ଜାନୁଆରିରୁ ଭଡ଼ାରେ ମିଳିବ ସାଇକେଲ୍‌

ରାଜଧାନୀରେ ସୃଷ୍ଟି ହେବ ନୂଆ ଧାରା

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକ ଯେପରି ସାଇକେଲ୍‌ରେ ଯାତାୟାତ କରିବେ ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ‘ପବ୍ଲିକ ସାଇକେଲ୍‌ ସେୟାରିଂ ’ ଯୋଜନା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଲୋକଙ୍କୁ ହାତପାହାନ୍ତାରେ ସାଇକେଲ ଯୋଗାଇ ଦିଆଯିବ। ଲୋକ ଟ୍ରେନ୍‌, ବସ୍‌, ସିଟି ବସ୍‌ ଓ ଅଟୋରୁ ଓହ୍ଲାଇଲେ ଯେପରି ଘର କିମ୍ବା ଯେକୌଣସି ସ୍ଥାନକୁ ସହଜରେ ଯା ଆସ କରିପାରିବେ ସେଥିପାଇଁ ସାଇକେଲ୍‌ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର ହୋଇଛି। ରାଜଧାନୀରେ ଏହି ପବ୍ଲିକ ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଟେଣ୍ଡର୍‌ ଆହ୍ଵାନ ହୋଇଛି। ଆସନ୍ତା ୨୧ତାରିଖରେ ପ୍ରି ବିଡ୍‌ ବୈଠକ ହେବାକୁ ଥିବାବେଳେ ଡିସେମ୍ବର ସୁଦ୍ଧା ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହେବ ଏବଂ ଆସନ୍ତା ଜାନୁଆରିରୁ ରାଜଧାନୀରେ ଭଡ଼ାରେ ସାଇକେଲ୍‌ ମିଳିବ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି।

କେମିତି ହେବ ସାଇକଲ୍‌ ସେୟାରିଂ ଢାଞ୍ଚା

ସହରର ବିଭିନ୍ନ ଅଂଚଳକୁ ନେଇ ୭୦ସାଇକେଲ୍‌ ଷ୍ଟେସନ୍‌ ରହିବା ପାଇଁ ସ୍ଥିର ହୋଇଥିବା ବେଳେ ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦୦ ସାଇକେଲ୍‌ ରହିବ। ସେହିଭଳି ସାଇକଲ୍‌ ସେୟାରିଂକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ ୩୦ ମିନିଟ୍‌ ପାଇଁ ବ୍ୟବହାରକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାପରେ ସ୍ୱଳ୍ପ ମୂଲ୍ୟରେ ଦେୟ ଦେଇ ସାଇକଲ୍‌ ବ୍ୟବହାର କରିହେବ।
ସାଇକେଲ୍‌ ଷ୍ଟେସନ୍‌ ପାଇଁ ପ୍ରାଥମିକ ସ୍ତରରେ ସ୍ଥାନ ଚିହ୍ନଟ ହୋଇଛି। ଐତିହ୍ୟ ଅଞ୍ଚଳ ବା ପୁରୁଣା ଭୁବନେଶ୍ୱର, ଇନଫୋସିଟି, ନନ୍ଦନକାନନ, ମାଷ୍ଟର୍‌ କ୍ୟାଣ୍ଟିନରୁ ବାଣୀବିହାର, ଏମ୍‌ସ ହସ୍ପିଟାଲରୁ ପାହାଳ ଯାଏଁ ରହିବ ଏକାଧିକ ଷ୍ଟେସନ୍‌। ଷ୍ଟେସନ୍‌ଗୁଡ଼ିକ ମଧ୍ୟରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ ନିର୍ମାଣ ହେବ।

