରଣ ଦିଅନ୍ତୁ। ତା’ପରେ ଯାହା ପଦକ୍ଷେପ ନେବା କଥା ନିଅନ୍ତୁ।
ସନତ ମିଶ୍ର, ସାଧାରଣ ସମ୍ପାଦକ, ଏକାମ୍ର ସାଂସ୍କୃତିକ ପ୍ରକାଶନୀ

ସ୍ଥାୟୀ କୋଠାକୁ ଭାଙ୍ଗିଲେ ଉନ୍ନତିମୂଳକ କାର୍ଯ୍ୟ କରାଇ ଦେବୁନି
ଉଚ୍ଛେଦ କରାଯାଇଥିବା ବ୍ୟବସାୟୀଙ୍କୁ ଥଇଥାନ କର। ଯଦି ସ୍ଥାୟୀ କୋଠାକୁ ଜବରଦସ୍ତ ଭାଙ୍ଗିବାକୁ ଉଦ୍ୟମ ହୁଏ ତେବେ ଆବଶ୍ୟକ ପଡ଼ିଲେ ଉନ୍ନତି ମୂଳକ କାର୍ଯ୍ୟ କରାଇଦେବୁ ନାହିଁ ବଡ଼ ଧରଣର ଆନ୍ଦୋଳନ ହେବ।
ଅନୁପ ମହାପାତ୍ର , ସମ୍ପାଦକ, ପୁରୁଣା ଭୁବନେଶ୍ବର ବ୍ୟବସାୟୀ ସଂଘ

ଘର କାନ୍ଥରେ ମନଇଚ୍ଛା ଚିହ୍ନ ଦିଆଯାଇଛି
ଲୋକଙ୍କ ଘର କାନ୍ଥରେ ମନଇଚ୍ଛା ଚିହ୍ନ ଦିଆଯାଇଛି । ଅମିନ ଓ ଆର୍‌ଆଇ ନରହି ମାପ କରାଯାଇ ଏହି ଚିହ୍ନ ଦିଆଯାଇଛି। ବ୍ୟବସାୟୀଙ୍କ ସହ ଆଲୋଚନା ନକରି ଭାଙ୍ଗିବା ଘୋର ଅନ୍ୟାୟ।
କମଳାକାନ୍ତ ବଡ଼ୁ, ବଡ଼ୁ ନିଯୋଗ ସମ୍ପାଦକ

ବିନା ଆଲୋଚନାରେ ଉଚ୍ଛେଦକୁ ବିରୋଧ କରୁଛୁ
ବିଏମ୍‌ସି ପକ୍ଷରୁ ଯେଉଁ ସ୍ଥାନ ଉନ୍ନତି କରାଯାଇଥିଲା ତାହାକୁ ମନ ଇଚ୍ଛା ଭଙ୍ଗା ଯାଉଛି। ମନ୍ଦିର ପ୍ରଶାସନ କାହା ସହ ଆଲୋଚନା ନକରି ଏପରି ଅନ୍ୟାୟ କରୁଛି। ବ୍ୟବସାୟୀଙ୍କ ସହ ଆଲୋଚନା ନକରି, କ୍ଷତି ପୂରଣ ନଦେଇ ଭାଙ୍ଗିବାକୁ ଆମେ ବି‌ରୋଧ କରୁଛୁ।
ବିରଞ୍ଚି ନାରାୟଣ ପତି, ସମ୍ପାଦକ, ବ୍ରାହ୍ମଣ ନିଯୋଗ

ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ହଟାଅ
ରାଜଧାନୀରେ ସବୁ ଆଡ଼େ ଶହ ଶହ ଏକର ମହାପ୍ରଭୁଙ୍କ ଜମି ରହିଛି। ପ୍ରଥମେ ସେଥିରୁ ଜବରଦଖଲ ଉଚ୍ଛେଦ କରାଯାଉ। ଅଯଥାରେ ପୁରୁଣା ବ୍ୟବସାୟୀଙ୍କୁ ହଇରାଣ କରି ତାଙ୍କ ଗୁଜୁରାଣ ବନ୍ଦ କରାନଯାଉ।
କାଶୀନାଥ ପୂଜାପଣ୍ଡା, ସଭାପତି, ପୂଜାପଣ୍ଡା ନିଯୋଗ

ଗରିବ ଲୋକଙ୍କୁ ହଇରାଣ କରାଯାଉଛି
ଗରିବ ଲୋକଙ୍କୁ ହଇରାଣ କରାଯାଉଛି। ପ୍ରଥମେ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ କ୍ଷତିପୂରଣ ଦିଆଯାଉ। ତା’ ପରେ ଆଲୋଚନା ମାଧ୍ୟମରେ ଉଚ୍ଛେଦ ହେଉ।
ଭୀଷ୍ମ ନାରାୟଣ ନାୟକ, ସଭାପତି, ଏକାମ୍ର ଜନ ଜାଗରଣ ମଞ୍ଚ

ଜବରଦଖଲରେ ଥିବା ଜମି ଆଗ ଆଣ
ଜଣେ ରାଜନେତା ସାମନ୍ତରାପୁରଠାରେ କୋଟି କୋଟି ଟଙ୍କାର ଲିଙ୍ଗରାଜଙ୍କ ସମ୍ପତ୍ତି ମାଡ଼ି ବସିଛନ୍ତି। ଏହି ଜମିକୁ ପ୍ରଶାସନ ଆଗ ନିଜ ଦଖଲକୁ ଆଣୁ। ସେଠାରେ ବ୍ୟବସାୟୀଙ୍କୁ ଓ ଶ୍ରୀ ଲିଙ୍ଗରାଜ ଥାନାକୁ ସ୍ଥାନାନ୍ତର କରାଯାଉ।
ଅରୁଣ ମହାପାତ୍ର, ସମ୍ପାଦକ, ଅଙ୍କୁଶ

ଆବଶ୍ୟକ ପଡ଼ିଲେ ଅଧିକାରୀଙ୍କ ନାମରେ ମାମଲା ହେବ
ଅଯଥାରେ ସ୍ଥାୟୀ ଦୋକନୀଙ୍କୁ ଭାଙ୍ଗିବା ବନ୍ଦ ନକଲେ, ମନ ଇଚ୍ଛା ଭାଙ୍ଗିଲେ, ଥଇଥାନ ନକରି ଭାଙ୍ଗିଲେ ଅଧିକାରୀଙ୍କ ନାମରେ ମାମଲା କରାଯିବ।
ସଞ୍ଜୀବ ପୂଜାପଣ୍ଡା, ଆଇନଜୀବୀ

ସମ୍ବନ୍ଧିତ ଖବର