ମୁଣ୍ଡ ଟେକିଲେ ୫ ଶହ ଗଛ, ନୂଆ ଲାଗିବ କେବେ?

ଖଣ୍ଡଗିରି: ବାତ୍ୟା ଫନିରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଟଳି ପଡ଼ିଥିବା ହଜାର ହଜାର ଗଛ ମଧ୍ୟରୁ ପ୍ରାୟ ୫ ଶହ ଗଛ ମୁଣ୍ଡ ଟେକିଛନ୍ତି। ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ପ୍ରଚେଷ୍ଟାରେ ଏହି ପୁରୁଣା ଗଛଗୁଡ଼ିକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରହିଛି। ମାତ୍ର ବହୁ ନଷ୍ଟ ହୋଇଯାଇଥିବାରୁ ଖାଲି ପଡ଼ିଥିବା ସ୍ଥାନମାନଙ୍କରେ ନୂଆ ଗଛ ଲଗାଯାଉନାହିଁ। ତେଣୁ ପୁରୁଣା ଗଛମାନଙ୍କୁ ବଞ୍ଚାଇ ରଖିବା ନେଇ ବିଭାଗର ଚେଷ୍ଟାକୁ ଲୋକେ ପ୍ରଶଂସା କରୁଥିବାବେଳେ ଅଧିକ ମାତ୍ରାରେ ନୂଆ ବୃକ୍ଷରୋପଣ ପାଇଁ ଦାବି କରୁଛନ୍ତି।

ସୂଚନାଯୋଗ୍ୟ, ତମାଣ୍ଡୋରୁ ପିତାପଲ୍ଲୀ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ଦୁଇ ପାର୍ଶ୍ବରେ ହଜାର ହଜାର ଗଛ ଥିଲା। ଓଏଫଡିସି ପକ୍ଷରୁ ୧୦/୧୨ ବର୍ଷ ପୂର୍ବେ ଏହି ଗଛଗୁଡ଼ିକ ଲଗା ଯାଇଥିଲା। ସେଗୁଡ଼ିକ ବଡ଼ ହୋଇଯାଇଥିଲା। ଯାଁଳା, ଓଗାଳପଡ଼ା, ଗଙ୍ଗପଡ଼ା, ତମାଣ୍ଡୋ ଆଦି ଅଞ୍ଚଳର କିଛି ସ୍ଥାନରେ ଛୋଟଛୋଟ ଜଙ୍ଗଲ ଭଳି ହୋଇଯାଇଥିଲା। ମାତ୍ର ଫନିରେ ଶହ ଶହ ଗଛ ଭାଙ୍ଗି ଯାଇଥିବାବେଳେ ଅନେକ ଗଛ ଉପୁଡ଼ିପଡ଼ିଲା। ସ୍ଥାନୀୟ ଲୋକେ ଜାଳେଣି ପାଇଁ ଏହି ଭଙ୍ଗା ଗଛଗୁଡ଼ିକୁ କାଟି ନେଇଗଲେ। ଫଳରେ ଉପୁଡ଼ି ପଡ଼ିଥିଲେ ବି ବଞ୍ଚିବା ଭଳି ଆଶା ଥିବା କିଛି ଗଛ ମଧ୍ୟ ଲୋକଙ୍କ ଜାଳେଣି ପାଇଁ ବଳି ପଡ଼ିଗଲା। ଫନି ଯିବାର ଅଢ଼େଇ ମାସ ପରେ ଓଏଫ୍‌ଡିସି ଏହି ଭଙ୍ଗା ଉପୁଡ଼ା ଗଛମାନଙ୍କ ଯତ୍ନ ନେବା ଆରମ୍ଭ କରିଛି। ଜେସିବି ସାହାଯ୍ୟରେ ମାଟିରେ ଲୋଟି ପଡ଼ିଥିବା ଗଛର ମୂଳକୁ ଉଠାଇ ସଳଖ କରାଯାଉଛି ଓ ମୂଳରେ ମାଟି ଦିଆଯାଉଛି। ମୂଳ ବଞ୍ଚିଥିବାରୁ ପୁଣି ଏହି ଗଛଗୁଡ଼ିକ ଶୀଘ୍ର ବଢ଼ିବ ଓ କିଛି ମାସ‌ ମଧ୍ୟରେ ପୁରୁଣା ଗଛ ଭଳି ଠିଆହେବ। ଗତ ୩ ଦିନ ମଧ୍ୟରେ ଯାଁଳା ଅଞ୍ଚଳରେ ପ୍ରାୟ ୫ ଶହ ଗଛକୁ ଏହି ଭଳି ସଳଖ କରାଯାଇଛି। ତମାଣ୍ଡୋରୁ ପିତାପଲ୍ଲୀ ମଧ୍ୟରେ ଏମିତି ଭାଙ୍ଗି ପଡ଼ିଥିବା ପ୍ରାୟ ଏକ ହଜାରରୁ ଅଧିକ ଗଛକୁ ବଞ୍ଚାଇବାକୁ କାମ ଚାଲିଛି। ତେବେ ଯେଉଁ କିଛି ଅଂଶରେ ଗଛ ନାହିଁ, ସେଠାରେ ଆଉ ନୂଆ ଚାରାରୋପଣ କରାଯାଉନାହିଁ। ଗତ କିଛି ବର୍ଷ ହେଲା ଏହି ରାଜପଥ କଡ଼ର ବହୁ ଖାଲି ସ୍ଥାନ ରହିଥିଲେ ମଧ୍ୟ ବୃକ୍ଷରୋପଣ କରାଯାଇନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କ କହିବା କଥା, ସହର ଭିତରେ ଭାଙ୍ଗି ପଡ଼ିଥିବା ଗଛମାନଙ୍କୁ ସଜାଡ଼ିବା ପରେ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଗଛମାନଙ୍କ କାମ ଆରମ୍ଭ ହୋଇଛି। ତେଣୁ ବିଳମ୍ବ ହୋଇଛି। କିନ୍ତୁ ବର୍ଷା ଦିନ ହେତୁ ଗଛଗୁଡ଼ିକ ବଞ୍ଚିବାରେ କୌଣସି ସମସ୍ୟା ନାହିଁ। ଏହି ରାଜପଥର ସମ୍ପ୍ରସାରଣ(୬ ଲେନ୍‌) କାର୍ଯ୍ୟ ଆରମ୍ଭ ହୋଇଗଲାଣି। ରାସ୍ତା ପାଇଁ ମାପଚୁପ ସରିବା ପରେ ବନ ବିଭାଗକୁ ବୃକ୍ଷରୋପଣ ପାଇଁ ଜମି ମିଳିବ। ସେତେଦିନ ପର୍ଯ୍ୟନ୍ତ ନୂଆ ଗଛ ଲଗାଇବା ସମ୍ଭବ ନୁହେଁ। ଯେଉଁ ଅଂଶ ସମ୍ପ୍ରସାରିତ ରାସ୍ତା ପାଇଁ ପ୍ରଭାବିତ ନ ହେଉଛି, ସେଠାରେ ନୂତନ ବୃକ୍ଷ ରୋପଣ କରାଯିବ।

ସମ୍ବନ୍ଧିତ ଖବର