ସ୍ୱଳ୍ପ ଦୂରତ୍ୱ ବିଶିଷ୍ଟ ରାଇଡ୍‌ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ। ସାଇକଲ୍‌ ସେୟାରିଂ ପାଇଁ ଗୋଟିଏ ଷ୍ଟେସନ୍‌ରୁ ସାଇକଲ୍‌ ସଂଗ୍ରହ କରିବା କରିବା ପରେ ଆବଶ୍ୟକ ସ୍ଥଳେ ଅନ୍ୟ ଷ୍ଟେସନ୍‌ରେ ଏହାକୁ ଫେରାଇ ହେବ। ଯଦି ଗନ୍ତବ୍ୟସ୍ଥଳ ମଧ୍ୟରେ ସାଇକେଲ ଷ୍ଟେସନ ନ ରଖିହେବ ତେବେ ଯେ କୌଣସି ସ୍ଥାନରେ ସାଇକେଲ୍‌ ଛାଡ଼ିକି ଯାଇହେବ। ଏହାଦ୍ୱାରା ସାଇକେଲ୍‌ ଫେରାଇବା ପାଇଁ ଅଯଥାରେ ସଂଗୃହୀତ ସ୍ଥାନକୁ ଫେରିବାକୁ ପଡ଼ିବ ନାହିଁ।

ବିଏମ୍‌ସି ଅଞ୍ଚଳ ବାହାରେ ସାଇକେଲ୍‌ ଗଡ଼ିବନି, ଜିପିଏସ୍‌ ଟ୍ରାକିଂ ହେବ

ସାଇକେଲ୍‌ ନେବା ପାଇଁ କୌଣସି ପ୍ରକାର ନଗଦ କାରବାର କରିବାକୁ ପଡ଼ିବ ନାହିଁ। ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟାରେ ହେବ ସାଇକେଲ୍‌ ସେୟାରିଂ ବ୍ୟବସ୍ଥା। ଆର୍‌ଏଫ୍‌ଆଇଡି ଦ୍ୱାରା ଟ୍ୟାଗ୍‌ ହୋଇଥିବା ସାଇକେଲ୍‌ଗୁଡ଼ିକୁ ଚୋରି କରି ହେବନାହିଁ। ଜିପିଏସ୍‌ ପଦ୍ଧତିରେ ସାଇକେଲ୍‌ କେଉଁଠି ଅଛି ଟ୍ରାକ୍‌ କରିହେବ।

ସାଇକେଲ୍‌ଗୁଡ଼ିକ କେବଳ ବିଏମ୍‌ସି ଅଞ୍ଚଳ ଭିତରେ ଗଡ଼ିବ। ଏଥିପାଇଁ ବିଏମ୍‌ସି ଅଞ୍ଚଳକୁ ଇ-ଫେନ୍‌ସିଂ କରାଯାଇଛି। ଏହି ଅଞ୍ଚଳ ବାହାରକୁ ସାଇକେଲ୍‌ ଯାଇପାରିବ ନାହିଁ। ଯଦି କେହି ଭୁଲ୍‌ବଶତଃ ସାଇକେଲ୍‌ ନେବେ ତେବେ ସୀମା ପାର୍‌ ହେବା କ୍ଷଣି ସାଇକେଲ୍‌ ଲକ୍‌ ହୋଇଯିବ। ସାଇକେଲ୍‌ଗୁଡ଼ିକ ଜିପିଏସ୍‌ ଟ୍ରାକିଂ ହେବାକୁ ଥିବାରୁ ସାଇକେଲଗୁଡ଼ିକ ଉପରେ ୨୪ଘଣ୍ଟିଆ ନଜର ରହିବ। ଏପରିକି ଯଦି କେହି ଯେ କୌଣସି ସ୍ଥାନରେ ସାଇକେଲ୍‌ ଛାଡ଼ିକି ଯିବେ ତେବେ ସେଠାରୁ ଆଣିବା ବ୍ୟବସ୍ଥା ସାଇକେଲ ଯୋଗାଣ ସଂସ୍ଥା କରିବ। ରାଜଧାନୀବାସୀଙ୍କୁ ସୁହାଇବା ଭଳି ତଥା ଅଣ-ମୋଟର ଚାଳିତ ଯାନର ପ୍ରଚଳନ ପାଇଁ ସାଇକେଲ୍‌ ସେୟାରିଂ ଏକ ଅଭିନବ ଯୋଜନା ହୋଇଥିବା ବେଳେ ସହଯୋଗିତା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍‌ ବ୍ୟବହାର କରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ସାମାଜିକ ସଂସ୍ଥା, ସାଇକେଲ କ୍ଲବ୍‌ ତଥା ଶିକ୍ଷାନୁଷ୍ଠାନସ୍ତରରେ ସଚେତନ କାର୍ଯ୍ୟକ୍ରମ ହେବ। ସାଇକେଲ୍‌ ଚାଳନା ଯୋଗୁ ପରିବେଶ ଉପାଦେୟତା ବୃଦ୍ଧି ପାଇବା ସହ ବ୍ୟକ୍ତିଗତ ଭାବରେ ଏହା ସ୍ୱାସ୍ଥ୍ୟ ଅନୁକୂଳ ବୋଲି ଜନସାଧାରଣଙ୍କୁ ଅବଗତ କରାଯିବ।

ପ୍ରଥମ ପର୍ଯ୍ୟାୟରେ ୧୦୦୦ ସାଇକେଲ ଗଡ଼ିବ

ଜାନୁଆରିରୁ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦୦ଟି ସାଇକେଲ୍‌ ଆସିବ। ଏଥିରୁ ୫୦୦ଟି ଇଲେକ୍ଟ୍ରିକ୍‌ ଏବଂ ୫୦୦ଟି ମାନୁଆଲ୍‌ ସାଇକେଲ୍‌ ରହିବ। ପ୍ରକଳ୍ପ ଆରମ୍ଭ ହେବାର ୬ମାସ ମଧ୍ୟରେ ୭୫୦ଟି ସାଇକେଲ୍‌ ଆଣିବାକୁ କୁହାଯାଇଥିବାବେଳେ ୧୦ମାସ ମଧ୍ୟରେ ୧୦୦୦ଟି ଯାକ ସାଇକେଲ୍‌ ରାସ୍ତାରେ ଗଡ଼ିବ।

ସହିଦନଗର ଓ ଇନଫୋସିଟିରେ ହେବ ହବ୍‌

ସେଇକେଲ୍‌ ଭଡ଼ାରେ ଦେବା ପାଇଁ ଏବଂ ଠିକ୍‌ ପରିଚାଳନା ପାଇଁ ସହିଦନଗର ଏବଂ ଇନଫୋସିଟିରେ ହେବ ପ୍ରକଳ୍ପ ଅଞ୍ଚଳ। ଏହିଠାରୁ ପୂରା ପ୍ରକଳ୍ପକୁ ମନିଟରିଂ କରାଯିବ। ଏଠାରେ ସାଇକେଲ ସଫା କରିବାଠାରୁ ଆରମ୍ଭ କରି ମରାମତି, ପାର୍କିଂ, ଚାର୍ଜିଂ ବ୍ୟବସ୍ଥା ରହିବ। ଏହାବାଦ୍‌ ପ୍ରତ୍ୟେକ ଡକିଂ ଷ୍ଟେସନରେ ପାର୍କିଂ ଓ ଚାର୍ଜିଂ ବ୍ୟବସ୍ଥା ରହିବ। ଏଠାରେ ଜଣେ ସୁବିଧାରେ ଇଲେକ୍ଟ୍ରିକ୍‌ ସାଇକେଲ୍‌ ଚାର୍ଜିଂ କରିପାରିବେ।

କାର୍ଡ ପେମେଣ୍ଟ ପାଇଁ ସୁବିଧା ରହିବ

ଏହି ସାଇକେଲ୍‌ ଯେଉଁମାନେ ଭଡ଼ାରେ ନେବେ ସେମାନଙ୍କୁ କାର୍ଡରେ ଦେୟ ସଂଗ୍ରହ ହେବ। ଏଥିପାଇଁ ପ୍ରଥମେ ଏକ କାର୍ଡ କିଣିବାକୁ ହେବ। ଏହି କାର୍ଡ ରିଚାର୍ଜ କରିବା ପରେ ସାଇକେଲ୍‌ ଭଡ଼ାରେ ମିଳିବ। ସାଇକେଲ୍‌ ଫେରାଇବା ପରେ ଯେତିକି ଭଡ଼ା ହୋଇଥିବ ତାହା କାର୍ଡରୁ କଟିଯିବ। ପରବର୍ତ୍ତୀ ସମୟରେ ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହେବାକୁ ଥିବା କମନ୍‌ କାର୍ଡ ପେମେଣ୍ଟ ବ୍ୟବସ୍ଥାରେ ଏହାକୁ ସାମିଲ୍‌ କରାଯିବ।

 

 

ସମ୍ବନ୍ଧିତ ଖବର