ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ରଥ ଓ ପଥ ପ୍ରସ୍ତୁତ

ପୁରୁଣା ଭୁବନେଶ୍ୱର: ପୁରୀ ନୁହେଁ, ରାଜଧାନୀରେ ହେବ ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହନ୍ତି, ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥ ଚଢ଼ି ଭକ୍ତଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ପବିତ୍ର ଅଶୋକଷ୍ଟମୀରେ ହେଉଥିବା ଶ୍ରୀଲିଙ୍ଗରାଜଙ୍କ ଏହି ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ପଥ ପ୍ରସ୍ତୁତ ହୋଇ ରହିଥିବାବେେଳେ ବେଶ୍‌ କିଛି ଦିନ ହେଲା ଚାଲିଥିବା ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି। ରଥରେ ଆଜି ସିଂହାସନ, ପାର୍ଶ୍ୱମୂର୍ତ୍ତିି ଲାଗିବା ସହ ମୂର୍ତ୍ତିି ବାରେଣୀ, ପ୍ରଭା, ଘୋଡ଼ା ଇଶ, ଚାରିଦ୍ଵାର ଲଗାଯାଇଛି। ରଥ ସାରଥିଙ୍କୁ ରଙ୍ଗ କରାଯାଇଛି। ଗତକାଲି ରଥର ଉପଟ ପଟ୍ଟା, ବେଦୀ ପଟ୍ଟା, ଘଣ୍ଟି ଓରା, ଧ୍ୱଜ ବତା ଲାଗାଯିବା ସହ ପେଟି, ଅଁଳା, ମୁଣ୍ଡି, ଝରା ଲାଗିବା କାମ ଶେଷ ହୋଇଥିଲା। ଆସନ୍ତାକାଲି ରଥରେ ସଖୀ ଓ ଘୋଡ଼ା ଲଗାଯିବ।

ମରିଚୀ କୁଣ୍ଡ ପାଣିରେ ହେଲା ରଥ ପ୍ରତିଷ୍ଠା

ଆଜି ସପ୍ତମୀ ତିଥିରେ ରଥରେ ନେତ ବନ୍ଧା ହେବା ସହ ରାତିରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। ବିଧି ମୁତାବକ କେଦାର ଗୌରୀ ନିକଟ ମୁକ୍ତେଶ୍ୱର ମନ୍ଦିର ନିକଟ ମରିଚୀ କୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ହୋଇଥିଲା। କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ସେବାୟତ ଏହି ପୂଜା କରିଥିଲେ। ପୂଜକ ମନୋରଞ୍ଜନ ଦାଶ, ସରୋଜ ମିଶ୍ର, ସନ୍ତୋଷ ରଥ ଆଦି ୧୦ଜଣ ବ୍ରାହ୍ମଣ ରହି ରଥ ପ୍ରତିଷ୍ଠା କରିଥିଲେ। ବର୍ଷ ତମାମ ବନ୍ଦ ରହିଥିବା ଏହି କୁଣ୍ଡର ପାଣିର ପ୍ରଥମ କଳସ ଜଳରେ ରୁକୁଣା ରଥର ପ୍ରତିଷ୍ଠା ପାଇଁ ବ୍ୟବହୃତ ହୋଇଥିଲା।

ରାତିରେ ହେଉଛି ଷଣ୍ଢ ଧରା

ପ୍ରତିବର୍ଷ ରୁକୁଣା ରଥଯାତ୍ରା ହେଉକି ମହାଶିବରାତ୍ରୀ। ଷଣ୍ଢ ଚିନ୍ତା ଘାରୁଛି ବିଏମ୍‌ସିକୁ। ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ ଷଣ୍ଢ ସମସ୍ୟା ଉପୁଜିଛି। କିଛି ଷଣ୍ଢ ଧରାଯାଇ ଅନ୍ୟତ୍ର ଛଡ଼ା ଯାଇଥିଲେ ମଧ୍ୟ ଅନେକ ଷଣ୍ଢ ବୁଲୁଥିବା ଦେଖିବାକୁ ମିଳିଛି। ତେଣୁ ରଥଯାତ୍ରା ପାଇଁ ଆଜି ରାତିରେ ଷଣ୍ଢ ଧରା ଚାଲିଛି।

ଜଗିବେ ୮୦ ଅଫିସର୍‌, ୨୨ପ୍ଲାଟୁନ୍‌ ଫୋର୍ସ

ମହାପ୍ରଭୁଙ୍କ ରୁକୁଣା ରଥାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁକୁଣା ରଥ ଯାତ୍ରାଠାରୁ ଠାକୁର ମନ୍ଦିରକୁ ଯିବା ପର୍ଯ୍ୟନ୍ତ ଯେପରି ଶାନ୍ତି ଶୃଙ୍ଖଳା ରହିବ ଓ ଟ୍ରାଫିକ୍‌ ବ୍ୟବସ୍ଥା ଠିକ୍‌ ରହିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଏଥିପାଇଁ ଆସନ୍ତାକାଲି ୮୦ଜଣ ଅଫିସର୍‌, ୨୨ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ସେହିପରି ଯାତ୍ରା ବେଳେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କେତେକ ସ୍ଥାନରେ ସ୍ୱତନ୍ତ୍ର ବ୍ୟାରିକେଡ୍‌ ନିର୍ମାଣ ସହ ଭିଡ଼ରେ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖାଯିବ। ଏଥି ପାଇଁ ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଫୁଟେଜ୍‌ ଉପରେ ନଜର ରଖାଯିବା ସିହ ସାଦା ପୋଷାକଧାରୀ ପୁଲିସ ମଧ୍ୟ ରହିବେ। ଯାତ୍ରା ବେଳେ ରାମେଶ୍ୱର ଛକ, ଇଲେକ୍‌ଟ୍ରିକ୍‌ ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‌ କରାଯିବବୋଲି ଥାନା ଅଧିକାରୀ ଜନାର୍ଦନ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର