ଭୁବନେଶ୍ୱର: ପୁନରୁଦ୍ଧାର ହେବ ଉତ୍ତମ ମହାନ୍ତିଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଅଭିମାନ’। ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ରିଲ୍ ନଷ୍ଟ ହୋଇ ଯାଇଥିବା ବେଳେ ଏହାର ପୁନରୁଦ୍ଧାର କରିବ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ (ଏଫ୍ଏଚ୍ଏଫ୍)। ଫିଲ୍ମର ପୁନରୁଦ୍ଧାର କରାଯିବା ସହ ଏହାକୁ ଫାଉଣ୍ଡେସନ୍ ପକ୍ଷରୁ ସଂରକ୍ଷଣ କରାଯିବ। ୪୧ ବର୍ଷ ତଳେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଥିଲା ଅନେକ କଳାକାର ଓ ପ୍ରଚ୍ଛଦପଟ କଳାକାରଙ୍କ ପ୍ରଥମ ସ୍ୱାକ୍ଷର। ଦିନେ ବଡ଼ବଡ଼ ତାରକା ପାଲଟିଥିବା ଅଭିନେତାଙ୍କର ‘ଅଭିମାନ’ରୁ ଅଭିନୟ ଜୀବନର ମୂଳଦୁଆ ପଡ଼ିଥିଲା। ଫିଲ୍ମର ନାୟକ ଉତ୍ତମ ମହାନ୍ତି ଏବଂ ନାୟିକା ରୀତା ଚାନ୍ଦଙ୍କର ଏହା ଥିଲା ପ୍ରଥମ ଫିଲ୍ମ। ଅନେକ ହୁଏତ ଜାଣି ନଥିବେ, ବିଜୟ ମହାନ୍ତି ପ୍ରଥମେ ଏହି ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସାଧୁ ମେହେରଙ୍କର ମଧ୍ୟ ଏହା ଥିଲା ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର। ରାଧାକୃଷ୍ଣ ଭଂଜ ଏବଂ ସରୋଜ ପଟ୍ଟନାୟକ ପ୍ରଥମ କରି ଏହି ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନାରେ ଭାର ତୁଲାଇଥିଲେ। ଅକ୍ଷୟ ମହାନ୍ତି, ଉଷା ମଙ୍ଗେସ୍କର ଗୀତ ଗାଇଥିବା ବେଳେ ସ୍ୱରୂପା ଚକ୍ରବର୍ତୀ, ଘନଶ୍ୟାମ ପଣ୍ଡା ପ୍ରଥମଥର ପାଇଁ କଣ୍ଠଦାନ କରିଥିଲେ।
ବାରିପଦାର ଗଣେଶ ଚନ୍ଦ୍ର ଜିଉଙ୍କ ପ୍ରଯୋଜିତ ଏହା ଥିଲା ଏକମାତ୍ର ଚଳଚ୍ଚିତ୍ର। ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଥିଲା ଏକ ମାଇଲ୍ ଖୁଣ୍ଟ। ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ (ଏଫ୍ଜେଏଫ୍) ପକ୍ଷରୁ ‘ଅଭିମାନ’ର ପ୍ରିଣ୍ଟ୍ ତଥା ରିଲ୍ ଅତି ପରିତ୍ୟକ୍ତ ଓ କଦର୍ଯ୍ୟ ସ୍ଥିତିରେ ଉଦ୍ଧାର କରାଯାଇଥିଲା। ତେବେ ଏହାକୁ ପୁନରୁଦ୍ଧାର କରିବା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବାରୁ ଏହାର ପୁନରୁଦ୍ଧାର କରାଯାଇ ପାରୁନଥିଲା। ତେବେ ଏଫ୍ଜେଏଫ୍ ପକ୍ଷରୁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ନିର୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁରଙ୍କୁ ଫିଲ୍ମର ଉଦ୍ଧାର ପାଇଁ ପ୍ରସ୍ତାବ ଦିଆଯିବା ପରେ ସେ ସହମତି ପ୍ରକାଶ କରିଛନ୍ତି। ଏହାକୁ ଡିଜିଟାଲ୍ ରୂପରେ ପ୍ରସ୍ତୁତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଦିନେ ସତ୍ତା ହରାଇବାକୁ ବସିଥିବା ଓଡ଼ିଆ ଚଳଚ୍ଚିତ୍ରର ଏହି ସମ୍ପତ୍ତି ପୁଣି ଲୋକଙ୍କ ସାମ୍ନାକୁ ଫେରି ପାରିବ।
ଚଳଚ୍ଚିତ୍ର ପୁନରୁଦ୍ଧାର ତାଲିମ୍ ଦେବ ଏଫ୍ଏଚ୍ଏଫ୍
ଚଳିତ ବର୍ଷ ବଙ୍ଗଳା ଚଳଚ୍ଚିତ୍ରକୁ ଶହେ ବର୍ଷ ପୂରୁଥିବା ବେଳେ କୋଲକାତାରେ ଅନୁଷ୍ଠିତ ହେବ ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା। ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ (ଏଫ୍ଏଚ୍ଏଫ୍) ପକ୍ଷରୁ ଆସନ୍ତା ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଆୟୋଜିତ ହେବ। ଏଫ୍ଏଚ୍ଏଫ୍ ପକ୍ଷରୁ ଚତୁର୍ଥ ଥର ପାଇଁ ଏହିଭଳି କର୍ମଶାଳା ହେବାକୁ ଯାଉଛି। ଅଭିନେତା ଅମିତାଭ ବଚ୍ଚନ ଏହାକୁ ଉଦ୍ଘାଟନ କରିବେ।
ଚଳଚ୍ଚିତ୍ର ସଂରକ୍ଷକ ଓ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ଭାବେ ଖ୍ୟାତ ଶିବେନ୍ଦ୍ର ସିଂହ ଡୁଙ୍ଗରପୁର ଏନେଇ ସୂଚନା ଦେଇ କହିଛନ୍ତି ଯେ ଦି ଇଣ୍ଟରନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ସ (ଏଫ୍ଆଇଏଏଫ୍) ପକ୍ଷରୁ ଅନ୍ୟ ସଂଗଠନର ସହାୟତାରେ ଏହି ୮ ଦିନର କର୍ମଶାଳା ଅନୁଷ୍ଠିତ ହେବେ। ଏହି କର୍ମଶାଳା ମଧ୍ୟରେ ଫିଲ୍ମ ପୁନରୁଦ୍ଧାର କୌଶଳ, ଡିଜିଟାଲ୍ ସଂରକ୍ଷଣ ଓ ପୁନରୁଦ୍ଧାର, କାଟାଲଗିଙ୍ଗ୍ ତଥା ଫଟୋଗ୍ରାଫି ସଂରକ୍ଷଣ ସମ୍ବନ୍ଧୀୟ କୌଶଳ ସମ୍ବନ୍ଧରେ ତାଲିମ୍ ଦିଆଯିବ। କର୍ମଶାଳା ପରେ ଏଫ୍ଆଇଏଏଫ୍ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ପ୍ରତିଷ୍ଠାନର ଅନ୍ତର୍ଜାତୀୟସ୍ତରର ଏକ୍ସପର୍ଟମାନେ ତାଲିମ୍ ଦେବେ। ଏଥିରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ବ୍ୟକ୍ତି ଅକ୍ଟୋବର ୧ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଭାରତ ସମେତ ଶ୍ରୀଲଙ୍କା, ନେପାଳ, ଭୂଟାନ, ବାଙ୍ଗ୍ଲାଦେଶ, ମ୍ୟାମାଁର ଓ ମାଲେସିଆରୁ ମଧ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ।