ଭୁବନେଶ୍ୱର: ଦୀର୍ଘଦିନ ସ୍ୱାସ୍ଥ୍ୟ ସେବା ଦେବା ପରେ ସ୍ଥାନାନ୍ତର ହେବ ରେଣ୍ଟାଲ୍ କଲୋନିସ୍ଥିତ ସରକାରୀ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍ ଅଧୀନରେ ବିଏମ୍ସି ପକ୍ଷରୁ ବରମୁଣ୍ଡା ଗ୍ରାମ ସ୍ଥିତ ବିଏମ୍ସି ହୋମିଓପାଥି ଡିସ୍ପେନ୍ସାରି ନିକଟକୁ ଏହା ଉଠିଯିବ। ମାତ୍ର ରେଣ୍ଟାଲ୍ କଲୋନିବାସୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଜାଣିବା ପରେ ଗତ ମହିଳା ଦିବସରେ ମହିଳାମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ମେୟର ଏହାର ସମାଧାନ ସହ ପଦକ୍ଷେପ ନିଆଯିବ ବୋଲି ବି କହିଥିଲେ। କିନ୍ତୁ ଯେବେଠୁ ଏଠାରୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ପ୍ରସଙ୍ଗ ଉଠିଛି ସେବେଠୁ ଅଞ୍ଚଳବାସୀ ଏହାକୁ ଉଠାଇ ନଦେବା ପାଇଁ ଅଣ୍ଟା କଷିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ସେବା ଦେଇ ଆସୁଥିବାରୁ ଏହାକୁ ଉଠାଇ ଦିଆଯିବ ନାହିଁ ଏବଂ ଆବଶ୍ୟକ ପଡ଼ିଲେ ଅନଶନ କରାଯିବ ବୋଲି କହିଛି ସ୍ଥାନୀୟ ମହିଳା ମହାସଂଘ। ସୂଚନାଯୋଗ୍ୟ ୧୯୮୭ ମସିହାରେ ୧ହଜାର ୮ କ୍ୱାର୍ଟର୍ସକୁ ନେଇ ସାଧାରଣ ପ୍ରଶାସନ (ଜିଏ) ଏଠାରେ ବସତି ସ୍ଥାପନର ସୁଯୋଗ ଦେଇଥିଲା। ପରେ ଏଠାରେ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ, କ୍ୟାପିଟାଲ୍ ହସ୍ପିଟାଲ୍, ଜିଏ ଓ ଏଜିକୁ ଚିଠି ଲେଖାଯାଇଥିଲା। ଚିଠି ନଂ ୩୭୦୮୪ ଅନୁଯାୟୀ ଏଠାରେ ୨୬ ଅକ୍ଟୋବର ୧୯୮୮ ମସିହାରେ ରେଣ୍ଟାଲ୍ କଲୋନି ହାଇସ୍କୁଲ୍ ପଛ ପାର୍ଶ୍ୱରେ ଏହି ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ହୋଇଥିଲା। ମାତ୍ର ଏବେ ଏହି କେନ୍ଦ୍ର ୬ କିଲୋମିଟର ଦୂରକୁ ଚାଲିଯିବ। ତେବେ କେଉଁ ନୋଟିଫିକେସନ୍ ବଳରେ ଏହା ରେଣ୍ଟାଲ୍ କଲୋନି ବଦଳରେ ବରମୁଣ୍ଡାରେ ରହିବ ସରକାର ତା’ର ଜବାବ ଦିଅନ୍ତୁ ବୋଲି ସୂଚନାଧିକାର କର୍ମୀ ପ୍ରଦୀପ କୁମାର ତରାଇ ପ୍ରଶ୍ନ କରିଛନ୍ତି। ଯଦି ଏଠାରୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର ହେବ ତେବେ ଆମେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ମୁତାବକ ଆଇନଗତ ପଦକ୍ଷେପ ନେବୁ ବୋଲି ଆଡ୍ଭୋକେଟ୍ ଅଶୋକ ରାଜ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଚର୍ମ, ଗାଇନିକ୍ ଓ ଅନ୍ୟ ପ୍ରାଥମିକ ଚିକିତ୍ସା ପାଇଁ ସମସ୍ତ ସୁବିଧା ଥିବାରୁ ରେଣ୍ଟାଲ୍ କଲୋନି ସମେତ ଆଇଆର୍ସି ଭିଲେଜ୍ର କିଛି ଅଂଶ, ଭିଆଇପି କଲୋନି, ଭିଆଇପି ଅଞ୍ଚଳ, ଏକାମ୍ର ଭିଲ୍ଲା, ସିଆର୍ପିଏଫ୍, ବରମୁଣ୍ଡା ହାଉସିଂବୋର୍ଡ, ଜଗନ୍ନାଥ ବିହାର, ଫରେଷ୍ଟ ବସ୍ତି, ଗଜ ବିହାର, ଷଣ୍ଢସାହି ବସ୍ତି, ଭରତପୁରର କିଛି ବାସିନ୍ଦା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ତେଣୁ ଆମଠୁ ଆମ ହସ୍ପିଟାଲ୍ ଛଡ଼ାଇ ନିଆ ନଯାଉ ବୋଲି ଶକ୍ତିମୟୀ ମହିଳା ମହାସଂଘର ସମ୍ପାଦିକା ପଦ୍ମାଳୟା ମହାନ୍ତି କହିଛନ୍ତି। ଏଠାରେ ୨ଟି ସ୍କୁଲ୍ ସହ ବହୁ ମହିଳା ଓ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେଉଛନ୍ତି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ୬ କିଲୋମିଟର ଉଠିଗଲେ ଆମେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବୁ। ସରକାର ଯଦି ସେଠାରେ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାର ଅଛି ସେଠାରେ ନୂଆ କେନ୍ଦ୍ର କରନ୍ତୁ। ଆମ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରନ୍ତୁ ନାହିଁ ବୋଲି ସଭାପତି ପ୍ରଭାସିନୀ ସାହୁ କହିଛନ୍ତି। ଗତ ଫେବ୍ରୁଆରି ୮ ତାରିଖରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛୁ। ଯଦି ଏ ସମ୍ପର୍କରେ ଆମ ପ୍ରତି ଅବିଚାର କରାଯାଏ ତେବେ ଆମେ ଅନଶନ କରିବୁ ବୋଲି ବସନ୍ତ ମଂଜରୀ ଜେନା ଏବଂ ସସ୍ମିତା ଜେନା କହିଛନ୍ତି।