ଭୁବନେଶ୍ବର ମଧ୍ୟ ନିର୍ବା‌ଚନମଣ୍ଡଳୀ ୧୨୭ ନମ୍ବର ବୁଥ୍‌ : ଉତ୍ତେଜନା ମଧ୍ୟରେ ପୁନଃମତଦାନ

ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ଭୋଟ୍‌ ଦେଲେ ୩୩୭ ଭୋଟର୍‌

ଭୁବନେଶ୍ବର : ଉତ୍ତେଜନା ମଧ୍ୟରେ ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ୧୨୭ ନମ୍ବର ବୁଥ୍‌ରେ ପୁନଃମତଦାନ ଅନୁଷ୍ଠିତ ହୋଇଛି। ସହିଦନଗର ହାଇସ୍କୁଲରେ ହୋଇଥିବା ଏହି ମତଦାନ କେନ୍ଦ୍ରରେ ୮୪୪ଜଣ ମତଦାତା ଥିବା ‌ବେଳେ ୩୩୭ଜଣ ମତଦାନ କରିଛନ୍ତି। ବୁଥ୍‌ରେ ୪୯୫ଜଣ ପୁରୁଷ ଓ ୩୪୯ଜଣ ମହିଳା ମତଦାତା ରହିଛନ୍ତି। ତେବେ ୧୫୯ଜଣ ମହିଳା ଓ ୧୭୮ଜଣ ପୁରୁଷ ମତ ଅଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି।

ସହିଦନଗରର କିଛି ଅଂଶ ଏବଂ ସହିଦନଗର ହାଇସ୍କୁଲ ଅଞ୍ଚଳକୁ ନେଇ ଗଠିତ ଏହି ବୁଥ୍‌ରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା। ‌ପୁନଃ ମତଦାନ ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ୧ ପ୍ଲାଟୁନ୍ ପୁଲିସ ବୁଥ୍‌ରେ ମୁତୟନ କରାଯାଇଥିଲା। ତଥାପି ମତଦାନ ଆରମ୍ଭ ହେବାର କିଛି କ୍ଷଣ ପରେ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଟ୍‌ ଚାଲିଥିବା ବେଳେ ବିଜେଡି ଓ ବିଜେପି କର୍ମୀମାନେ ବୁଥ୍‌ ବାହାରେ ରହି ଭୋଟର୍‌ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିଲେ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୁଇଜଣ ପୂର୍ବତନ କର୍ପୋରେଟର ବୁଥ୍‌ ଭିତରେ ଉପସ୍ଥିତ ରହି ଭୋଟର୍‌ଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୁଲିସ ହସ୍ତକ୍ଷେପ କରିବା ପରେ ସ୍ଥିତିରେ ସୁଧାର ଆସିଥିଲା।

ତେବେ ଉତ୍ତେଜନା କମି ନଥିଲା। ମଧ୍ୟାହ୍ନ ବେଳକୁ ବୁଥ୍‌ ମଧ୍ୟରେ ଉପସ୍ଥିତ ଥିବା ଦୁଇ ଦଳ ଏଜେଣ୍ଟ ମୁହାଁମୁହିଁ ହୋଇଥିଲେ। ନିୟମ ଉଲ୍ଲଂଘନ କରାଯାଇଥିବା ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଭୁବ‌ନେଶ୍ବର ଏଡିଏମ୍‌ ଓ ତହସିଲ୍‌ଦାର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଉଭୟ ବିଜେଡି ଓ ବିଜେପି କର୍ମୀମାନଙ୍କୁ ବୁଥ୍‌ ନିକଟରୁ ହଟାଇ ଦିଆଯାଇଥିଲା। ପରେ ଶାନ୍ତିଶୃଙ୍ଖଳାର ସହ ସନ୍ଧ୍ୟାରେ ମତଦାନ ଶେଷ ହୋଇଥିବା ଜଣାପଡ଼ିଛି। ମତଦାନ‌ କେନ୍ଦ୍ର ନିକଟରେ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୩ ତାରିଖରେ ଏଠାରେ ମତଦାନ ହୋଇଥିଲା। ସେତେବେଳେ ୩୫୧ଜଣ ଭୋଟର୍‌ ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ ଇଭିଏମ୍‌ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପୁଣି ଥରେ ଏଠାରେ ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‌ନିର୍ବାଚନ ଆୟୋଗଙ୍କୁ ସୁପାରିସ କରିଥିଲେ। ଏହାପରେ ଏହି ବୁଥ୍‌ରେ ପୁନଃ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର