ଶ୍ରୀମନ୍ଦିର ପରେ ଶ୍ରୀଲିଙ୍ଗରାଜଙ୍କ ପାଇଁ ଯୋଜନା : ମନଇଚ୍ଛା ଉଚ୍ଛେଦ ହେବନି

ଖୁବ୍‌ ଶୀଘ୍ର ବଡ଼ ଘୋଷଣା
ଶ୍ରୀଲିଙ୍ଗରାଜ ଥାନା, ମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ହେବ!
ମନ୍ଦିର ସମ୍ମୁଖ ଅଞ୍ଚଳ ମୁକ୍ତ ରଖାଯିବ
ପର୍ଯ୍ୟଟକଙ୍କ ଯାତାୟାତ, ରାସ୍ତା ଓ ପାର୍କିଂକୁ ଗୁରୁତ୍ବ ଦିଆଯିବ
ଭୋର୍‌ରୁ ବୁଲିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ପୂର୍ତ୍ତ ସଚିବ
୨୨୫ ବ୍ୟବସାୟୀ ଜବରଦଖଲ କରିଛନ୍ତି

ଭୁବନେଶ୍ବର : ୟୁନେସ୍କୋ ବିଶ୍ବ ଐତିହ୍ୟ ସହର ସାମୟିକ ତାଲିକାରେ ଥିବା ଭୁବନେଶ୍ବରକୁ ଐତିହ୍ୟ ସହରର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ପରେ ଭୁବନେଶ୍ବର ନେଇ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ବରକୁ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ଏକାମ୍ର କ୍ଷେତ୍ର (ପୁରୁଣା ଭୁବନେଶ୍ବର) ଅଞ୍ଚଳରେ ଉନ୍ନତିକରଣ କାର୍ଯ୍ୟ ହେବ। ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରାଯିବ। ଏନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଥିବାବେଳେ ଏହାକୁ କିପରି ରୂପ ଦିଆଯିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଏବଂ ପୂର୍ତ୍ତ ସଚିବ କ୍ରିଷନ କୁମାର କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ସ୍ଥିତି ଦେଖିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ନେଇ ବଡ଼ ଧରଣର ଘୋଷଣା କରିବାକୁ ଯୋଜନା ହୋଇଛି।

ଆଜି ସକାଳୁ ପୁରୁଣା ଭୁବନେଶ୍ବର ବାସିନ୍ଦା ଉଠିବା ପୂର୍ବରୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଲିଙ୍ଗରାଜ ମନ୍ଦିର ଏବଂ ବିନ୍ଦୁସାଗର ନିକଟବର୍ତ୍ତୀ ଅଞ୍ଚଳ ବୁଲି ଦେଖି ଯାଇଥିବା ପ୍ରଚାର ହେବା ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ରହୁଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ପୁରୀ‌ରେ ଯେପରି ମନ୍ଦିର ଠାରୁ ୭୫ମିଟର ଦୂରତା ଭିତରେ ସବୁ ନିର୍ମାଣକୁ ଉଚ୍ଛେଦ କରାଗଲା ଏଠାରେ ସେମିତି ହେବନି ତ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଏଠାରେ ୭୫ ମିଟର ଭିତରେ ଉଚ୍ଛେଦ ହେବ କି ୬୦ମିଟର ଭିତରେ ଉ‌େଚ୍ଛଦ ହେବ ବୋଲି ସକାଳୁ ଜୋରଦାର୍‌ ପ୍ରଚାର ହେଉଥିବାରୁ ଲୋକ ଛାନିଆ ହୋଇଯାଇଛନ୍ତି।

କିନ୍ତୁ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବରେ ଉଚ୍ଛେଦ ହେବ ହେଲେ ପୁରୀ ଭଳି ହେବନି। ଏଠାରେ ଲୋକଙ୍କ ଘର, ମଠ, ମନ୍ଦିର ଭଙ୍ଗାଯିବନି। ଯେତିକି ନିତାନ୍ତ ଆବଶ୍ୟକ ସେତିକି ଭଙ୍ଗାଯିବ। ମନ୍ଦିର ଚାରିପାଖେ ଥିବା ରାସ୍ତା, ହସ୍ପିଟାଲ, ସ୍କୁଲ, ଐତିହ୍ୟ କୀର୍ତ୍ତିରାଜିକୁ ସୁରକ୍ଷିତ ରଖି ଉଚ୍ଛେଦ କାର୍ଯ୍ୟ ହେବ।

କିପରି ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ ପରିଚାଳନା ଠିକ୍‌ ହୋଇପାରିବ, ପାର୍କିଂ ସମସ୍ୟା ରହିବନି, ଶ୍ରୀ ଲିଙ୍ଗରାଜଙ୍କ ବିଭିନ୍ନ ପର୍ବପର୍ବାଣିକୁ ଅଧିକରୁ ଅଧିକ ଲୋକ ଦେଖିପାରିବେ, ଜାଗର ଏବଂ ଶ୍ରାବଣ ମାସରେ କାଉଡିଆଙ୍କ ଭିଡ଼ ହେଉଥିବାବେଳେ ଏହାକୁ ଧ୍ୟାନରେ ରଖି ମନ୍ଦିର ବାହାରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ହେବ ସେହିଭଳି ଡିଜାଇନ୍ ପ୍ରସ୍ତୁତ ହେବ। ଏହାସହ ଆଗକୁ ଏଠାରେ ଯେପରି ବେଆଇନ୍ ନିର୍ମାଣ ହେବନି ଏବଂ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇପାରିବ ତାହାକୁ ଗୁରୁତ୍ବ ଦିଆଯିବ। କେବଳ ଲିଙ୍ଗରାଜ ମନ୍ଦିର ନୁହେଁ , ପୁରୁଣା ଭୁବନେଶ୍ବରରେ ଥିବା ବିଭିନ୍ନ ମନ୍ଦିର ଚାରିକଡ଼ୁ ଯେପରି ଜବରଦଖଲ ହଟିବ ସେନେଇ ମଧ୍ୟ ଯୋଜନା ଅଛି। ଏବେ ବହୁ ଲୋକ ନିଜର ସ୍ଥିତିବାନ ଜମି ବାଦ୍‌ ସରକାରୀ ଜମି ଏବଂ ଲିଙ୍ଗରାଜଙ୍କ ଜମିକୁ ମାଡ଼ି ବସିଛନ୍ତି। ସେଗୁଡ଼ିକୁ ଉଚ୍ଛେଦ କରାଯିବ।

ଅନ୍ୟ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶ୍ରୀ ଲିଙ୍ଗରାଜ ମନ୍ଦିର ସାମ୍ନରେ ଥିବା ଶ୍ରୀ ଲିଙ୍ଗରାଜ ଥାନା ଏବଂ ମନ୍ଦିର କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଥାନା ପଛପଟେ ଥିବା ରାସ୍ତାରୁ ମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଅଞ୍ଚଳକୁ ଖୋଲା ଅଞ୍ଚଳ ଭାବେ ରଖାଯିବ। ଏହାସହ ପୁରୁଣା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳକୁ ଯେପରି ସୁବିଧାରେ ମୋ ବସ୍‌ ଏବଂ ଅନ୍ୟାନ୍ୟ ଯାନ ଯାତାୟାତ କରିପାରିବ ସେଥିପାଇଁ ଦୁଇ ଥାକିଆ ରାସ୍ତା ସବୁ ଅଞ୍ଚଳକୁ ନିର୍ମାଣ ହେବ।

ନିକଟରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଯେ, ୨୨୫ଜଣ ବ୍ୟବସାୟୀ ସରକାରୀ ଜାଗାକୁ ଜବରଦଖଲ କରିଛନ୍ତି। ସେମାନଙ୍କର ଯେତିକି ଜାଗା ଅଛି ତାହାଠାରୁ ଅଧିକ ଜାଗା ମାଡ଼ି ବସିଛନ୍ତି। ତେଣୁ ଏହାକୁ ଖୁବ୍‌ ଶୀଘ୍ର ଭଙ୍ଗାଯିବ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ‘ଏକାମ୍ର କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କମିଟି’ ଗଠନ କରିଛନ୍ତି। ଏଥିରେ ଉନ୍ନୟନ କମିସନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ପର୍ଯ୍ୟଟନ ବିଭାଗ ସଚିବ, ବିଡିଏ ଉପାଧ୍ୟକ୍ଷ, ପୁଲିସ କମିସନର, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି। ପୂର୍ତ୍ତ ସଚିବ ଏହାର ଆବାହକ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର